ଭୁବନେଶ୍ବର, ୨୨/୧୨ : ପୁଣି ଓଡ଼ିଶାରେ ପାଣ୍ଡିଆନ ଝଡ଼ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ବହି ନବୀନ ପଟ୍ଟନାୟକ ବାୟୋଗ୍ରାଫି ଉଦଘାଟନ ଅବସରରେ ଏହି ଝଡ଼ ସୃଷ୍ଟି ହୋଇଛି । ବାୟୋଗ୍ରାଫିରେ କ’ଣ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ପାଇଁ କିପରି କସରତ ଚାଲିଥିଲା ଏବଂ ସେଥିରେ ପାଣ୍ଡିଆନଙ୍କ ଭୂମିକା କଣ ଥିଲା ତାହା ଉଲ୍ଲେଖ କରିଛନ୍ତି ରୁବେନ। ସେପଟେ ପ୍ରଚାର ବେଳେ ବିଜେଡିରେ କିପରି ନେତାଙ୍କୁ ଅଣଦେଖା କରାଯାଉଥିଲା ସେକଥା ବିସ୍ତୃତ ଭାବେ ଲେଖିଛନ୍ତି ରୁବେନ।ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ହୋଇଥିଲା।
ଏହି ଦୁଇ ପୁରୁଣା ସହଯୋଗୀ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ରାଜ୍ୟ ବିଜେପି ଏହି ଚର୍ଚ୍ଚାକୁ ଖଣ୍ଡନ କରୁଥିଲେ ବିଭିନ୍ନ ଘଟଣା କ୍ରମକୁ ନେଇ ଚର୍ଚ୍ଚା ଥମୁନଥିଲା। ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନିଜ ବହିରେ ଲେଖିଛନ୍ତି ପାଣ୍ଡିଆନ ମେଣ୍ଟ ଚାହୁଁଥିଲେ କିନ୍ତୁ ବିଜେପି ମନା କରିଥିଲା।ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚାକୁ ନେଇ ରୁବେନ ବାନାର୍ଜୀ ନିଜ ବହିରେ ଲେଖିଛନ୍ତି ଅଶ୍ବିନୀ ବୈଷ୍ଣବ ଓ ପିଏମଓର ଜଣେ ଓଡ଼ିଆ ଅଧିକାରୀଙ୍କ ଜରିଆରେ ମେଣ୍ଟ ପାଇଁ ପ୍ରୟାସ କରାଯାଇଥିଲା। ଭିକେ ପାଣ୍ଡିଆନ ଏଥିପାଇଁ ବହୁବାର ଚାର୍ଟାର୍ଡ ବିମାନରେ ଦିଲ୍ଲୀ ଯାଇ ଆଲୋଚନା କରି ଫେରୁଥିଲେ। ମେଣ୍ଟ ହେବା ଏକ ପ୍ରକାର ଚୂଡାନ୍ତ ହୋଇଥିଲେ ବି ରାଜ୍ୟ ବିଜେପି କିନ୍ତୁ ମେଣ୍ଟ ସପକ୍ଷରେ ନଥିଲେ ବୋଲି ନିଜ ବହିରେ ଦର୍ଶାଇଛନ୍ତି ରୁବେନ। ଆଉ ଏକଥା ମଧ୍ୟ ଦର୍ଶାଇଛନ୍ତି ରାଜ୍ୟ ବିଜେପି କେନ୍ଦ୍ର ନେତୃତ୍ୱଙ୍କୁ ବୁଝାଇବାକୁ ଚାହିଁଥିଲା କି ପାଣ୍ଡିଆନଙ୍କ ବିରୋଧରେ ଜନମତ ରହିଛି ଓ ଲୋକ ସରକାର ବଦଳେଇବାକୁ ଚାହୁଁଛନ୍ତି।ମେଣ୍ଟ ହେଲେ କଂଗ୍ରେସ ଫାଇଦାରେ ରହିବ।
ପାଣ୍ଡିଆନଙ୍କ ବିରୁଦ୍ଧରେ ହାୱା ଥିବାରୁ ଏହା ଫାଇଦା ଉଠାଇବାକୁ କେନ୍ଦ୍ର ନେତୃତ୍ୱଙ୍କୁ ବୁଝାଇଥିଲେ ରାଜ୍ୟ ନେତୃତ୍ୱ। କେବଳ ମେଣ୍ଟ ଚର୍ଚ୍ଚା ନୁହେଁ ନିର୍ବାଚନ ପୂର୍ବରୁ ଘଟିଥିବା ଅନେକ ଘଟଣା ସହ ବିଜେଡି ନିର୍ବାଚନ ହାରିବାର କାରଣ ବି ଅବତାରଣା କରିଛନ୍ତି ରୁବେନ୍। ବିଶେଷ କରି ଜନ ପ୍ରତିନିଧିଙ୍କୁ ପଛକୁ ରଖି ପ୍ରଚାର ମଇଦାନରେ କେବଳ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଥିଲା ବୋଲି କୁହାଯାଇଛି। କୌଣସି ତାରକା ପ୍ରଚାରକଙ୍କୁ ମଇଦାନରେ ଦେଖିବାକୁ ମିଳିନଥିବା ବେଳେ ସ୍ଥାନୀୟ ବିଧାୟକଙ୍କୁ ବି ଅଣଦେଖା କରାଯାଉଥିଲା। ଏହାକୁ ଅସ୍ତ୍ର କରି ପ୍ରଚାର କରିବା ସହ ଓଡ଼ିଆ ଅସ୍ମିତାକୁ ପ୍ରମୁଖ ପ୍ରସଙ୍ଗ କରି ନିର୍ବାଚନରେ ଫାଇଦା ନେଇଥିଲା ବିଜେପି। ବରିଷ୍ଠ ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀ ଏ ସବୁ କଥା ନିଜ ବହିରେ ଅବତାରଣା କରିଛନ୍ତି।
ଏ ବହି ଏବେ ଓଡ଼ିଶାରେ ପାଣ୍ଡିଆନଙ୍କ ନାଁକୁ ଚର୍ଚ୍ଚାକୁ ଆଣିଛି । ନବୀନ –ପାଣ୍ଡିଆନଙ୍କ କ’ଣ ସମ୍ପର୍କ ରହିଛି ତାହା ଏବେ ରହସ୍ୟ ଘେରରେ ।