ଭୁବନେଶ୍ବର, ୧୧/୩ : ଦୀର୍ଘ ୯ମାସ ପରେ ଆବିର୍ଭାବ ହୋଇଛନ୍ତି ଭିକେ ପାଣ୍ଡିଆନ । ପୁଣି ଥରେ ନବୀନ ନିବାସରେ ଆସିଛନ୍ତି ନଜର । ୨୦୨୪ସାଧାରଣ ନିର୍ବାଚନରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ଏହି ଆବିର୍ଭାବ କରିଛନ୍ତି । ଗତ କିଛି ଦିନ ହେବ ମନ୍ମଥଙ୍କ ବିବାହ ହୋଇଛି । ଆଜି ତାଙ୍କ ପତ୍ନୀ ଏବଂ ସେ ପାଣ୍ଡିଆନଙ୍କ ସହ ସାକ୍ଷାତ କରି ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଯାହାପରେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭିକେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ଭିକେ ପାଣ୍ଡିଆନ ।
ଏହାପରେ ବିଭିନ୍ନ ମହଲରେ କିନ୍ତୁ ଆଲୋଚନା ହେଉଥିଲା ନବୀନ ନିବାସରେ ଅଛନ୍ତି ପାଣ୍ଡିଆନ । ଯାହା ଆଜି ସତ ପ୍ରମାଣିତ ହୋଇଛି । ଏବେ ବି ବିଜେଡିକୁ ହାତମୁଠାରେ ରଖିଛନ୍ତି ପାଣ୍ଡିଆନ । ତାମିଲି ବାବୁଙ୍କ ପ୍ରିତୀ ଛାଡ଼ିପାରୁନି ବିଜେଡି । ଦିନକୁ ଦିନ ଆହୁରି ନିବିଡ଼ ହେବାରେ ଲାଗି ସମ୍ପର୍କ । ବିଜେଡିର ଏତେ ସରି ଅବସ୍ଥା ପରେ ବି ପାଣ୍ଡିଆନକୁ ନେଇ ବିଜେଡିର ଏହି ପ୍ରେମ ଏବେ ସନ୍ଦେହ ଘେରରେ ।କ’ଣ କାରଣ ରହିଛି, କାହିଁକି ବିଜେଡି ଛାଡ଼ି ପାରୁନି ପାଣ୍ଡିଆନକୁ । ଦଳରୁ ତାମିଲ ବାବୁ ସନ୍ନ୍ୟାସ ନେବା ପରେ ଯେଉଁ ନେତା କର୍ମୀ ଖୋଲାଖୋଲି ତାଙ୍କୁ ବିରୋଧ କରୁଥିଲେ ସେମାନଙ୍କ ଭିତରେ ଏବେ ଭାଳେଣି ପଡ଼ିଲାଣି । କ’ଣ ହେବ ତାଙ୍କ ଭବିଷ୍ୟତ, ଯଦି ପାଣ୍ଡିଆନ ଏବେ ବି ପାଓ୍ବାରଫୁଲ ଅଛନ୍ତି ବିଜେଡିରେ ।
ପ୍ରକାଶ ଯେ, ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ କାର୍ତ୍ତିକ ପାଣ୍ଡିଆନ । ବିଜେଡିର ପରାଜୟ ପାଇଁ ହାତ ଯୋଡ଼ି କ୍ଷମା ମାଗିଥିଲେ, କହିଥିଲେ ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିଲି ଏବଂ ସଫଳ ହୋଇଛି । ମୋର କୌଣସି ଉଦ୍ଦେଶ୍ୟ ନ ଥିଲା କେବଳ ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କୁ ସହାୟତା କରିବାକୁ ରାଜନୀତିକୁ ଆସିଥିଲି । ଆହୁରି ମଧ୍ୟ କହିଥିଲେ ନବୀନ ପଟ୍ଟନାୟକ ମୋର ଗୁରୁ । ବିଜେଡିର କୌଣସି ପଦରେ ନଥିଲି କିମ୍ବା ରାଜନୀତି ଲଢୁନଥିଲି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛି । ମୟୁରଭଞ୍ଜ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟ କରିଛି । ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି । ୨୦୨୩ରେ ଆଇଏଏସରୁ ଅବସର ନେଇ ନଭେମ୍ବର ୨୭ରେ ରାଜନୀତିରେ ଯୋଗ ଦେଇଥିଲି ।
କରୋନା ସମୟରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବୁଲି ସ୍ୱାସ୍ଥ୍ୟକେନ୍ଦ୍ରର ସମୀକ୍ଷା କରିଥିଲି ଏବଂ ବାତ୍ୟା ସମୟରେ ନବୀନ ବାବୁଙ୍କୁ ସହଯୋଗ କରିଥିଲି । ମୋ ବିରୋଧରେ ଅପପ୍ରଚାର ବିଜୁ ଜନତା ଦଳକୁ ପରାଜୟ କରିଛି । ହାତ ଯୋଡ଼ି ବିଜେଡିର କର୍ମୀମାନଙ୍କୁ କ୍ଷମା ମାଗିଥିଲେ କାର୍ତ୍ତିକ ପାଣ୍ଡିଆନ । ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ । ଭିଡ଼ିଓ ବାର୍ତ୍ତା ଜାରି କରି ଘୋଷଣା କରିଥିଲେ କାର୍ତ୍ତିକ ପାଣ୍ଡିଆନ । ମାତ୍ର ଏବେ ତାଙ୍କ ଫଟୋ ପୁଣି ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏବେ ବି ବିଜେଡିରେ ସକ୍ରିୟ ପାଣ୍ଡିଆନ । ତେବେ ଆଗକୁ ଦେଖିବାକୁ ଅପେକ୍ଷା କ’ଣ ପଦକ୍ଷେପ ରହିବ ତାଙ୍କର ।
