ଫେସବୁକରୁ ପରିଚୟ ପରେ ହେଲା ପ୍ରେମ, ଅଶ୍ଳୀଳ ଭିଡ଼ିଓ ରଖି ବ୍ଲାକ୍ ମେଲ୍ କରି ଗିରଫ ହେଲେ ପ୍ରେମିକ

ଭୁବନେଶ୍ବର,୨/୮ : ଫେସବୁକରୁ ପରିଚିତ ହେଲେ । ଫୋନ ନମ୍ବର ଦିଆ ନେଇ ହୋଇ କଥା ହେଲେ । ଧିରେ ଧିରେ ଏହା ପ୍ରେମ ଆଡ଼କୁ ଗତି କଲା । କଥା ଏତେ ବାଟ ଆଗେଇ ଗଲା ଯେ ଗାଁଯାଇ ଦେଖାହେଲେ ଆଉ ଯୁବକ ଜଣଙ୍କ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ । ପରେ ଅଶ୍ଳୀଳ ଭିଡ଼ିଓ ରଖି ବ୍ଲାକ୍ ମେଲ୍ କରିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଏକ ଘଟଣା ଘଟିଛି ପାହାଳ ଥାନା ଅଞ୍ଚଳରେ । ଘଟଣା ଅନୁଯାୟୀ, ଅଭିଯୋଗକାରିଣୀ ଜଣକ ପାହାଳ ଥାନା ଅଞ୍ଚଳରେ ପରିବାର ସହ ରୁହନ୍ତି । ଫେସବୁକ ଜରିଆରେ କଟକ ଜିଲ୍ଲା ବେଣ୍ଟକର ଥାନା ଅନ୍ତର୍ଗତ ୪୨ମଉଜାର ପ୍ରକାଶ ସାହୁ(୪୦)ଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ପରେ ଉଭୟ ଫୋନରେ କଥାବାର୍ତ୍ତା ହେଉଥିଲେ । ଇତି ମଧ୍ୟରେ ଗତ ୨୦୨୨ମସିହା ମଇ ମାସରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଗ୍ରାମକୁ ଯାଇ ତାଙ୍କୁ ସାକ୍ଷାତ କରିବା ସହିତ ପ୍ରେମ ନିବେଦନ କରିଥିଲେ । ପରେ ୨୦୨୩ ମସିହା ଜାନୁୟାରୀ ମାସରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଘରକୁ ଯାଇଥିବାବେଳେ, ସେଠାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ବାସ୍ ତା’ପରେ ତାଙ୍କ ଗାଧୁଆ ବେଳର ଭିଡ଼ିଓକୁ ତାଙ୍କ ଅଜାଣତରେ ନିଜ ମୋବାଇଲ ଫୋନରେ ଉତ୍ତୋଳନ କରିନେଇଥିଲେ । ପରେ ଅଭିଯୁକ୍ତ ଜଣକ ଉକ୍ତ ଗୋପନୀୟ ଭିଡିଓକୁ ମାଧ୍ୟମ କରି ଅଭିଯୋଗକରିଣୀଙ୍କୁ ବ୍ଲାକମେଲ କରିବା ସହ ତାଙ୍କ ଇଚ୍ଛା ବିରୋଧରେ ତାଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ । ଉକ୍ତ ଭିଡିଓକୁ ମୋବାଇଲରୁ ଡିଲିଟ୍ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୋଗକାରିଣୀଙ୍କ ନିକଟରୁ ସେ ମୋଟ ୪ ଲକ୍ଷ ଟଙ୍କା ନେଇଯାଇଥିଲେ । ଏହି ଘଟଣା ଫଳରେ ଅଭିଯୋଗକାରିଣୀ ଜଣକ ଗଭୀର ମାନସିକ ଚିନ୍ତାଗ୍ରସ୍ତ ହେବା ସହିତ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ତାଙ୍କ ସ୍ବାମୀ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କ କହିବା ଅନୁଯାୟୀ ଅଭିଯୋଗକାରିଣୀ ପାହାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନାପାଇ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରାଉଚରାବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ପାହାଳ ଥାନା ପୋଲିସ କେଶ ନଂ ୩୩୫/୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରଖିଛି ।