ଗୋଟିଏ ଯୋଜନା ଘୋଷଣା ; ୩ଥରରେ ଆସୁଛି ଗାଇଡଲାଇନ୍, ସନ୍ଦେହରେ ସାଧାରଣ ଜନତା

ଭୁବନେଶ୍ବର, ୨୮/୮ : ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ନିଜ ମେନିଫେଷ୍ଟୋରେ ରଖିଥିଲା ସୁଭଦ୍ରା ଯୋଜନା । ବିଜେପି ସରକାରକୁ ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଘୋଷଣା ବି କରିଥିଲେ । ସେତେବେଳେ ସେ କହିଥିଲେ କି ୩ମାସ ମଧ୍ୟରେ ଆସିବ ସୁଭ୍ରଦା ଯୋଜନାର ଏସଓପି । ତେବେ ନିର୍ବାଚନ ସମୟରେ ଏହି ସଂକଳ୍ପପତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି ବିଜେପି । ୨୦୨୪ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପପତ୍ରରେ ପ୍ରତିଶ୍ରୁତି ଦେଇଥିଲା ।

ଏହି ଯୋଜନାରେ ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର୍‌ ପାଇବେ ବୋଲି କହିବା ସହ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଏହାକୁ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ ।ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ କହିଥିଲେ କି, ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ହେବ ସୁଭଦ୍ରା ଟଙ୍କା ରିଲିଜ। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନା ଲଞ୍ଚ୍ କରିବେ। ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି କହିଥିଲେ ।ଏହାପରେ ଆସିଥିଲା ‘ସୁଭଦ୍ରା’ ଯୋଜନା ଏସଓପି। ବିଧାନସଭା ଗୃହରେ ‘ସୁଭଦ୍ରା’ ଯୋଜନା ଏସଓପି ଘୋଷଣା କରିଥିଲେ ରାଜ୍ୟ ସରକାର। ଗତ ଶୁକ୍ରବାର କ୍ୟାବିନେଟରେ ‘ସୁଭଦ୍ରା’ ଯୋଜନା ଏସଓପି ପାରିତ ହୋଇଥିଲା।ଆସନ୍ତା ସେପ୍ଟେମ୍ବର ୧୭ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ଆରମ୍ଭ ହୋଇ ୨୦୨୮-୨୯ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ମୋଟ ୫୫ ହଜାର ୮୨୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ପାଇଁ ଏହି ଯୋଜନା ଲାଗି ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ‘ସୁଭଦ୍ରା’ ଯୋଜନାରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ଵ ମହିଳା ହିତାଧିକାରୀ ଉପକୃତ ହେବେ। ୨୧ରୁ ୬୦ ବର୍ଷର ମହିଳା ପାଇବେ ‘ସୁଭଦ୍ରା’ ଯୋଜନା ଟଙ୍କା। ବର୍ଷକୁ ଦୁଇଟି ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ରାଜ୍ୟ ସରକାର। ଏହି ଅର୍ଥ ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବ। ୫ ବର୍ଷରେ ମହିଳା ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା ।

ସେହିପରି ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳରେ ସର୍ବାଧିକ ଡିଜିଟାଲ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରୀ କରୁଥିବା ମହିଳା ଏବଂ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଏହା ବ୍ୟତୀତ କୌଣସି ସରକାର ଯୋଜନାରେ ମାସିକ ୧,୫୦୦ ଟଙ୍କା କିମ୍ବା ବାର୍ଷିକ ୧୮ ହଜାରରୁ ଅଧିକ ଆର୍ଥିକ ସହାୟତା ପାଉଥିବା ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ।

‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ପାଇଁ ପ୍ରଥମେ ମହିଳା ହିତାଧିକାରୀଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ର ଆଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିବାକୁ ହେବ। ହିତାଧିକାରୀଙ୍କ ସୁବିଧା ନିମନ୍ତେ ‘ସୁଭଦ୍ରା’ ଯୋଜନା ପାଇଁ ଏକ କଲସେଣ୍ଟର ଖୋଲାଯିବ। ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସମସ୍ତ ସୂଚନା ଏଠାରୁ ମିଳିପାରିବ ବୋଲି କୁହାଯାଇଥିଲା । ମାତ୍ର ଏହାର ଏସଓପିକୁ ବାରମ୍ବାର ଅପଡେଟ୍ ହେବା ପରେ ଏବେ ଦ୍ବନ୍ଦରେ ଅଛନ୍ତି ସାଧାରଣ ଜନତା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏବେ କେବେ ଏହାର ସମ୍ପୂର୍ଣ୍ଣ ତଥ୍ୟ ଆସିବ ।

Leave a Reply

Your email address will not be published. Required fields are marked *