ଭୁବନେଶ୍ବର, ୨୧/୧୨ : ରାଜ୍ୟ କଂଗ୍ରେସରେ ଏବେ ଚାଲିଛି କ’ଣ ? ଏହାକୁ ନେଇ କର୍ମୀ ତ କର୍ମୀ ସାଧାରଣରେ ଏବେ ଆଲୋଚନା ହେଲାଣି । ଓଡ଼ିଶାରେ କଂଗ୍ରେସରେ ସ୍ଥିତି କ’ଣ । ଏବେ କିଛି ଦିନ ହେବ ଆନ୍ଦୋଳନ ରତ ଯୁବ କର୍ମୀମାନେ ମୁରବୀ ହୀନ ଭାବେ କାମ କରୁଛନ୍ତି । ଘରର ମୁରବୀ ମିଳୁ ନାହାନ୍ତି । କେନ୍ଦ୍ରରୁ ହାଇକମାଣ୍ଡ ଏବେ ଯାଏଁ ଛିଣ୍ଡାଇପାରୁ ନାହାନ୍ତି କିଏ ହେବ ରାଜ୍ୟ କଂଗ୍ରେସର ମୁଖିଆ । କାହାକୁ ଭରସା କରିବେ ନେତା ଓ କର୍ମୀ । ବିଗତ ୨୪ବର୍ଷ ହେବ ରାଜ୍ୟରେ କଂଗ୍ରେସ ଉଠିପାରୁନି । ଯେମିତି ଏବେ ନେତା ପ୍ରବଳ କଥା ପ୍ରବଳରେ ଚାଲିଛି ଦଳ ।
ନିର୍ବାଚନ ପରେ ରାଜ୍ୟରେ କଂଗ୍ରେସର ଗତି କୁଆଡେ ସ୍ପଷ୍ଟ ହେଉନି । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଅଧିକ ବିଧାୟକ ବିଧାନସଭାକୁ ଆସିଥିଲେ ବି ରାଜ୍ୟର ପ୍ରମୁଖ ପ୍ରସଙ୍ଗରେ ସେମାନଙ୍କ ସ୍ବର ଶୁଭୁନି । ଲାଗୁଛି ଯେମିତି କୋମାକୁ ପଳାଇଛି ରାଜ୍ୟ କଂଗ୍ରେସ । ରାଜ୍ୟର ବଡ ବଡ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ତ ଦୂରର କଥା ତୁଙ୍ଗ ନେତାଙ୍କ ପାଟି ବି ଖୋଲୁନି। ରାଜ୍ୟ କଂଗ୍ରେସର ଏଭଳି ନୀରବତା ଅନେକ ପ୍ରଶ୍ନବାଚୀ ଛିଡା କରିଛି। ୨୪ ବର୍ଷ ହେଲା ରାଜ୍ୟରେ କ୍ଷମତା ଠାରୁ ଦୂରେଇ ରହିଛି କଂଗ୍ରେସ। ତଥାପି ଦଳ ହାଇକମାଣ୍ଡ ଓ ନେତାଙ୍କ ଚେତା ପଶିନି। ମାସ ମାସ ଧରି ପିସିସି ସଭାପତି ସହ ଅନ୍ୟ ପ୍ରମୁଖ ପଦ ଫାଙ୍କା ପଡିଛି। ରାଜ୍ୟସ୍ତରଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଯାଏଁ ଦଳୀୟ ନେତାଙ୍କର ଶିଥିଳ ପଡିଗଲାଣି ସ୍ବର। ବିଭିନ୍ନ ପ୍ରସଙ୍ଗରେ କିଛି ଛାତ୍ର ଓ ଯୁବ କଂଗ୍ରେସର କର୍ମୀ ରାସ୍ତାକୁ ଓହ୍ଲାଉଥିବା ବେଳେ ଦଳର ବରିଷ୍ଠ ନେତା ସାମ୍ନାକୁ ଆସିବାକୁ ସହଜ ଅନୁଭବ କରୁନାହାନ୍ତି। ଘରେ ବସି ଦଳର ଅଧୋପତନକୁ ଅନୁଭବ କରୁଛନ୍ତି କିନ୍ତୁ ଦାୟିତ୍ବ ନେବାକୁ ପଛଘୁଞ୍ଚା ଦେଉଛନ୍ତି
ପ୍ରକାଶ ଯେ, ସଭ୍ୟ ସଂଗ୍ରହ ଅଭିଯାନ ଜରିଆରେ ବିଜେପି ଓ ବିଜେଡି ନିଜ ଦଳର କଳେବରକୁ ବଢ଼ାଉଛନ୍ତି । ହେଲେ, ରାଜ୍ୟରେ କଂଗ୍ରେସ ସବୁ ଦଳୀୟ କାର୍ଯ୍ୟ ଛାଡି ମୁଖିଆ ଅପେକ୍ଷାରେ ଏଆଇସିସି ନିଷ୍ପତିକୁ ଚାହିଁ ବସିଛି । କେବେ ମୁଖିଆ ଚୟନ ହେବେ ଆଉ ସବୁ କିଛି ଠିକ୍ ଠାକ୍ ଚାଲିବ ତାହାକୁ ଏବେ ରାଜ୍ୟ କଂଗ୍ରେସ ଅପେକ୍ଷା କରିଛି ।