‘ଅପରେସନ ଲୋଟୋସ’ କବଳରେ ବିଜେଡି, ଆଗକୁ କିଏ ?

ଭୁବନେଶ୍ୱର,୧0/୯ : ଓଡିଶାରେ ଚାଲିଥିବା ‘ଅପରେସନ ଲୋଟୋସ’ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ବିଜେଡିର ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେପି ଖୁଆଡକୁ ଯାଇଥିବାବେଳେ ଏହାପରେ ପୁଣି କାହା ପାଳି ସେ ‌ନେଇ ସାଧାରଣ ଲୋକ ଚର୍ଚ୍ଚା କରୁଛନ୍ତି । ପ୍ରକାଶ ଯେ ଗତ ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ସରକାର ଗଠନ କରିଥିବାବେଳେ ଲୋକସଭାର ୨୧ଟି ଆସନ ମଧ୍ୟରୁ ୨୦ଟି ପୋଛି ନେଇ ବିଜେପି ଖାତା ଖାଲି କରି ଦେଇଛି ।

ଏହାପରେ କେତେକ ପୌର ଓ ପଞ୍ଚାୟତିରାଜ ସଂସ୍ଥା ଦଖଲ ପାଇଁ ଉଦ୍ୟମ ଚାଲିଥିବାବେଳେ କେବଳ କଳାହାଣ୍ଡିରେ ବିଜେଡି ବେଦଖଲ ହୋଇଥିବାବେଳେ ଅବିଭକ୍ତ ଫୁଲବାଣୀ ଜିଲ୍ଲାରେ ବିଜେପିକୁ ଝଟକା ଲାଗିଛି । ପୁରୀ ଜିଲ୍ଲାର ନିମାପଡା ଏନଏସିକୁ କବଜା କରିବାପାଇଁ ବିଜେପି ପକ୍ଷରୁ ଯେଉଁ ଉଦ୍ୟମ ହୋଇଥିଲା ତାହା ଅକସ୍ମାତ ବିଫଳ ହୋଇଥିବାବେଳେ ଆଉ କେତେଗୁଡିଏ ପଞ୍ଚାୟତ ଓ ପୌରସଂସ୍ଥା ଉପରେ ଏବେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ନଜର । ବିଜେଡି ସହଯୋଗରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଦୁଇ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ।ରାଜ୍ୟସଭାରେ ବିଜେଡିର ନଅ ଓ ବିଜେପିର ଜଣେ ମାତ୍ର ସାଂସଦ ଥିଲେ ।

ମମତା ମହାନ୍ତ ଓ ସୁଜିତ କୁମାର ବିଜେଡିରୁ ଇସ୍ତଫା ଦେବା ପରେ ଦଳର ସଂଖ୍ୟା ୭କୁ ହ୍ରାସ ପାଇଛି । ଅନ୍ୟ ପକ୍ଷରେ ମମତା ମହାନ୍ତ ବିଜେପି ପ୍ରାର୍ଥୀ ଭାବେ ପୁନର୍ବାର ନିର୍ବାଚିତ ହେବା ଫଳରେ ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୨କୁ ବଢିଥିଲା । ଏବେ ସୁଜିତ କୁମାରଙ୍କ ଇସ୍ତଫା ଜନିତ କାରଣରୁ ଖାଲି ହୋଇଥିବା ଆସନ ସଂଖ୍ୟା ଦୃଷ୍ଟିରୁ ବିଜେପି ଦଖଲ କରିବାର ଢେର ସମ୍ଭାବନା ଥିବାରୁ ରାଜ୍ୟସଭାରେ ଓଡିଶା ବିଜେପିର ସଂଖ୍ୟା ୩କୁ ବୃଦ୍ଧି ପାଇପାରେ । ମମତା ମହାନ୍ତଙ୍କୁ ପୁର୍ନବାର ରାଜ୍ୟସଭା ପ୍ରାର୍ଥୀ କରି ବିଜେପି ସଙ୍କେତ ଦେଇଛି ଯେ ବିଜେଡି ଛାଡି ଆଉ ଯେଉଁ ରାଜ୍ୟସଭା ସାଂସଦ ଆସିବେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ପୁଣି ବିଜେପି ଟିକଟରେ ରାଜ୍ୟସଭାକୁ ପଠାଯିବ । ସୁଜିତ କୁମାରଙ୍କ କ୍ଷେତ୍ରରେ ଏହି ନୀତି ଆପଣାଇଲେ ପୁଣି ଦଳ ନୂଆ ଶିକାର କରିପାରେ ବୋଲି ଚର୍ଚ୍ଚା ଚାଲିଛି । ଗତ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି ଆସନରେ ଜିଣିଥିବାବେଳେ ଆଉ ତିନି ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ହାସଲ କରି ସଂଖ୍ୟା ୮୧କୁ ବଢାଇଛି । ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧି ଦଳ ବିଜେଡିର ବିଧାନସଭାରେ ୫୧ଜଣ ସଦସ୍ୟ ଅଛନ୍ତି ।

ଦଳ ବଦଳ ନିରୋଧ ଆଇନ୍ ଯୋଗୁଁ ବିଜେଡି ବିଧାୟକଦଳକୁ ଭାଙ୍ଗିବା ବିଜେପି ପକ୍ଷରେ ଏତେଟା ସହଜ ନୁହେଁ । ଅତୀତରେ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ କିଛି କଂଗ୍ରେସ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଏବଂ ପରବର୍ତ୍ତୀ ଉପନିର୍ବାଚନରେ ଫଳ ଯାହା ହେଲା ତାହା ସମସ୍ତଙ୍କୁ ଜଣା । ଏହି ପରିପ୍ରେକ୍ଷୀରେ ବିଜେଡି କିମ୍ବା କଂଗ୍ରେସର କୌଣସି ବିଧାୟକ ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ମିଶି ପୁଣି ଉପନିର୍ବାଚନ ଲଢି ଜିଣିବା ସହଜ ବ୍ୟାପାର ନୁହେଁ ।ତେବେ ଦଳବଦଳ ନିରୋଧ ଆଇନରେ ଥିବା ବ୍ୟବସ୍ଥା ମୁତାବକ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଧାୟକ ଏକ ଗୋଷ୍ଠି ଗଠନ କରି ଏକକାଳୀନ ବିଜେପିରେ ଯୋଗଦେଲେ ସେମାନଙ୍କ ସଭ୍ୟ ପଦ ରଦ୍ଦ ହେବା ସମ୍ଭାବନା ନାହିଁ । ତେବେ ମହାରାଷ୍ଟ୍ରରେ ଶିବସେନା ଓ ଏନ୍‌ସିପିର ବିଭାଜନ ପରେ ସଭ୍ୟପଦ ରଦ୍ଦ ପ୍ରସଙ୍ଗକୁ ଘେନି ଯେଉଁ ବିବାଦ ଲାଗି ରହିଛି ତାହାକୁ ଆଖିଆଗରେ ରଖି କେହି ହଠାତ୍ ରିସ୍କ ନେଇ ନପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରୁଛନ୍ତି ।

ଅନ୍ୟପକ୍ଷରେ ତିନି ପ୍ରମୁଖ ରାଜନୈତିକଦଳ ମଧ୍ୟରେ ଅସନ୍ତୋଷ କୁହୁଳୁଥିବାରୁ ଭବିଷ୍ୟତ କ’ଣ ହେବ ତାହା ଅନିଶ୍ଚିତ ।