ରମାଦେବୀକୁ ନାକ୍ ‘ବି ++’ ଗ୍ରେଡ୍‌: ଭିତ୍ତିଭୂମି ଓ ଶିକ୍ଷକ ଅଭାବ ସାଜିଲା ବାଧକ

ଭୁବନେଶ୍ୱର,୧୦/୧୦ : ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‌ କାଉନସିଲ୍‌(ନାକ୍‌)ର ପ୍ରଥମ ଗସ୍ତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ‘ବି++’ ଗ୍ରେଡ୍ ମିଳିଛି । ୨୦୧୫ରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ବଢ଼ିଛି, ହେଲେ ଭିତ୍ତିଭୂମିରେ କୌଣସି ପରିବର୍ତ୍ତନ ହୋଇପାରି ନାହିଁ । ସ୍ୱଚ୍ଛ ସୁନ୍ଦର କ୍ୟାମ୍ପସ ସାଙ୍ଗକୁ ନୂଆକୋଠା ହୋଇଛି । କ୍ୟାମ୍ପସ ଆଲୋକୀକରଣ ସାଙ୍ଗକୁ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସମୃଦ୍ଧ ଆଲୁମନି ରହିଛି । ଶିକ୍ଷାଦାନରେ ବେଶ୍ ଆଗରେ ରହିଛି । ତା’ସତ୍ତ୍ୱେ ଭିତ୍ତିଭୂମି ଅଭାବ, ଶିକ୍ଷକ- ଅଣଶିକ୍ଷକ ପଦବି ଖାଲି, ଖେଳପଡ଼ିଆ ଅଭାବ, ଉତ୍ତତମାନର ଗବେଷଣା ନହେବା, ରାଜ୍ୟ ତଥା ଦେଶ ବାହାର ଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ବିଫଳ ହେବା ବିଶ୍ୱବିଦ୍ୟାଳୟ ପାଇଁ ଆହ୍ୱାନ ସୃଷ୍ଟି କରିଛି । ୨୦୨୯ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ମାନ୍ୟତା ବଜାୟ ରହିବ ବୋଲି ନାକ୍ କର୍ତ୍ତୃପକ୍ଷ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆମେ ଭଲ ବେଞ୍ଚ୍ ମାର୍କରେ ପହଞ୍ଚିପାରିଛୁ । ୨୦୧୫ ପୂର୍ବରୁ ନାକ୍ ଗସ୍ତ କରିଥିଲେ । ସେତେବେଳେ ଯେଉଁ ପଦ୍ଧତିରେ ମୂଲ୍ୟାୟନ କରାଯାଉଥିଲା, ୨୦୧୬ରେ ତାହାକୁ ପରିବର୍ତ୍ତନ କରାଯାଇଛି । ନୂଆ ପାର୍ଟନରେ ହୋଇଥିବାରୁ ଆମେ ଯେଉଁ ଗ୍ରେଡ୍ ପାଇଛୁ, ସେଥିରେ ସନ୍ତୁଷ୍ଟ । ଭିତ୍ତିଭୂମି ଅଭାବ, ଖେଳପଡ଼ିଆ ଅଭାବ ରହିଛି । ସ୍ଥାୟୀ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ହୋଇପାରୁ ନାହିଁ । କୁଳପତି, କୁଳସଚିବ, ଅଧ୍ୟାପକଙ୍କ ପାଇଁ କ୍ୱାର୍ଟର୍ସ ଅଭାବ ରହିଛି । ନହେଲେ ଆହୁରି ଭଲ ଗ୍ରେଡ୍ ମିଳିପାରିଥାନ୍ତା । ଏଥିରେ ଲୁଚାଇବାର କୌଣସି କାରଣ ନାହିଁ କି ପୁଣି ଥରେ ଆବେଦନ କରିବାର ପ୍ରଶ୍ନ ଉଠୁନି ବୋଲି କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପ୍ରକାଶ କରିଛନ୍ତି ।

