ଜାନୁଆରୀରେ ମୋହନ ସରକାରଙ୍କ ସମ୍ପ୍ରସାରଣ

ଭୁବନେଶ୍ୱର,୧୫/୧୧ : ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ଭାରତୀୟ ଜନତାପାର୍ଟି ଏକାକୀ ସରକାର ଗଠନ କରିଛନ୍ତି । ଓଡ଼ିଶାରେ ଦୀର୍ଘ ୪୪ ବର୍ଷର ଲଢ଼େଇ ପରେ ବିଜେପିକୁ ମିଳିଥିବା ଏହି ସଫଳତା ଲୋକଙ୍କ ପାଇଁ କେତେ କଲ୍ୟାଣକାରୀ ହେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଯିବ । ଗତ ଜୁନ୍‌ ମାସରେ ସରକାର ଦାୟିତ୍ୱ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଓଡ଼ିଶା ଏକ ନୂଆ ଆଶା ଓ ସମ୍ଭାବନାକୁ ନେଇ ଆଗକୁ ଗଡି ଚାଲିଛି । ପୂର୍ବ ସରକାରରେ ହୋଇଥିବା କେତେକ ଦୁର୍ନୀତି ଓ ଅନୀୟ ମିତତା ଗତ ନିର୍ବାଚନରେ ବିଜେପିକୁ ବିଜୟର ସଫଳତା ଦେଇଥିଲା ବୋଲି ରାଜନୈତିକ ମହଲରେ ଆଲୋଚନା ହୋଇସାରିଛି । ଜନକଲ୍ୟାଣ ପାଇଁ ନୂଆ ସରକାର ନେଉଥିବା ପଦକ୍ଷେପ ଏବେ ଲୋକାଦୃତ ହେଉଛି ବୋଲି ଆଲୋଚନା ଜାରୀ ରହିଛି । ମୋହନ ସରକାର କ୍ଷମତାକୁ ଆସିବା ମାତ୍ରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଦେବା ଧାନର କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଘୋଷଣା କରିବା ।

ମହିଳାମାନଙ୍କୁ ୫ବର୍ଷରେ ସୁଭ୍ରଦା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ କରିବା । ଜନଜାତି ବର୍ଗର ବିକାଶ ପାଇଁ ପେଶା ଆଇନ୍‌ ଲାଗୁ ରହିବା । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରି ଏଠାରୁ ଫେରି ଯାଇଥିବା ବହୁରାଷ୍ଟ୍ରୀୟ କମ୍ପାନୀ ପସ୍କୋକୁ ପୁର୍ନବାର ଫେରାଇ ଆଣି କେନ୍ଦୁଝରରେ ଶିଳ୍ପ ସ୍ଥାପନ କରବା । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମାଧ୍ୟମରେ ପୁଞ୍ଜିପତିଙ୍କୁ ଆକର୍ଷିତ କରିବା ବିଦେଶ ଗସ୍ତରେ ଯାଇ ସିଙ୍ଗାପୁରରୁ ପୁଞ୍ଜି ଆଣି ଓଡ଼ିଶାରେ ଶିଳ୍ପ ପ୍ରସାର ଲାଗି କରୁଥିବା ଉଦ୍ୟେମକୁ ଏବେ ସବୁ ମହଲରୁ ସ୍ୱାଗତ କରାଯାଉଛି । ଗତ ସରକାରରେ ୨୪ ବର୍ଷ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୯୯ଟି ବୁଝାମଣା ସ୍ୱାକ୍ଷର ହୋଇଥିଲେ ମଧ୍ୟ ତାହା ବାସ୍ତବ ରୂପରେଖ ନେବା ପୂର୍ବରୁ ଏଗୁଡିକର ଅର୍ନ୍ତଧ୍ୟାନ ପରେ ଏବେ ମୋହନ ସରକାର ଶିଳ୍ପ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ରାଜ୍ୟରେ ଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟି କରୁଥିବା ପଦକ୍ଷେପକୁ ସବୁ ମହଲରେ ଗ୍ରହଣ କରାଯାଇଛି ।ଓଡ଼ିଶା ଏକ ଖଣିଜ ସମ୍ପଦ ରାଜ୍ୟ ହୋଇଥିବାବେଳେ ଏଠାରେ ୪୮୦ କିଲୋମିଟର ଦର୍ଘ୍ୟ ବିଶିଷ୍ଟ ସମୁଦ୍ର ବେଳାଭୂମି, ପରପୁର ଜଙ୍ଗଲ, ଚିଲିକା ହ୍ରଦ ଭଳି ଅନେକ ଗୁଡିଏ ପ୍ରାକୃତିକ ବୈଭବକୁ ନେଇ ପର୍ଯ୍ୟଟନ ପାଇଁ ପ୍ରବଳ ସମ୍ଭାବନା ଥିବାବେଳେ ଏହି କ୍ଷେତ୍ରକୁ ଏବେ ଗୁରୁତ୍ୱ ଦିଆଯାଇଛି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଦେଶ ଗସ୍ତରେ ରହି ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ ପାଇଁ କରୁଥିବା ଉଦ୍ୟମ ନିଶ୍ଚୟ ପ୍ରଶଂସନୀୟ । ଓଡ଼ିଶାର ବେକାରୀ ସମସ୍ୟାକୁ ଦୂର କରିବା, ରାଜ୍ୟରୁ ନିଶା ନିବାରଣ କରିବା, ପ୍ରତ୍ୟେକ ବାସହୀନକୁ ଛାତ ଟିଏ ଯୋଗାଇ ଦେବା, କୃଷକର ଜମିକୁ ଜଳ ସହିତ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦେଲେ ସରକାର ନିଜର ଲୋକପ୍ରିୟତା ହାସଲ କରିବା ସମ୍ଭବନାକୁ କେହି ରୋକି ପାରିବେ ନାହିଁ । ଏହି ଦିଗକୁ ଦୃଷ୍ଟିରେ ରଖି ମୋହନ ସରକାର କେତେ ସଫଳତା ପାଉଛନ୍ତି ତାହା ଆସନ୍ତା ସମୟ କହିବ । ଏବେ ଚର୍ଚ୍ଚା ହେଉଛି କି ଜାନୁଆରୀରେ ମୋହନ ସରକାରଙ୍କ ସମ୍ପ୍ରସାରଣ ହେବ ବୋଲି ।

Leave a Reply

Your email address will not be published. Required fields are marked *