ଦଳୀୟ ତୁଙ୍ଗ ନେତାଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳ

ଭୁବନେଶ୍ବର, ୯/୧୦ : ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ବିସ୍ଫୋରକ ଭାଷଣ ଦେଲେ ଦଳର ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ସେ ନାଁ ନ ନେଇ ଦଳର ଜଣେ ତୁଙ୍ଗ ନେତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି, ୨୦୧୯ ଓ ୨୦୨୪ ବିଧାନସଭା ନିର୍ବାଚନରେ ମୋତେ ହରାଇବା ପାଇଁ ପ୍ରୟାସ କରାଯାଇଥିଲା।

ମୋ’ଠାରୁ ଆଉ ୨/୩ ବର୍ଷ ବଡ଼ ଜଣେ ଯୁବକ, ଯିଏ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲେ ହେଁ ଆଜି ବି ଦଳର ନେତୃତ୍ୱ ନେଉଛନ୍ତି, ସେ ଓ ତାଙ୍କର ବନ୍ଧୁବାନ୍ଧବ ଆମ ବିରୋଧରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କେଉଁଠାରୁ ଆସିଲା ସେହି କଳାଧନ? କେଉଁଠାରୁ ଆସିଲା ଏତେ ଟଙ୍କା? କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା ପ୍ରଭାତ ବିଶ୍ୱାଳଙ୍କୁ ବଳି ପକାଇବାକୁ। କିନ୍ତୁ ମହାପ୍ରଭୁ ଶ୍ରୀଗଜନ୍ନାଥଙ୍କ ଆଶୀର୍ବାଦ ରହିଛି। ଧର୍ମର ଓ ସତ୍ୟର ଯୁଗେ ଯୁଗେ ବିଜୟ ହୋଇଛି। ଆଉ ଆଜି ବି ହୋଇଛି। କହି ରଖିବା ପାଇଁ ଚାହେଁ, କଟକ-ଚୌଦ୍ୱାରରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ୫୦୦୦ ହଜାର କୋଟି ଟଙ୍କାର କାମ ହୋଇଛି।

ତଳଦଣ୍ଡା କେନାଲରେ ୨୦୦ କୋଟି ଟଙ୍କାର, ଜାଇକାରେ ୩ ହଜାର କୋଟି ଟଙ୍କାର ଓ ନେତାଜୀ ଟର୍ମିନାଲରେ ୧୫୦/୨୦୦ କୋଟି ଟଙ୍କା କାମ ହୋଇଛି। କିନ୍ତୁ କୌଣସି ଏଜେନ୍ସୀ, ଠିକାଦାର, ଅଫିସର ବା ଇଞ୍ଚିନିୟର କହିପାରିବେନି ଯେ ସେମାନେ ଆମକୁ ଟଙ୍କାଟିଏ ଦେଇଛନ୍ତି। କାରଣ ସେ କାରବାର ଚାଲେ ନାହିଁ ପ୍ରଭାତ ବିଶ୍ୱାଳଙ୍କ ପାଖରେ।ସୌଭିକ ଆହୁରି କହିଥିଲେ, ଏତେ ନିଷ୍ଠାର ସହିତ ରହିଥିଲେ ମଧ୍ୟ ତା’ର ଫଳ ହେଲା ପଛରୁ ଛୁରୀ ଭୁଷା। ସେ ଯେତେବେଳେ ସତ୍ୟ, ନ୍ୟାୟ ଓ ଧର୍ମ ଯୁଦ୍ଧରେ ଆଗକୁ ବଢ଼ିଲେ, ତାଙ୍କୁ ସିବିଆଇ ଜାଲକୁ ଠେଲି ଦିଆଗଲା। ସିବିଆଇ ଜାଲକୁ ତାଙ୍କୁ ଆଉ କେହି ଠେଲି ନାହାନ୍ତି। ସେ କଥା କହିଲେ ବହୁତ ଅଛି, ସରିବ ନାହିଁ ବୋଲି ସେ କହିଥିଲେ। ତେବେ ଏହା କହି ସୌଭିକ ଇସାରା ଦେଇଥିଲେ ଯେ ସେ ଯେଉଁ ବ୍ୟକ୍ତିଙ୍କ କଥା କହୁଛନ୍ତି ସେ ହିଁ ତାଙ୍କ ବାପା ସିବିଆଇ ଜାଲରେ ପଡ଼ିବା ପଛରେ ଥିଲେ।ଅନ୍ୟପଟେ ଜଗତପୁରରେ ଆଜି ବି ଆମ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି।

ଭୋଜିଭାତର ଆୟୋଜନ କରାଯାଇଛି। କେଉଁ ଭଳି ଭାବେ ପିଠିରେ ଛୁରୀ ଭୁଷା ହେବ। ଏଥରୁ ଭାବନ୍ତୁ ଦଳ କେମିତି ସୁଦୃଢ଼ ହେବ। ଦଳ କେଉଁଭଳି ଭାବେ ସୁସଂସଗଠିତ ହେବ। ମୋର ନିବେଦନ, ଯଦି ଆମେ ଦଳକୁ ସଂଗଠିତ କରିବାକୁ ଚାହୁଁଛନ୍ତି, ଆମକୁ ନିଃସ୍ୱାର୍ଥପର ହେବାକୁ ପଡ଼ିବ। ଜନତା ଭଗବାନ। ଆମ କର୍ମରେ ନିଷ୍ଠା ଓ ସତ୍ୟତା ରହିବା ଉଚିତ୍। ନହେଲେ କାମ ହୋଇପାରିବ ନାହିଁ। ସୌଭିକଙ୍କ ଏହି ଭାଷଣକୁ ନେଇ ଆଜି ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave a Reply

Your email address will not be published. Required fields are marked *