ବିଜେପି- ବିଜେଡି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ

ଭୁବନେଶ୍ବର,୨୮/୯ : ବିଜେପି- ବିଜେଡି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ । ବୁଥ ସ୍ତରରେ ସଦସ୍ୟଙ୍କୁ ଏକାଠି କରିବାକୁ ଜୋରଦାର ଚାଲିଛି ପ୍ରୟାସ । ବିଜେପି ପକ୍ଷରୁ ଜାରି ରହିଛି ସଦସ୍ୟତା ସଂଗ୍ରହ ଅଭିଯାନ। ୨୫ ଲକ୍ଷ ଲୋକଙ୍କୁ ଯୋଡି ସାରିଲାଣି ଦଳ । ନିଜେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସି କିଭଳି ସଦସ୍ୟ ସଂଖ୍ୟା ବଢ଼ାଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଯାଇଛନ୍ତି । ପ୍ରଥମ ପର୍ଯ୍ୟାୟ ସଦସ୍ୟତା ସଂଗ୍ରହ ଅଭିଯାନ ସରିଥିବାବେଳେ ଆଗକୁ ଆଉ ଦୁଇ ପର୍ଯ୍ୟାୟ ରହିଛି। ବିଧାୟକ, ସାଂସଦଙ୍କ ସହିତ ସବୁ ମୋର୍ଚ୍ଚା ଗୁଡ଼ିକୁ ସଦସ୍ୟ ସଂଗ୍ରହ ପାଇଁ ଦିଆଯାଇଛି ଟାର୍ଗେଟ। ଯୁବମୋର୍ଚା ପକ୍ଷରୁ ବିଶ୍ୱବିଦ୍ୟାଳୟ, କଲେଜରେ ସଦସ୍ୟତା ଅଭିଯାନ କରିବାକୁ ଯୋଜନା କରାଯାଇଛି ।

ଦୁର୍ଗାପୂଜାରେ ମଧ୍ୟ ବିଭିନ୍ନ ପୂଜା ପେଣ୍ଡାଲ ସମ୍ମୁଖରେ ସଦସ୍ୟତା ସଂଗ୍ରହ କ୍ୟାମ୍ପ ଲଗାଇବାକୁ ଯୋଜନା କରାଯାଇଛି।ସଭ୍ୟ ସଂଗ୍ରହ ନେଇ ବିଜେଡି ବି କରିଛି ଟାର୍ଗେଟ ଫିକ୍ସ। ନିଷ୍ପତ୍ତି ଅନୁଯାୟୀ ପ୍ରତି ବର୍ଷ ପରି ଏଥର ମଧ୍ୟ ଗାନ୍ଧୀ ଜୟନ୍ତୀରୁ ଜନ ସଂପର୍କ ପଦଯାତ୍ରା କରିବ ଦଳ । ଅକ୍ଟୋବର ୬ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ ହେବ। ସେହିପରି ଅକ୍ଟୋବର ୯ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ ଡିସେମ୍ବର ୯ ତାରିଖ ଯାଏ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଯେଉଁଥିରେ ଦେଢ଼ କୋଟି ସଦସ୍ୟ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ବିଜେଡି। ଘରକୁ ଘର ଯାଇ ସଦସ୍ୟ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଏନେଇ ଜିଲ୍ଲା , ବ୍ଲକ ଓ ପଂଚାୟତ ସ୍ତରରେ ଚାଲିବ ମେମ୍ବରସିପ ଡ୍ରାଇଭ ।

ବଡ଼କଥା ହେଉଛି ଗତ ନିର୍ବାଚନରେ ଉଭୟ ଦଳ ଏକ କୋଟିରୁ ଉର୍ଦ୍ଧ୍ବ ଭୋଟ ପାଇଛନ୍ତି । ଆଉ ଏବେ ଆଉ ଏକ କୋଟି ସଦସ୍ୟ ଯୋଡ଼ି ସଂଗଠନକୁ ଆହୁରି ମଜଭୁତ କରିବାକୁ ଉଦ୍ୟମ କରୁଛନ୍ତି ଦୁଇ ଦଳ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦୁଇ ଦଳ ଏବେ ଠୁ କସରତ ଆରମ୍ଭ କରି ଦେଇଛନ୍ତି । ନିଜର ପତିଆରା ଜାହିର କରିବାକୁ ସଦସ୍ୟତା ଅଭିଯାନ ଆଳରେ ଲୋକଙ୍କ ନିକଟତର ହେଉଛନ୍ତି ।

Leave a Reply

Your email address will not be published. Required fields are marked *