ପୁଣି ଫେରୁଛନ୍ତି ପାଣ୍ଡିଆନ !

ଭୁବନେଶ୍ବର, ୫/୪ : ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଯେଉଁମାନେ ଜାଣିଛନ୍ତି, ସେମାନେ ଭଲ ଭାବେ ଅବଗତ ଯେ, ସେ ଚହଲା ପାଣିକୁ ଗୋଡ଼ ଦେବା ଲୋକ ନୁହନ୍ତି । ବିଜେଡିର ଧ୍ରୁବତାରାମାନଙ୍କୁ ଧରି ସେ ଆଗକୁ ମାଡ଼ିଯାଉଥିବା ଲୋକ । ଏଣୁ ସେ ନେଇଥିବା ପଦକ୍ଷେପରେ ଅଯାଚିତ ବିବାଦ ଆସିବା ଅନୁଚିତ। ହେଲେ ପର ମୁଣ୍ଡରେ ଅଠା ବୋଲିଲା ଭଳି ସସ୍ମିତ ଏବେ ପଡ଼ିଛନ୍ତି ଅଠାକାଠିରେ ।

ଏଠି ପ୍ରଶ୍ନ ଉଠୁଛି, ଏବେ ବି ପାଣ୍ଡିଆନ୍ଙ୍କ ଗେହ୍ଲା ପୁଅ ସାଜିଥିବା ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଗ୍ରହଣ କରିଥିବା ରାସ୍ତା ତାଙ୍କର ନିଜର ଥିଲା ନା କେହି ତାଙ୍କୁ ପ୍ରେରିତ କରିଥିଲେ ? ବିଜେଡିର ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସଙ୍ଗତି ପଛରେ ନବୀନ ବାବୁ ନା ଆଉ କିଏ ? ଜାଣି ଶୁଣି ଏମିତି କାହାକୁ ଲଣ୍ଡା କରିବାକୁ ଏପରି ଏକ ସମୀକରଣ ରଚା ଯାଉଛି କି ? ଏ ପ୍ରଶ୍ନକୁ ନେଇ ଆଜିର ଆଲୋଚନା ।ସସ୍ମିତ ପାତ୍ର ହେଉଛନ୍ତି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନେତା। ତାଙ୍କ ବାପା ସ୍ୱରୂପାନନ୍ଦ ପାତ୍ର ଓଡ଼ିଶା ସଂଖ୍ୟାଲଘୁ ଫୋରମର ଅଧ୍ୟକ୍ଷ ଥିଲେ। ଜଣେ ମ୍ୟାନେଜମେଣ୍ଟ ଶିକ୍ଷକ ଭାବେ ସସ୍ମିତ କାମ କରୁଥିବା ସମୟରେ ବାପାଙ୍କ ମୃତ୍ୟୁ ହୁଏ ଓ ତାଙ୍କର ଆବିର୍ଭାବ ହୁଏ ରାଜ୍ୟସଭାର ସଦସ୍ୟଭାବେ। ସେତେବେଳେ ବିଜେଡିର ସଂଖ୍ୟାଲଘୁ ତଥା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭୋଟ୍‍ ବିଭିନ୍ନ ସ୍ଥାନର ଆବଶ୍ୟକତାକୁ ତାଙ୍କର ଆଗମନ ପୂରଣ କରିଥିଲା ବୋଲି ଚର୍ଚ୍ଚା ହୋଇଛି। ଖାଲି ସେତିକିରେ ତାଙ୍କର ରାଜନୀତିକ ପ୍ରତିଷ୍ଠା ଅଟକି ନ ଥିଲା, ବରଂ ପାଣ୍ଡିଆନ୍‍ ଶାସନ ତାଙ୍କୁ ରାଜ୍ୟସଭାରେ ମୁଖ୍ୟ ଛାଟିଆ ଭାବେ ୨୦୧୯ ପ୍ରଥମ ସଦସ୍ୟତାରେ ହିଁ ପ୍ରଦାନ କରିଥିଲେ। ଏଥିରୁ ଆପଣ ପାଣ୍ଡିଆନ୍‍-ସସ୍ମିତ ସମ୍ପର୍କକୁ ଠଉରେଇ ପାରୁଥିବେ।ପୁଣି ୨୦୨୨ରେ ସେ ଆଉଥରେ ପୂର୍ଣ୍ଣକାଳୀନ ସଦସ୍ୟଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେ ରାଜ୍ୟସଭାରେ ଦଳର ନେତାଭାବେ କାର୍ଯ୍ୟ କରୁଛନ୍ତି। ସସ୍ମିତଙ୍କ ଠାଣି ଓ କଥା କହିବାର ଢଙ୍ଗ ଜାତୀୟ ଓ ରାଜ୍ୟ ମିଡିଆରେ ତାଙ୍କୁ ପରିଚିତ କରିଛି। ଏବେ ସେ ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତାଙ୍କର ସ୍ୱାଧୀନ ତଥା ମୁକ୍ତ ମତ ପ୍ରଦାନ । ରାଜ୍ୟସଭାରେ ଓ୍ୱାକ୍ଫଦ ବିଧେୟକ ପାରିତ ହେଉଥିବାବେଳେ ଦୁଇ ବିଜେଡି ସଂଖ୍ୟାଲଘୁ ନେତାଙ୍କ ପୃଥକ୍‍ ପୃଥକ୍‍ ମତ ପ୍ରକାଶ ଏବଂ ହିନ୍ଦୁ ସାଂସଦମାନଙ୍କର ନୀରବତା ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସ୍ପଷ୍ଟ ଭାବେ କହିଲେ, ବିଜେଡି ମୁସଲମାନ ନେତା ମୁନା ଖାନଙ୍କ ଓ୍ୱାକଫ୍‍ ବିଧେୟକ ବିରୁଦ୍ଧରେ ମତ ପ୍ରକାଶ ଏବଂ ସସ୍ମିତଙ୍କର ସପକ୍ଷରେ ଭୋଟ୍‍ ଦେଇଛନ୍ତି।

