ଭୁବନେଶ୍ବର,୧୧/୩ : ‘ବନ୍ଦେ ଉତ୍କଳ ଜନନୀ’ ବିବାଦ ନେଇ ନୀରବତା ଭାଙ୍ଗିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ବିଜେପି ବିଧାୟକ କହିଛନ୍ତି ବର୍ତ୍ତମାନର ଓଡ଼ିଶା ରାଜ୍ୟ ତିନୋଟି ସ୍ୱତନ୍ତ୍ର ଅଞ୍ଚଳ-ଉତ୍କଳ, କଳିଙ୍ଗ ଏବଂ କୋଶଳକୁ ମିଶ୍ରଣ କରି ଗଠିତ ହୋଇଥିଲା। ସେ ପ୍ରଶ୍ନ କରିଛନ୍ତି, କାହିଁକି ‘ବନ୍ଦେ ଉତ୍କଳ ଜନନୀ’ କୁହାଯିବ? କେବଳ ଗୋଟିଏ ଅଞ୍ଚଳକୁ ଉପେକ୍ଷା କରି ଏହା ପାଳନ କରିବା କ’ଣ ନ୍ୟାୟସଙ୍ଗତ ହେବ କି ବୋଲି ପ୍ରଶ୍ନ କରିଛନ୍ତି। ‘ବନ୍ଦେ ଉତ୍କଳ ଜନନୀ’କୁ ଓଡ଼ିଶାର ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ନେଇ ଚାଲିଥିବା ବିତର୍କ ନେଇ ସେ ନିଜର ମତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି, କୌଣସି ରାଜ୍ୟର ସରକାରୀ ଗୀତ କିମ୍ବା ପତାକା ରହିପାରିବ ନାହିଁ, କାରଣ ଦେଶ ଗୋଟିଏ ଜାତୀୟ ସଙ୍ଗୀତ ଏବଂ ଜାତୀୟ ପତାକାକୁ ଅନୁସରଣ କରେ।ଉତ୍କଳ, କଳିଙ୍ଗ ଏବଂ କୋଶଳ ତିନୋଟି ଅଞ୍ଚଳକୁ ମିଶାଇ ଓଡ଼ିଶା ସୃଷ୍ଟି ହୋଇଥିଲା। ଯଦି ଆମେ କେବଳ ‘ବନ୍ଦେ ଉତ୍କଳ ଜନନୀ’କୁ କହିବା, ଯାହା କେବଳ ଉତ୍କଳର ପ୍ରଶଂସା କରୁଛି। ତେବେ ଅନ୍ୟ ଦୁଇଟି ଅଞ୍ଚଳର କ’ଣ ହେବ? ସେମାନଙ୍କର ପରିଚୟକୁ ଅଣଦେଖା କରାଯିବା ଉଚିତ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସମସ୍ତ ୩୦ ଜିଲ୍ଲାକୁ ସମ୍ମାନ ଜଣାଇ ଏକ ଗୀତ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ।ବର୍ତ୍ତମାନର ସଙ୍ଗୀତ ବିଷୟରେ ନିଜର ଆପତ୍ତି ଜଣାଇ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଯଦି ଗୀତର ନାମ ‘ବନ୍ଦେ ଓଡ଼ିଶା ଜନନୀ’ ରଖାଯାଏ ତେବେ ତାଙ୍କର କୌଣସି ଆପତ୍ତି ନାହିଁ, କାରଣ ଏଥିରେ ରାଜ୍ୟର ସମସ୍ତ ଅଞ୍ଚଳ ସାମିଲ ହେବ। ଓଡ଼ିଶାର ପ୍ରଗତି କେବଳ ଗୋଟିଏ ଅଞ୍ଚଳର ବିକାଶ ଉପରେ ନୁହେଁ, ସମସ୍ତ ଅଞ୍ଚଳର ବିକାଶ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।ଜୟନାରାୟଣ ମିଶ୍ର ମଧ୍ୟ ସମସ୍ତ ଅଞ୍ଚଳରେ କ୍ଷମତାର ବିକେନ୍ଦ୍ରୀକରଣ ଏବଂ ସମାନ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କେବଳ ଗୋଟିଏ ଅଞ୍ଚଳକୁ ସମର୍ଥନ କରିବା ପରିବର୍ତ୍ତେ ପ୍ରତ୍ୟେକ ଅଞ୍ଚଳର ଭାଷା, ସଂସ୍କୃତି ଏବଂ ପରିଚୟକୁ ସମ୍ମାନ ଦେବା ଉଚିତ୍ ବୋଲି ଆହ୍ୱାନ କରିଛନ୍ତି।ପ୍ରତ୍ୟେକ ଅଞ୍ଚଳକୁ ସମାନ ଗୁରୁତ୍ୱ ନ ମିଳିବା ପର୍ଯ୍ୟନ୍ତ ଓଡ଼ିଶାର ବିକାଶ ହୋଇପାରିବ ନାହିଁ। ରାଜ୍ୟର ପ୍ରତ୍ୟେକ କୋଣରେ ଶାସନ ପହଞ୍ଚିବା ନିଶ୍ଚିତ କରିବା ପାଇଁ ବିକେନ୍ଦ୍ରୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଅଞ୍ଚଳର ଭାଷା ଏବଂ ସଂସ୍କୃତିକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।ନିଜର ମନ୍ତବ୍ୟକୁ ସମର୍ଥନ କରି, ଜୟନାରାଣୟ ତାଙ୍କ ବକ୍ତବ୍ୟ ଓଡ଼ିଆ ପରିଚୟ ଉପରେ ଆକ୍ରମଣ ବୋଲି କହି ସମାଲୋଚନାକୁ ଖଣ୍ଡନ କରିଥିଲେ। ସେ ଯୁକ୍ତି ବାଢ଼ିଛନ୍ତି, ତାଙ୍କ ନିଜ ଅଞ୍ଚଳର ବିକାଶ ବିଷୟରେ ଚିନ୍ତା ପ୍ରକଟ କରିବା ଓଡ଼ିଶାର ଏକତାକୁ ହ୍ରାସ କରିବା ବୋଲି ଅଭିଯୋଗ ଆଣିବା ଭୁଲ୍ ।
ଜୟନାରାୟଣ ୨୪ ବର୍ଷ ଧରି ଶାସନ କରିଥିବା ବିଜେଡି ସରକାରଙ୍କୁ କଡ଼ ସମାଲୋଚନା କରିଛନ୍ତି। କହିଛନ୍ତି, ଯେତେବେଳେ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଆରେ କଥା ହେଉ ନଥିଲେ, ସେତେବେଳେ ଓଡ଼ିଆ ଅସ୍ମିତାର କୌଣସି କ୍ଷତି ହୋଇ ନଥିଲା। ତେଣୁ, ଯେତେବେଳେ ମୁଁ ମୋ ଅଞ୍ଚଳର ବିକାଶ ପାଇଁ ଦାବି କରୁଛି, ଏହାକୁ କିପରି ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣ ଭାବରେ ଦେଖାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି।