ବିଜେଡି ରାସ୍ତାରେ ବିଜେପି ; କପି-ପେଷ୍ଟରେ ଚାଲିଛି ସରକାର

ଭୁବନେଶ୍ବର,୬/୯ : ବିଜେଡି ଦୀର୍ଘ ୨୪ବର୍ଷ କାଳ ଲୋକଙ୍କୁ ମାଗଣା ବାଣ୍ଟି କ୍ଷମତାରେ ରହିବାକୁ ଶାସନର ଏକ ନୀତି କରିଥିବାବେଳେ ଏବେ ବିଜେପି ସେହି ରାସ୍ତାରେ ଚାଲିଛି । ବିଜେଡି ସରକାର କ୍ଷମତାରେ ତିଷ୍ଠି ରହିବାକୁ କୃଷକମାନଙ୍କୁ ଢାଲ କରିଥିଲେ ।

ପାଞ୍ଚବର୍ଷତଳେ କୃଷକମାନଙ୍କୁ ଟଙ୍କା ବାଣ୍ଟିବା ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା ନାଁରେ । ପ୍ରଥମେ କୁହାଯାଇଥିଲା ୫ଟି ଫସଲ ଋତୁରେ ୨୫ ହଜାର ଟଙ୍କା ମିଳିବ । ଅର୍ଥାତ୍‌ ଗୋଟେ ଥର ୫ ହଜାର । ପରେ ତାହା କମି ଆସିଲା ଦୁଇ ହଜାରକୁ । ଶେଷବେଳକୁ ବର୍ଷକୁ ଦୁଇଥର ୨ ହଜାର ଟଙ୍କାର କାଳିଆ ଟଙ୍କା ଚାଷୀଙ୍କୁ ପ୍ରଦାନ କରିପାରିଲେ ବିଜେଡି ସରକାର । କାଳିଆ ଯୋଜନାର ଲାଭ ଉଠାଇବାକୁ ୨୦୧୯ ମସିହାରେ କୃଷକମାନଙ୍କର ଯେମିତି ଭିଡ଼ ପରିଲକ୍ଷିତ ହୋଇଥିଲା ଏବେ ସୁଭଦ୍ରା ଯୋଜନା ଅଧିନରେ ସରକାରୀ ପଇସା ମାଗଣରେ ପାଇବାକୁ ରାଜ୍ୟରେ ଜନସାଧାରଣଙ୍କ ଭିତରେ ସେମିତି ବ୍ୟାକୁଳତା ଓ ଭିଡ଼ ପରିଲକ୍ଷିତ ହୋଇଛି । ମାତ୍ର ଏହା ଭିତରେ ବିଜେପିର ପ୍ରତିଶ୍ରୁତି ଓ ସୁଭଦ୍ରା ଯୋଜନାର ବାସ୍ତବ ରୂପ ଭିତରେ ଯେ ଆକାଶ ପାତାଳ ଫରକ ଆସିଗଲାଣି ସେ ନେଇ କେହି ବି ପ୍ରଶ୍ନ କରୁନାହାନ୍ତି । ଲୋକେ ମାଗଣା ଟଙ୍କାର ଲୋଭରେ ମୋହଗ୍ରସ୍ତ । ବିଜେପି ତା’ର ନିର୍ବାଚନ ପ୍ରତିଶ୍ରୁତି ପ୍ରଦାନ ସମୟରେ କହିଥିଲା ‘ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲାଗି ଦଳ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଏକ କ୍ୟାସ୍‌ ଭାଉଚର ପ୍ରଦାନ କରିବ । ଉକ୍ତ କ୍ୟାସକୁ ମହିଳାମାନେ ୫ ବର୍ଷରେ ଖର୍ଚ୍ଚ କରିପାରିବେ । ଏକଥା ସବୁ ବିଜେପି ନେତାମାନେ ବୁଲି ବୁଲି ରାଜ୍ୟସାରା ପ୍ରଚାର କରିଥିଲେ । ଏକକାଳୀ[ ୫୦ ହଜାର ଟଙ୍କାର କ୍ୟାସ୍‌ ଭାଉଚର ୫ ବର୍ଷ ଲାଗି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ ଉତ୍ସାହିତ ହୋଇ ଉକ୍ତ ୫୦ ହଜାର ଟଙ୍କା ଦୁଇବର୍ଷ ଲାଗି ବୋଲି କହିଥିଲେ । ମହିଳାମାନେ ଉତ୍ସାହିତ ହେଲେ, ବିଜେଡିର ମହିଳା ଭୋଟ୍‌ ବ୍ୟାଙ୍କ ଭାଙ୍ଗିଲା । ବିଜେପି ସରକାର ଆସିଲା । ମାତ୍ର ହେଲା କ’ଣ ? ଏବେ ସୁଭଦ୍ରା କ୍ୟାସ ଭାଉଚର ରୂପେ ନେଇଛି ବର୍ଷକୁ ଦୁଇଟି କିସ୍ତିରେ ପାଞ୍ଚ ହଜାର । ସେତକ ବି ପାଇବା ଲାଗି ଯାବତୀୟ କେଳେଙ୍କାରୀ । ବିଶେଷକରି ଆଧାର-ମୋବାଇଲ ସଂଯୋଗ, ବ୍ୟାଙ୍କରେ ଆକାଉଣ୍ଟ ରହିବା ଭଳି ସର୍ତ୍ତକୁ ନେଇ ଏବେ ଗାଁ ଗହିଳିର ଡାକଘର, ଆଧାର ସଂଶୋଧନ କେନ୍ଦ୍ର, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଆଦିରେ ନାହିଁ ନଥିବା ଗହଳି । ସରକାର ଏବେ ପୁରା ସୁଭଦ୍ରା ମନସ୍କ । ମାସକୁ ମହିଳାମା[ଙ୍କୁ ଟଙ୍କା ଆଠଶହ ହେବା ଲାଗି ପୂରା ପ୍ରଶାସନ ଅଣ୍ଟା ଭିଡ଼ିଛି । ସୁଭଦ୍ରା ଯୋଜ[ାର କାର୍ଯ୍ୟକାରିତା ସଂପର୍କରେ ଅଗ୍ରଗତି କିପରି ରହିଛି, ସେ ସଂପର୍କରେ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନରଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଭାସୀ ବୈଠକ ମାଧ୍ୟମରେସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ସୁଭଦ୍ରା ଯୋଜନା ସଂପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ସେପେଫମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନା ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଲାଗି ପ୍ରଶାସନବ୍ୟସ୍ତ ।

ଏହାର ସିଧା କିଭଳି ପ୍ରସାରଣ ହେବ, ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ ସଚେତନତା ରଥ ସେପ୍ଟେମ୍ବର ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ, ସଚେତନତା ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ, ଫଳରେ ଜନ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ଏ ନେଇ ସରକାର ଯେଉଁଭଳି ଭାବେ ପ୍ରଚାର ଆରମ୍ଭକରିଦେଇଛନ୍ତି ତାହା ରାଜ୍ୟର ବୁଦ୍ଧିଜୀବୀ ଓ ସଚେତନ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । କେବଳ ସେତିକି ନୁହେଁ ଲୋକଙ୍କ ଆଗ୍ରହକୁ ଦେଖି ସରକାର ଠିକ୍‌ ଧରିନେଲେଣି ସୁଭଦ୍ରା ହିଁ ବିଜେପି ସରକାରକୁ ମାଇଲେଜ ଦେବ । ସେଥିଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ସୁଭଦ୍ରା ଏହି ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । ସବୁ କମ[ ସର୍ଭିସ୍‌ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ସୂଚନା ପ୍ରଚାର ପତ୍ର ଉପଲବ୍ଧ ହେବା ସହିତ ପୋଷ୍ଟର,ବ୍ୟା[ର ଆଦି ଲଗାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଗୁଡ଼ିକ ଯେପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ଅତ୍ୟଧିକ ଜନ ଗହଳି ହେବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଯୋଜନାର ପ୍ରଚାର ଲାଗି ତଥା ସମସ୍ତ ଅଧିକାରୀଙ୍କୁ ଯୋଜନା ସଂପର୍କିତ ଏକ୍ସ, ଇନଷ୍ଟାଗ୍ରାମ, ଫେସବୁକ ଏବଂ ୟୁଟ୍ୟୁବରେ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଫଲୋ କରିବା ସହିତ ପ୍ରକୃତ ତଥ୍ୟ ଅନୁସରଣ କରିବା , ଜିଲ୍ଲାସ୍ତରରେ, ବ୍ଲକ ଓ ବିଭିନ୍ନ ସ୍ତରରେ ପ୍ରେସ୍‌ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମ ଜରିଆରେ ଜନସାଧାରଣ ତଥା ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ସଠିକ ସୂଚନା ପ୍ରଦାନ କରିବାକୁ ସରକାର ଆଗେଇ ଆସିଛନ୍ତି ।ତେବେ ଏହା ଭିତରେ ସରକାର କେତେ ଦିନ ଯାଏଁ ଏମିତି ଟଙ୍କା ବାଣ୍ଟି ପାରିବେ ତାକୁ ନେଇ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଛି । ରାଜ୍ୟସରକାର ଜନସାଧାରଣଙ୍କ ବିକାଶ ନିମନ୍ତେ ବଣ୍ଟାବଣ୍ଟି କାର୍ଯ୍ୟକ୍ରମ ପରିହାର କରି ବାସ୍ତବ ଯୋଜନା ଆପଣାଇବା ଆବଶ୍ୟକ ଏତକ ସରକାରଙ୍କୁ ବୁଝାଇବା ଭଳି ଗଣମାଧ୍ୟମ ନାହିଁ ବା ବୁଦ୍ଧିଜୀବୀ ନାହାନ୍ତି ଅଥବା ଥିଲେ ସରକାର ଶୁଣିବା ଅବସ୍ଥାରେ ନାହାନ୍ତି ।

ଲୋକମାନଙ୍କୁ ଟଙ୍କା ବାଣ୍ଟିଲେ ତାହା ସେମାନଙ୍କର ସ୍ୱଳ୍ପସମୟ ଲାଗି ସମସ୍ୟାର ସମାଧାନ କରିପାରିବ । ମାତ୍ର ସେମାନଙ୍କୁ ଦୀର୍ଘ ସ୍ଥାୟୀ ଲାଭ ପ୍ରଦାନ କରିବ ନାହିଁ । ଦୀର୍ଘ ୨୪ ବର୍ଷ କାଳ ରାଜ୍ୟରେ ଏକ ସ୍ଥିର ସରକାର ରହିଥିଲେ ବି ଲୋକେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇ ପାରି ନାହାନ୍ତି ବୋଲି ଆଜି ମାସକୁ ମାତ୍ର ହଜାରେ ଟଙ୍କା ପାଇବା ଲାଗି ଧାଁଧଉଡ ଲଗାଇଛନ୍ତି । ଏହା ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଆଦୌ ଶୁଭଙ୍କର ନୁହେଁ । ସରକାର ଲୋକଙ୍କ ବିକାଶ ଲାଗି କାର୍ଯ୍ୟ କରିବା ଆବଶ୍ୟକ । ମାତ୍ର ରାଜାଭଳି ଟଙ୍କା ବାଣ୍ଟିବା ନୁହେଁ । ରାଜ୍ୟରେ ଭରି ରହିଛି ବହୁମୂଲ୍ୟ ପ୍ରାକୃତିକ ସଂପଦ । ପ୍ରକୃତି କୌଣସିଗୁଣେ ରାଜ୍ୟକୁ ହତାଦର କରିନି । ମାତ୍ର ଇଚ୍ଛାଶକ୍ତି, ସ୍ୱଚ୍ଛ ତଥା ଉତ୍ତରଦାୟୀ ପ୍ରଶାସନର ଅଭାବ ହେତୁ ରାଜ୍ୟର ଏ ଦୁର୍ଦ୍ଦଶା । ରାଜ୍ୟସାରା ଦୁର୍ନୀତି ବ୍ୟାପି ଯାଇଛି । ଚାଷୀମା[ଙ୍କ ଲାଗି ଆସୁଥିବା ଅନୁଦାନକୁ ସରକାରୀ କର୍ମଚାରୀ ବାଟମାରଣା କରୁଛନ୍ତି । ସରକାର ଯୋଜନା ପରେ ଯୋଜନା କରୁଛନ୍ତି ମାତ୍ର ଲୋକଙ୍କ ନିକଟରେ ସେ ଯୋଜନାର ୧୦ ପ୍ରତିଶତ ବି ପହଞ୍ଚିପାରୁନି । ଏଭଳି ଅବ୍ୟବସ୍ଥାର ପରିସମାପ୍ତି ହେବା ଦରକାର।

Leave a Reply

Your email address will not be published. Required fields are marked *