ଅପରପକ୍ଷେ ଶୁଭାଶୀଷ ଖୁଣ୍ଟିଆ, ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ଦେବାଶୀଷ ସାମନ୍ତରାୟଙ୍କ ଭଳି ହିନ୍ଦୁ ସାଂସଦମାନେ ଏହି ପ୍ରକ୍ରିୟାରେ ନୀରବ ରହିଛନ୍ତି। ଦେବାଶୀଷ ବିବାଦକୁ ଏଡ଼ାଇବା ଲାଗି ଭୋଟ୍‍ ଦେଇ ନ ଥିବାବେଳେ ଅନ୍ୟମାନେ ଭୋଟ୍‍ ଦେଇଛନ୍ତି କି ନା ତାହା ବି ସ୍ପଷ୍ଟ କରୁନାହାନ୍ତି।ଏ ସବୁ ଘଟଣା ସ୍ପଷ୍ଟ କରୁଛି ବିଜେଡିର ଦୁର୍ବଳ ନେତୃତ୍ୱ ଏବଂ ଦଳ ଭିତରେ ଅନେକ ନେତାଙ୍କ ଆବିର୍ଭାବ ହୋଇଛି। ଅର୍ଥାତ୍‍ ନବୀନ ପଟ୍ଟନାୟକ ଆଉ ଏକମାତ୍ର ନେତା ହୋଇ ରହି ନାହାନ୍ତି । ଯଦି ତାହା ହୋଇଥାଆନ୍ତା ତେବେ ବିଜେଡି କେଉଁ ଭଳି ଭାବେ ଓ୍ୱାକଫ୍‍ ବିଲରେ ଭୋଟ୍‍ ଦେବ ତାହା ସ୍ପଷ୍ଟ ହୋଇଥାଆନ୍ତା । କାରଣ ସମଦୂରତ୍ୱ ରାଜନୀତିରେ ବିଶ୍ୱାସ କରି ମଧ୍ୟ ରାଜ୍ୟସଭା ବା ଲୋକସଭାରେ ଏହା କେଉଁ ପକ୍ଷକୁ ସମର୍ଥନ କରିବ ତାହା ସବୁବେଳେ ସ୍ପଷ୍ଟ କରିଥାଏ । ଗଣମାଧ୍ୟମଠୁ ସାମାଜିକ ଗଣମାଧ୍ୟମ ଏହାକୁ ନେଇ ଡିଣ୍ଡିମ ପିଟନ୍ତି । ଏବେ ତାହା ନ ହେବାର ପ୍ରଥମ କାରଣ ହେଉଛି ବିଜେଡିର ସାଂସଦଙ୍କ ସଂଖ୍ୟା କେନ୍ଦ୍ର ରାଜନୀତିକୁ ଆଉ ପ୍ରଭାରବିତ କରୁନାହିଁ । ଲୋକସଭାରେ ତ କେହି ସାଂସଦ ନାହାନ୍ତି ତାହା ଜଣାଅଛି କିନ୍ତୁ ରାଜ୍ୟସଭାର ୭ଜଣଙ୍କ ଭୋଟ୍‍ ବି କେନ୍ଦ୍ର ରାଜନୀତି ପାଇଁ ଆଉ ଆବଶ୍ୟକ ହେଉ ନାହିଁ। ଅର୍ଥାତ୍ ଉଭୟ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ବିଜେଡି ଅଲୋଡ଼ା ହୋଇଛି। ସେଥିଲାଗି କଂଗ୍ରେସ କହୁଛି ବିଜେପି ସହ ଡିଲ ହୋଇନପାରିବାରୁ ବିଜେଡିରେ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଅର୍ଥାତ୍‍ ବିଜେପି ସହ କିଛି ବୁଝାମଣା ହୋଇଥିଲେ ବିଜେଡି ଏକାଠି ହୋଇଥାଆନ୍ତା କିନ୍ତୁ ଏଥର ସେମିତି କିଛି ବୁଝାମଣା ବା ଡିଲ ହୋଇପାରିନାହିଁ।ବିଜେଡି ଅଲୋଡ଼ା ଅର୍ଥାତ୍‍ ମେନାନୀତ ନେତା ବି ଅଲୋଡ଼ା।

ଏହିକ୍ରମରେ ବିଜେଡିର ସାଂସଦମାନେ ମନଇଚ୍ଛା ବ୍ୟବହାର କରୁଛନ୍ତି, ଆଉ ତାହା ହେବା ବି ସ୍ୱାଭାବିକ । ଅପରପକ୍ଷେ ଏହି ନେତାଙ୍କ ଭିତରୁ ଦେବାଶୀଷ ସାମନ୍ତରାୟଙ୍କୁ ଛାଡ଼ି ଦେଲେ ବାସ୍ତବରେ ଲୋକଙ୍କ ଦ୍ୱାରା ଅନ୍ୟ କୌଣସି ନେତା ଅତୀତରେ ନିର୍ବାଚିତ ହୋଇ ନାହାନ୍ତି। ଆଗକୁ ବି ସେମାନଙ୍କ ଭାଗ୍ୟ ଖୋଲିବ ଏବଂ ପ୍ରତ୍ୟକ୍ଷ ନିର୍ବାଚନରେ ସେମାନେ ଆସିବେ ତାହା କହିବା ବି କଷ୍ଟକର। ଏଣୁ ଏମାନେ ସ୍ୱାଧୀନ ମତ ଦେବାର ଯୋଗ୍ୟତା ବି ରଖିନାହାନ୍ତି। ସ୍ପଷ୍ଟ ଭାଷାରେ କହିଲେ ଆଜି ବି ଏମାନେ ଯାହା କରିଛନ୍ତି, ଯାହାକୁ ଭୋଟ୍‍ ଦେଇଛନ୍ତି ତାହା ବି କାହାଦ୍ୱାରା ପରିଚାଳିତ ହୋଇଛି।ନବୀନ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି କହିବା ଯାହା ନବୀନ ରାଜନୀତିରେ ଆଉ ରୁଚି ରଖୁ ନାହାନ୍ତି ବୋଲି କହିବା ତାହା। କାରଣ ବିଗତ ଦିନଗୁଡ଼ିକରେ ତାଙ୍କର ଯେଉଁ କାରବାର ସବୁ ଦେଖିବାକୁ ମିଳିଛି ସେଥିରୁ ତାହା ସ୍ପଷ୍ଟ ହୋଇଛି। ପୁଣି କିଛି ନେତା କହୁଛନ୍ତି ବିଜେଡି ବୈଠକରେ ନବୀନ ଏ ବିଷୟରେ ସ୍ପଷ୍ଟ କରିଥିଲେ। ତାହା କାର୍ଯ୍ୟକାରୀ କରାଯାଇ ନାହିଁ। ଅର୍ଥାତ୍‍ ପାଣ୍ଡିଆନ୍‍ ନୀରବ ରହିବାରୁ ଦଳରେ ସବୁ ଅଯାଚିତ କାରବାର ଚାଲିଛି ବୋଲି ଏକ ବାର୍ତ୍ତା ଦେବାକୁ ତଥାକଥିତ ଚାଣକ୍ୟ ଚାହିଁଛନ୍ତି। ଏହା ପାଣ୍ଡିଆନ୍‍ ଦମ୍ପତ୍ତିକୁ ଦଳୀୟ ରାଜନୀତିକୁ ନିମନ୍ତ୍ରଣ କରିବା ପାଇଁ ଏକ ସୁଚିନ୍ତିତ ଗୋଟି ଚାଳନା ହୋଇପାରେ। ଏହି ଗୋଟି ଚାଳନା ପାଣ୍ଡିଆନ୍ଙ୍କ ବିଶ୍ୱସ୍ତ ଖେଳାଳି ସସ୍ମିତ ପାତ୍ରଙ୍କ ମାଧ୍ୟମରେ ରଚା ଯାଇଛି ବୋଲି ରାଜନୀତିକ ପଣ୍ଡିତମାନେ ଚର୍ଚ୍ଚା କରୁଛନ୍ତି।

ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ପାଣ୍ଡିଆନ୍ଙ୍କୁ ଦଳର ସକ୍ରିୟ ସଦସ୍ୟଭାବେ ଫେରାଇ ଆଣିବା ଲାଗି ତଥା ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରିବାକୁ ଏକ କସରତ ନବୀନ ନିବାସରେ ହେବାକୁ ଯାଉଛି। ଏହି କସରତକୁ ସାରାରାଜ୍ୟରେ ପ୍ରସାରିତ କରାଯିବ। ପାଣ୍ଡିଆନ୍ଙ୍କ ବିନା ବିଜେଡି ଶାନ୍ତିସ୍ତୁପ ପାଲଟିଯିବ ବୋଲି ବି ଚର୍ଚ୍ଚା ଆରମ୍ଭ ହେଲାଣି। ଅର୍ଥାତ୍‍ ପୁଣି ପାଣ୍ଡିଆନ୍‍ ଫେରୁଛନ୍ତି। ଏହା ଧୀରେ ଧୀରେ ସ୍ପଷ୍ଟ ହେବାକୁ ଯାଉଛି।