ଭୁବନେଶ୍ବର,୧୮/୪ : ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ନବମ ଥର ଲାଗି ବିଜେଡିର ସଭାପତି ହେବେ ନବୀନ ପଟ୍ଟନାୟକ । ବିଧିବଦ୍ଧ ଘୋଷଣା ପରେ ବିଜେଡିର ନବକଳେବର କରିବେ ନବୀନ । ରାଜ୍ୟ କାର୍ଯ୍ୟକାରିଣୀ ସହ ବିଜେଡି ସାଙ୍ଗଠନିକ ଢାଞ୍ଚାରେ ନବୀନ କି ପରିବର୍ତ୍ତନ ଆଣିବେ ତାକୁ ନେଇ ଜାରି ରହିଛି ସସପେନ୍ସ । ଦଳର ବରିଷ୍ଠ ନେତାଙ୍କ ଯୁକ୍ତି ହେଉଛି, ନବୀନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ଚାହୁଁଛନ୍ତି । ତେଣୁ ପଦ ପଦବୀ ନୁହେଁ, ବିଜେଡିର ସମସ୍ତ ନେତା ଓ କର୍ମୀ ଏକ ହୋଇ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସଂକଳ୍ପ ନେବେ ।
ଏହାସହ ଆସନ୍ତାକାଲି ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ ।ଆସନ୍ତାକାଲି ନବମ ଥର ପାଇଁ ବିଜେଡିର ସଭାପତି ହେବେ ନବୀନ ପଟ୍ଟନାୟକ । ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ହେବେ ନିର୍ବାଚିତ । ରାଜ୍ୟ ପରିଷଦ ବୈଠକ ପରେ ସଭାପତିଙ୍କ ନାଁ ଘୋଷଣା କରାଯିବ । ସଭାପତି ହେବା ପରେ ନବୀନ ନିଜର ନୂଆ ଟିମ ଗଢିବେ । ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆ ରୂପ । ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବା କଥା, ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି ।
ତେଣୁ ବିଜେଡି ପୁଣି ଥରେ ତାଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ସେବା କରିବା ସହ ହକ ପାଇଁ ଲଢ଼େଇକୁ ଜୋରଦାର କରିବ । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ କାମ କରୁଛି ଓ କରୁଥିବ ବୋଲି କହିଛନ୍ତି ବିଜେଡି ନେତା ।ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି । ଆଗକୁ ନବୀନ ବିଜେଡି ସଙ୍ଗଠନରେ ନୂଆ ପଦବୀ ସୃଷ୍ଟି କରିବେ କି ନାହିଁ ତାକୁ ନେଇ ଜାରି ରହିଛି ସସପେନ୍ସ ।
