ବାଇକ୍ ଲୁଟେରା ଗିରଫ, ଚୋରି ବାଇକ୍ ଜବତ

ଭୁବନେଶ୍ବର,୨୮/୫ : ଭରତପୁର ଥାନା ପୁଲିସ ଏକ ବାଇକ୍ ଲୁଟେରାକୁ ଧରିବାରେ ସଫଳ ହୋଇଛି । ଲୁଟେରା ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ବୈଦନାଥପୁର ଥାନା ଅନ୍ତର୍ଗତ ନାରାୟଣ ଦାସଙ୍କ ପୁଅ ସୋମ୍ୟରଞ୍ଜନ (୨୬) ବୋଲି ଜଣାପଡ଼ିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।ସୂଚନା ଅନୁଯାୟୀ, ତାରିଣୀ ପ୍ରସାଦ ବେହେରା ନାମକ ଜଣେ ଯୁବକ ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟକାଳୀ ବସ୍ତିରେ ରୁହୁଥିବାବେଳେ ଭରତପୁର ଥାନା ଅନ୍ତର୍ଗତ ସାମପୁରଠାରେ ଥିବା ମିଲନ ଟ୍ରାନ୍ସପୋର୍ଟ୍ କମ୍ପାନୀରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଗତକାଲି ମଧ୍ୟାହ୍ନରେ ତାରିଣୀ ପ୍ରସାଦ ନିଜ ପଲସର ମୋଟରସାଇକେଲକୁ ଅଫିସ ସମ୍ମୁଖରେ ପାର୍କିଂ କରି ଅଫିସ କାମ ଲାଗି ଭିତରକୁ ଯାଇଥିଲେ । ଏହି ସମୟରେ ସୋମ୍ୟରଞ୍ଜନ ଡୁପ୍ଲିକେଟ ଚାବି ବ୍ୟବହାର କରି କୌଶଳକ୍ରମେ ତାଙ୍କ ମୋଟରସାଇକେଲକୁ ସେଠାରୁ ଚୋରି କରି ନେଇଯାଇଥିଲେ । ପରେ ତାରିଣୀ ନିଜ ମୋଟରସାଇକେଲକୁ ଅଖାପାଖରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଉ ପାଇନଥିଲେ । ପରେ ସେ ଏ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମାଲାର ତଦନ୍ତ କରିବା ସହ ବିଶ୍ଵସ୍ତ ସୂତ୍ରରୁ ସୂଚନାପାଇ ସମ୍ ହସ୍ପିଟାଲ ପଛ ପାଖରେ ଥିବା ବାଗା ପାର୍କ ନିକଟରେ ଅତର୍କିତ ଚଢଉ କରିଥିଲା । ଏଥିରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବାବେଳେ, ତାଙ୍କ ନିକଟରୁ ସମ୍ପୃକ୍ତ ଚୋରା ମୋଟରସାଇକେଲକୁ ମଧ୍ୟ ଜବତ କରିଥିଲା । ପଚରାଉଚରାବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।