ନାକ୍ ପକ୍ଷରୁ ୭ଟି ମାନଦଣ୍ଡ ଆଧାରରେ ବିଶ୍ୱବିଦ୍ୟାଳୟର ମୂଲ୍ୟାୟନ କରାଯାଇଛି । ଗସ୍ତ ସମୟରେ ନାକ୍ ପ୍ରତିନିଧି ଦଳକୁ ୩ଟି ଦିଗ ଅଧିକ ଆକୃଷ୍ଟ କରିଥିଲା । ଯେଉଁଥିରେ ରାଜଧାନୀ ଛାତି ଉପରେ ସ୍ୱଚ୍ଛ ଓ ସବୁଜିମା ଭରା ପ୍ରାକୃତିକ ପରିବେଶରେ ବିଶ୍ୱବିଦ୍ୟାଳୟ ରହିଛି । ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ବିଭିତ୍ତ ସୁବିଧା ରହିଛି । ନିଯୁକ୍ତି, ଉଦ୍ୟୋଗୀ, ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରତି ଗୁରୁତ୍ୱ ଦିଆଯାଉଛି । ବିଶ୍ୱବିଦ୍ୟାଳୟରେ ମୋଟ୍‌ ୨୬ଟି ବିଭାଗ ରହିଥିବା ବେଳେ ୫୮ଟି କୋର୍ସରେ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି । ମାତ୍ର ୬୭ଜଣ ସ୍ଥାୟୀ ଶିକ୍ଷକ ଓ ୩୨ ଜଣ ଅଣ-ଶିକ୍ଷକ ଅଛନ୍ତି । ୪ ହଜାର ୧୮୦ ଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି । ଗବେଷଣା କ୍ଷେତ୍ର ବଢ଼ାଇବା ଦିଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ହାତକୁ ନେଇଛନ୍ତି ।ଉଦ୍‌ଭାବନ, ଇଣ୍ଡିଆନ୍‌ ନଲେଜ୍ ସିଷ୍ଟମ, ସୂଚନା ଓ ଲୋକ ସମ୍ପର୍କ ବିଷୟରେ ସଚେତନତା, ଆଇପିଆର ସେଲ୍‌, ଇନ୍‌କ୍ୟୁବେସନ ସେଣ୍ଟର ଆଦି ପ୍ରତିଷ୍ଠା ହୋଇଛି । ସମ୍ପ୍ରସାରଣ କାର୍ଯ୍ୟକଳାପରେ ନିକଟସ୍ଥ ଜନଗୋଷ୍ଠୀକୁ ଯୋଡ଼ିବା ସହ ସାମାଜିକ ସମସ୍ୟା ସମ୍ପର୍କରେ ଛାତ୍ରୀଙ୍କୁ ସଚେତନ କରାଯାଉଛି । ତେବେ ୪,୦୦୦ ଛାତ୍ରୀ ପଢ଼ୁଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟର ନିଜସ୍ୱ ଖେଳପଡ଼ିଆ ନାହିଁ । ଏହି ଆବଶ୍ୟକତା ପୂରଣ କରିବାକୁ ନାକ୍ ଟିମ୍ ମତ ଦେଇଛି ।

ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ଛାତ୍ରୀମାନଙ୍କୁ ଉନ୍ନତମାନ ଓ ବିଭିନ୍ନ ପ୍ରକାରର ଖାଦ୍ୟ ଯୋଗାଇବା, ଲାବରେଟୋରିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହୃତ ସାମଗ୍ରୀ ଓ ଏସି ସୁବିଧା ଉପଲବ୍ଧ, ନିଯୁକ୍ତି ପାଇଁ ବାହାର କମ୍ପାନିଙ୍କୁ କ୍ୟାମ୍ପସକୁ ଡାକିବା, ବିଶ୍ୱବିଦ୍ୟାଳୟର ସମସ୍ତ ଏକାଡେମିକ ଓ ହଷ୍ଟେଲରେ ବହୁ ପରିମାଣର ସାନିଟାରି ନାପକିନ୍ ଭେଣ୍ଡିଂ ମେସିନ୍ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ହଷ୍ଟେଲରେ ୱାଇଫାଇ ସୁବିଧା, ଗୁଣାତ୍ମକ ଶିକ୍ଷା ପାଇଁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ବଡ଼ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ବିଭିନ୍ନ ବିଭାଗ ଛାତ୍ରୀଙ୍କୁ କ୍ଷେତ୍ର ଭ୍ରମଣ ସୁବିଧା, ଗୁଣାତ୍ମକ ଗବେଷଣା, ଶିଳ୍ପ ସଂସ୍ଥା ସହ ବିଶ୍ୱବିଦ୍ୟାଳୟକୁ ଯୋଡ଼ିବା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବଢ଼ାଇବା, ଶିଳ୍ପ ଓ ଶିକ୍ଷାକୁ ମିଶାଇବା, ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା, ତାଲିମପ୍ରାପ୍ତ କାଉନସେଲ୍‌ ନିଯୁକ୍‌ତିର ଆବଶ୍ୟକତା ରହିଛି ।

ଅଧ୍ୟାପକଙ୍କ ବିକାଶ ଓ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଶିକ୍ଷକମାନଙ୍କୁ ସଚେତନ କରାଇବା, ଅତ୍ୟାଧୁନିକ ରୋଷଇ ଘର ସହ ହଷ୍ଟେଲଗୁଡ଼ିକ ପାଇଁ କେନ୍ଦ୍ରୀୟ ରୋଷେଇଶାଳା ସ୍ଥାପନ କରିବା ସହିତ ବିଦେଶୀ ଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ହେବ ବୋଲି କମିଟି ମତପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *