ଭୁବନେଶ୍ବର,୧୪/୧୧ : ମାସ କେଇଟା ଯାଇନି । ପୁଣି ଗନ୍ଧେଇଲାଣି ଅଧା ସହର । ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ(ଟିଟିଏସ୍) ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ ଏବେ ସହରବାସୀଙ୍କ ନିଦ ହଜାଇ ଦେଲାଣି । ରାତି ହେଉ କି ଦିନ, ସବୁବେଳେ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି ଅଞ୍ଚଳବାସୀ । ନିକଟବର୍ତ୍ତୀ ଗାଁ, କଲୋନି, ଆପାର୍ଟମେଣ୍ଟର ଲୋକେ ଦୁଇ ମାସ ହେଲା ଦୁର୍ଗନ୍ଧରେ ଆଉଟୁପାଉଟୁ ହେଉଛନ୍ତି । ଦିନ ସମୟରେ ସୂର୍ଯ୍ୟଙ୍କ କିରଣ ପଡ଼ୁଥିବାରୁ ଦୁର୍ଗନ୍ଧରୁ ଟିକିଏ ନିସ୍ତାର ମିଳୁଛି । ନ ହେଲେ ୧୪ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ଅସହ୍ୟ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ସ୍ମାର୍ଟସିଟି ବାସିନ୍ଦା । ଆଚାର୍ଯ୍ୟବିହାର-ସୈନିକ ସ୍କୁଲଡମଣା ରାସ୍ତା, ଓମ୍ଫେଡ୍ ଛକରୁ ରଙ୍ଗମାଟିଆ, ମଞ୍ଚେଶ୍ୱର ଷ୍ଟେସନ୍ରୁ ଭିଏସ୍ଏସ୍ନଗର ଦେଇ ରସୁଲଗଡ଼, ଆଚାର୍ଯ୍ୟ ବିହାରରୁ ପଳାସୁଣୀ ପର୍ଯ୍ୟନ୍ତ ରାସ୍ତାରେ ଯିବା ସମୟରେ ଲୋକେ ନାକରେ କପଡ଼ା ଲଗାଇ ଯାଉଛନ୍ତି । କେହି କେହି ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଉଥିବା ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଦୁର୍ଗନ୍ଧରେ ନାକ ରୁନ୍ଧି ହୋଇଯାଉଥିଲେ ମଧ୍ୟ ସମସ୍ତେ ଚୁପ୍ । ପରିବେଶ ପ୍ରଦୂଷଣ ଉଲ୍ଲଂଘନ କରୁଥିବା ଅନୁଷ୍ଠାନ/ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍ପିସିବି)ଙ୍କୁ ଦିଆଯାଇଥିଲେ ମଧ୍ୟ ଏଠାରେ ତାହା କାର୍ଯ୍ୟକାରୀ ହେଉନାହିଁ । ଦୁର୍ଗନ୍ଧରେ ସହରର ପ୍ରାୟ ୩ ଲକ୍ଷ ଲୋକ ପ୍ରଭାବିତ ହେଉଥିଲେ ମଧ୍ୟ ଓଏସ୍ପିସିବି ଅଧିକାରୀମାନେ ସେଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନାହାନ୍ତି । ୩ରୁ ୪ ମାସ ମଧ୍ୟରେ ଅଳିଆ ପାହାଡ଼ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ମହାନଗର ନିଗମ ସହରବାସୀଙ୍କ ଜୀବନ ସହ ଖେଳୁଛି ।
ସେପଟେ ଓଏସ୍ପିସିବି ସମେତ ଅନ୍ୟାନ୍ୟ ସରକାରୀ ସଂସ୍ଥା ଲୋକଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆବର୍ଜନା ନେଇ ଏନ୍ଜିଟିରେ ମାମଲା ହୋଇଥିଲେ ମଧ୍ୟ କୌଣସି ସୁଫଳ ହେଲା ନାହିଁ । କାର୍ଯ୍ୟାନୁଷ୍ଠାନ ବଦଳରେ କ୍ଲିନ୍ଚିଟ୍ ଦେଇ ଚୁପ୍ ବସିପଡ଼ିଲେ । ପରିଣାମ ଏବେ ସହରବାସୀ ଭୋଗୁଛନ୍ତି । ଲକ୍ଷାଧିକ ଲୋକ, ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍ଆରସି) ଓ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍ସିପିସିଆର) ନିରବ ସାଜିଛନ୍ତି । ଟିଟିଏସ୍ ସ୍ଥାନାନ୍ତର ଦାବିରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟମାନେ ଗତବର୍ଷ ଏହି ଦୁଇ ଆୟୋଗଙ୍କୁ ସାକ୍ଷାତ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଟିଟିଏସ୍ ନିକଟରେ ଥିବା ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ରେଲୱେ କଲୋନି ହାଇସ୍କୁଲ ସମେତ ୪ରୁ ଅଧିକ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି । ନିକଟରେ ଥିବା ବସ୍ତିର ଶତାଧିକ ଶିଶୁଙ୍କୁ ରୋଗ ମାଡ଼ିବସିଥିବା ବେଳେ ଓଏସ୍ସିପିସିଆରର ନିରବତାକୁ ନେଇ ଅନେକ ସନ୍ଦେହ ଉପୁଜିଛି । ଜନପ୍ରତିନିଧିମାନେ ମଧ୍ୟ ସବୁ ଜାଣି ଏବେ ନିରବ ।
ଅଳିଆ ଗଦା ହଟାଇବାକୁ ପ୍ରତିଶ୍ରୁ୍ତି ଦେଇ ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଳିଆ ଉଠାଇବା ଦିଗରେ ଆଦୌ ପଦକ୍ଷେପ ଗ୍ରହଣ କରି ନାହିଁ । ଅଞ୍ଚଳବାସୀଙ୍କ ଅଭିଯୋଗ ହେଉଛି ଯେ ୨୦୦୬ରେ ଏଠାରେ ଜୋର ଜବରଦସ୍ତି କରାଯାଇଥିବା ଅସ୍ଥାୟୀ ଅଳିଆ ଗଦା ଏବେ ସ୍ଥାୟୀ ଭାବେ ପରିଚାଳିତ ହେଉଛି । ଭୁଆସୁଣୀ ଡମ୍ପିଂୟାର୍ଡକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଳିଆ ଯିବା ବନ୍ଦ ହେବା ପରେ ଟିଟିଏସ୍ରେ ପାହାଡ଼ର ଭ୍ରମ ସୃଷ୍ଟି ହୋଇଛି । ଏହି ଅଳିଆ ପାହାଡ଼ ଦ୍ୱାରା ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହେବା ସହ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକ ବହୁ ମାତ୍ରାରେ ପ୍ରଭାବିତ ହେଉଛି । ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯିବା ସହ ସହରର ଅଳିଆକୁ ଅନ୍ୟତ୍ର ପକାଇବାକୁ ଦାବି ହୋଇଥିଲା ।ଇତିମଧ୍ୟରେ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କେହି ବି ପଦକ୍ଷେପ ନେଇନାହାନ୍ତି । ବରଂ ଏବେ ଦିନକୁ ଦିନ ଅଳିଆ ପରିମାଣ ବଢ଼ିବାରେ ଲାଗିଛି । ଦିନେ ଟିଟିଏସ୍ର ୨୦୦ ଫୁଟ୍ର ଗଦା ମାଟିରେ ମିଶିଯାଇଥିଲା ଆଜି ସେଠାରେ ୧୦୦ ଫୁଟ ଉଚ୍ଚାର ଅଳିଆ ଜମା ହୋଇଛି । ଭିଏସ୍ଏସ୍ନଗରକୁ ଲାଗି ଜମା ହେଉଥିବା ଅଳିଆ ୪ ମାସ ହେଲା ଖେଳା ଯାଉ ନଥିବାରୁ ଏହି ଅଞ୍ଚଳବାସୀ ଆବର୍ଜନା ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି ।
ଅଳିଆ ପରିଚାଳନା ଠିକ୍ ଭାବେ ହେଉ ନ ଥିବାରୁ ଦୁର୍ଗନ୍ଧ ସାରା ଅଞ୍ଚଳରେ ଏବେ ପୁଣିଥରେ ପୂର୍ବ ସ୍ଥିତି ଉପୁଜିଲାଣି ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେବେ ବିଏମ୍ସିର କଥା ହେଉଛି, ଏନ୍ଜିଟି ଆଦେଶର ଉପଯୁକ୍ତ ଅନୁପାଳନ କରାଯାଉଛି । ତେବେ ଲଗାତାର ବର୍ଷା ଯୋଗୁ ଆବର୍ଜନା ପରିଚାଳନା ବନ୍ଦ ରହିଥିଲା, ସେଥିପାଇଁ ସମସ୍ୟା ହୋଇଛି । ଆଜିଠାରୁ ଆମେ ପରିଚାଳନା ଆରମ୍ଭ କରୁଛୁ । ସମସ୍ୟାର ତୁରନ୍ତ ସମାଧାନ ହେଉଛି ।