ନବୀନ ପଟ୍ଟନାୟକ : ଦୁଇ ଦଶନ୍ଧିର ରାଜନୈତିକ ଜୀବନ, ପ୍ୟାରୀ- ପାଣ୍ଡିଆନ

ଭୁବନେଶ୍ବର, ୧୧/୬ : ନବୀନଙ୍କ ରେକର୍ଡ଼ ଟ୍ରାକରେ ଲାଗିଲା ବ୍ରେକ୍ । ୨୪ବର୍ଷର ଶାସନର ଘଟିଲା ଅନ୍ତ । ଚଳିତ ସାଧରଣ ନିର୍ବାଚନରେ ବିଜେଡିକୁ ୫୧, ବିଜେପିକୁ ୭୮, କଂଗ୍ରେସକୁ ୧୪, ଅନ୍ୟଦଳକୁ ୪ ମିଳିଛି । ଏହାକୁ ନେଇ ଏବେ ବିଜେଡି ଶିବର ନିରାଶ ହୋଇପଡ଼ିଥିବାବେଳେ ବିଜେପି ଶିବରରେ ଉତ୍ସାହ ଦେଖାଦେଇଛି । ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟ ରାଜନୀତିରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଦେଖାଦେଇଛି । ବଦଳିଲା ଭୋଟରଙ୍କ ମନ । ବିଜେଡି ସରକାରକୁ କଲେ ବାଏ ବାଏ । ବିଜେପିକୁ କଲେ ସ୍ବାଗତ । ଯଦି ଓଡ଼ିଶା ରାଜନୀତିକୁ ଆମେ ଲକ୍ଷ କରିବା ତେବେ ଗତ ୨୦୦୦ମସିହାରୁ ନୋ ବ୍ରେକରେ ବିଜୟ ହୋଇ ଆସୁଥିଲେ ନବୀନ ପଟ୍ଟନାୟକ । ମାତ୍ର ଚଳିତ ନିର୍ବାଚନରେ ତାଙ୍କର ବିଜୟ ରଥ ଆଗକୁ ଗଡ଼ି ପାରିନି । ଚଳିତ ଥର ବିଜୟ ହୋଇଥିଲେ ଲଗାତର ଷଷ୍ଠଥର ପାଇଁ ହୋଇଥାନ୍ତେ ମୁଖ୍ୟମନ୍ତ୍ରୀ । ଆଉ ନବୀନ କରିଥାନ୍ତେ ଦେଶରେ ନୂଆ ରେକର୍ଡ଼ । ଯେଉଁଥିରେ ଏବେ ପୂର୍ଣ୍ଣଛେଦ ପଡ଼ିଛି । ଦେଶରେ ଯଦି ସବୁଠାରୁ ଅଧିକ ଦିନର ମୁଖ୍ୟମନ୍ତ୍ରୀଙ୍କ କଥା ଆମେ କହିବା ତେବେ ପ୍ରଥମେ ଆସିବେ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଂ । ସେ ୧୨ଡିସେମ୍ବର ୧୯୯୪ରୁ ୨୬ମେ ୨୦୧୯ ପର୍ଯ୍ୟନ୍ତ ରହିଥିଲେ । ଯାହାକି ୨୪ବର୍ଷ ୧୬୫ଦିନ ଥିଲେ । ସେହିଭଳି ଦ୍ବିତୀୟରେ ରହିଛନ୍ତି ଓଡ଼ିଶାର ପୂର୍ବତନ ନବୀନ ପଟ୍ଟନାୟକ । ସେ ୫ମାର୍ଚ୍ଚ ୨୦୦୦ରୁ ୫ଜୁନ୍ ୨୦୨୪ପର୍ଯ୍ୟନ୍ତ ରହିଥିଲେ । ଯେଉଁ ରେକର୍ଡ଼ରେ ଏବେ ବ୍ରେକ ଲାଗିଛି । ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର । ବିଜୁ ବାବୁଙ୍କ ଦେହାନ୍ତ ପରେ ନବୀନ ଓଡ଼ିଶା ରାଜନୀତିରେ ତାଙ୍କର ଭାଗ୍ୟ ପରୀକ୍ଷା କରିଥିଲେ । ୧୯୯୮ମସିହାରେ ପ୍ରଥମ ଥର ସେ ଲୋକସଭାକୁ ଆସ୍କା ଲୋକସଭାରୁ ସାଂସଦ ହୋଇଥିଲେ । ପରେ ୧୯୯୯ରେ ମଧ୍ୟ ସମାନ ଭାବେ ଆସ୍କା ଲୋକସଭାରୁ ସାଂସଦ ହୋଇ କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ପରେ ୧୯୯୭ ମସିହା ଡିସେମ୍ବର ୨୬ତାରିଖରେ ରାଜ୍ୟରେ ଜନ୍ମ ନେଇଥିଲା ‘ବିଜେଡି’ନାମକ ଏକ ଆଞ୍ଚଳିକ ଦଳ । ଯାହାର ମୁଖିଆ ହୋଇଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାସ୍ ଏଇଠୁ ଆରମ୍ଭ ହୋଇଥିଲା ତାଙ୍କ ବିଜୟ ଯାତ୍ରା । କ୍ରମାଗତ ଭାବେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯, ୨୦୨୪ନିର୍ବାଚନରେ ଜିତି ଆସିଛି ବିଜେଡି । ପ୍ରଥମେ ୨୦୦୦ ଏବଂ ୨୦୦୪ରେ ବିଜେପି ସହ ମେଣ୍ଟ କରି ବିଜେଡି ରାଜ୍ୟରେ ସରକାର ଚଳାଇବାରେ ସକ୍ଷମ ହୋଇଥିଲା । ମାତ୍ର ୨୦୦୯ରେ ନବୀନ ବିଜେପି ସହ ସମ୍ପର୍କ ତୁଟାଇ ଦେଇଥିଲେ । ଆଉ ରାଜ୍ୟରେ ନିଜ ବଳରେ ନିର୍ବାଚନ ଲଢିଥିଲେ । ସବୁ ନିର୍ବାଚନରେ ବହୁମତ ସହ ସରକାର ଗଢିବାରେ ସକ୍ଷମ ହୋଇଥିଲା ବିଜେଡି । ମାତ୍ର ଚଳିତ ନିର୍ବାଚନରେ ନବୀନଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି । ନବୀନ ଶାନ୍ତ ସରଳ ସ୍ବଭାବର ହୋଇଥିବାରୁ ସେ ସହଜରେ ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିଥାନ୍ତି । ଯାହାକୁ ନେଇ ସାରା ଦେଶରେ ଏକ ପ୍ରକାର କ୍ରେଜ ରହିଛି ତାଙ୍କର । ନିରନ୍ତର, ନିରବଛିନ୍ନ ଭାବେ ୨୪ବର୍ଷ ଧରି ଶାସନ ଭାର ନିଜ ପାଖରେ ରଖିବାରେ ସଫଳ ହୋଇଥିଲେ । ଯଦି ନୀବନଙ୍କ ରାଜନୈତିକ କ୍ୟାରିୟର କଥା ଆମେ ନଜର ପକାଇବା ତେବେ ତାଙ୍କ ରାଜନୈତିକ ଜୀବନରେ ଦୁଇଟି ନାଁ ବେଶ ଚର୍ଚ୍ଚାରେ ରହିଛି । ଗୋଟିଏ ହେଲା ପ୍ୟାରୀ ମୋହନ ମହାପାତ୍ର ଏବଂ ଅନ୍ୟଟି ଭି.କେ. ପାଣ୍ଡିଆନ । ପ୍ୟାରୀ ମୋହନଙ୍କ କଥା ଯଦି ଆମେ ନଜର ପକାଇବା ତେବେ ପ୍ୟାରୀ ଥିଲେ ବିଜେଡିର ଏକଦା ପାଓ୍ବାରଫୁଲ୍ । ଯାହାଙ୍କୁ ନେଇ ସେତେବେଳେ ବେଶ ଆଲୋଚନା ବି ହୁଏ । ୧୯୯୦ରୁ ୯୫ମସିହାରେ ଯେତେବେଳେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ସେହି ସମୟରେ ପ୍ୟାରୀ ମୋହନ ମହାପାତ୍ର ତାଙ୍କର ପ୍ରମୁଖ ସଚିବ ରୂପରେ କାମ କରୁଥିଲେ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ୟାରୀ ବାବୁ ବିଜେଡିରେ ସବୁ କିଛି ଦେଖୁଥିଲେ ।ପ୍ୟାରୀମୋହନ ମହାପାତ୍ର କଲେଜ ଜୀବନରୁ ଏଆଇଏସଏଫ ଭଳି ଛାତ୍ର ସଂଗଠନରେ ଜଣେ ଆଗଧାଡ଼ିର କର୍ମୀ ଭାବେ କାର୍ଯ୍ୟ କରି କମ୍ୟୁନିଷ୍ଟ ଭାବେ ପରିଚିତ ହୋଇଥିଲେ । ଆଇଏଏସ ପଦରୁ ଅବସର ନେଇ ୨୦୦୦ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୧୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ସମୟରେ ବିଜେଡିକୁ ନିର୍ବାଚନ ରାଜନୀତିରେ ସଫଳତାର ସ୍ୱାଦ ଚଖାଇବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବାଦାନ ଥିଲା । ବିଜେପିର କେନ୍ଦ୍ରୀୟ ଲୋକପ୍ରିୟତାକୁ ନେଇ ବିଜେଡି ସହିତ ମେଣ୍ଟ କରିବା ଏବଂ ଦୀର୍ଘ ୧୧ ବର୍ଷ କାଳ ମେଣ୍ଟ ରାଜନୀତିରେ ରହି ନବୀନଙ୍କ ତଥା ବିଜେଡିକୁ ଲୋକାଭିମୁଖୀ କରିବାରେ ପ୍ୟାରୀ ଥିଲେ ଗୋଟି ଚାଳକ । ଏମିତି କି ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବା ତଥା ପୂର୍ବ ପ୍ରସ୍ତୁତ ନିର୍ବାଚନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ବିଜେଡିକୁ ଫାଈଦା ଦେବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଯେଉଁଥିପାଇଁ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ସମଗ୍ର ରାଜ୍ୟରେ ୧୦୯ ବିଧାନ ସଭା ଆସନରୁ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ବିଭିନ୍ନ ସମୟରେ ବାଦ ବିବାଦର ସମ୍ମୁଖୀନ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ପ୍ୟାରୀମୋହନ । ଗେଷ୍ଟ ହାଉସ ସେକ୍ସ କାରବାରଠାରୁ ଆରମ୍ଭ କରି ବହୁ ବାଦ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ସୁଦ୍ଧା ସହଜରେ ମୁକୁଳିଯାଇଥିଲେ ।ପ୍ୟାରୀମୋହନ ମହାପାତ୍ରଙ୍କ ରାଜନୈତିକ ଜୀବନରେ ୨୦୧୨ ମସିହା ମେ ୨୯ ତାରିଖରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିଲା । ନବୀନ ପଟ୍ଟନାୟକଙ୍କ ଲଣ୍ଡନ ଗସ୍ତ ସମୟରେ କ୍ଷମତା ଅପହରଣ ପାଇଁ ରାତି ଅଧିଆ ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସିଥିଲା । କ୍ଷମତା ଅପହରଣ ଷଡଯନ୍ତ୍ରର ଅପବାଦ ଲାଗିବା ପରେ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ । ୨୦୧୨ ମସିହା ଅଗଷ୍ଟ ୪ ତାରିଖରେ ବିଜେଡ଼ି ଦଳୀୟ ପାର୍ଲ୍ୟାମେଣ୍ଟାରୀ ଗ୍ରୁପ ଲିଡ଼ର ପଦରୁ ଓହରି ଯାଇଥିଲେ । ବିଜେଡ଼ିରୁ ବହିଷ୍କୃତ ହେବା ପରେ ଓଡ଼ିଶା ଜନମୋର୍ଚ୍ଚା ନାମରେ ଏକ ରାଜନୈତିକ ଦଳ ଗଠନ କରି ୨୦୧୪ ନିର୍ବାଚନରେ ୬୮ଟି ପ୍ରାର୍ଥୀ ଦେଇଥିଲେ । ଏହି ନୂଆ ଦଳର ସମସ୍ତ ୬୮ ପ୍ରାର୍ଥୀଙ୍କ ପରାଜୟ ହୋଇଥିଲେ । ବିଫଳତା ସହ ଧୀରେ ଧୀରେ ରାଜନୀତି କ୍ଷେତ୍ରରେ ତାଙ୍କ ପ୍ରଭାବ କମିବାକୁ ଲାଗିଲା । ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କ ରାଜନୈତିକ ଜୀବନରେ ପୂର୍ଣ୍ଣଛେଦ ପଡ଼ିଥିଲା ।ସେହିଭଳି ଆଉ ଜଣେ ହେଲେ ଭି.କେ.ପାଣ୍ଡିଆନ । ପ୍ୟାରୀଙ୍କ ପରେ ନବୀନ ବାବୁଙ୍କ ଏକରକମ ବିଶ୍ବସ୍ତ ହୋଇଥିଲେ । ସେ ୨୦୦୦ମସିହାରେ ଭାରତୀୟ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ୨୦୦୨ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପ-ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସେ ମୟୂରଭଞ୍ଜର ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଇଥିଲେ ଏବଂ ୨୦୦୭ ମସିହାରେ ଗଞ୍ଜାମକୁ ବଦଳି ହୋଇଥିଲେ । ୨୦୧୧ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ ହୋଇଥିଲେ । ୨୦୨୩ ମସିହା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ । ୨୦୧୯ ମସିହାରେ ସେ ଓଡ଼ିଶା ସରକାରଙ୍କ ୫ଟି (ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟକ୍ରମ, ସମୟ ଏବଂ ପରିବର୍ତ୍ତନ) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୨୦୨୩ ମସିହାରେ ସେ ପ୍ରସାଶନିକ ସେବାରୁ ସ୍ୱଚ୍ଛାକୃତ ଭାବରେ ଅବସର ନେଇଥିଲେ । ୨୭ ନଭେମ୍ବର ୨୦୨୩ରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଯୋଗ ଦେବା ପରେ ସେ ପୁଣିଥରେ ୫ଟିର ଅଧକ୍ଷ ଭାବରେ ନିଯୁକ୍ତ ହୋଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ସେ ବିଜେଡିର ଦ୍ବିତୀୟ ଷ୍ଟାର କ୍ୟାମ୍ପେନର ଥିଲେ । ଦଳର ପ୍ରଚାର ଭାର ନିଜ କାନ୍ଧରେ ବୋହିଥିଲେ । ରାଜ୍ୟ ସରା ତୁଫାନୀ ଗସ୍ତ କରି ବିଜେଡି ପାଇଁ ପ୍ରଚାର କରିଥିଲେ । ମାତ୍ର ତାଙ୍କର ଏହି ଗସ୍ତ ବିଜେଡି ପାଇଁ ବୁମେରାଂ ହେଲା । ଯାହାର ଫାଇଦା ସିଧାସଳଖ ଭାରତୀୟ ଜନତା ପାର୍ଟି ପାଖକୁ ଗଲା । ଚଳିତ ନିର୍ବାଚନରେ ବିଜେପି ଓଡ଼ିଆ ଅସ୍ମିତାର କଥା କହି ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ବିଜେଡି କିନ୍ତୁ ତା’ର ମାଗଣା ବିଜୁଳି ହେଉ କି ମିଶନ ଶକ୍ତି ମହିଳାଙ୍କ ପେନସନ ଏଭଳି କିଛି ମେନିଫେଷ୍ଟୋକୁ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । କିନ୍ତୁ ବାଜି ମାରି ନେଇଥିଲା ଓଡ଼ିଆ ଅସ୍ମିତାର ନିର୍ବାଚନୀ ମୁଦ୍ଦା। ପାଣ୍ଡିଆନ ଅଣ ଓଡ଼ିଆ ହୋଇଥିବାରୁ କାମ କଲାନି ତାଙ୍କର ମ୍ୟାଜିକ୍ । ଯାହା ପରେ ବିଜେଡି ଚଳିତ ନିର୍ବାଚନରେ ପରାଜୟର ସ୍ବାଦ ଚାଖିଲା । ଲୋକସଭାରେ ଖାତା ଖୋଲିପାରିନଥିବାବେଳେ ବିଧାନସଭାରେ କିନ୍ତୁ ୫୧ଟି ସିଟ୍ ନିଜ ଖାତାକୁ ନେଇଛି । ଏହାସହ ରାଜ୍ୟରେ ନବୀନ ଯୁଗର ଅନ୍ତ ଘଟିଛି । ଦୀର୍ଘ ୨୪ବର୍ଷର ଶାସନର ଡୋରିରେ ପୂର୍ଣ୍ଣଛେଦ ପଡ଼ିଛି ।ଭି. କେ. ପାଣ୍ଡିଆନ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯଦି ନବୀନ ପଟ୍ଟନାୟକ ଜୁନ ୯ତାରିଖ ୨୦୨୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ବିଜେଡିର ପରାଜୟ ପରେ ଜୁନ୍ ୪ତାରିଖରୁ ପାଣ୍ଡିଆନ ଏକ ପ୍ରଚାର ଚୁପ୍ ରହିଥିଲେ । ଜୁନ୍ ୯ତାରିଖ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ସେ ପ୍ରତ୍ୟେକ୍ଷ ରାଜନୀତିରୁ ସନ୍ନ୍ୟାସ ନେବା ସହ ବିଜୁ ପରିବାରର ସଦସ୍ୟ ଏବଂ କର୍ମକର୍ତ୍ତାଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ନବୀନଙ୍କ ଯୁଗ ଶେଷ ହେବା ସହ ପାଣ୍ଡିଆନଙ୍କର ମଧ୍ୟ ରାଜନୈତିକ କ୍ୟାରିୟର ଶେଷ ହୋଇଛି । ଆଗାମୀ ଦିନରେ ପାଣ୍ଡିଆନଙ୍କ ରଣନୀତି କ’ଣ ହେବ ତାହା ସମୟ କହିବ ।