ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା, ସାଢ଼େ ୩ ଟାରୁ ଗଡ଼ିବ ରୁକୁଣା ରଥ

ଭୁବନେଶ୍ୱର,୫/୪ : ଆଜି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ର ବା ଭୁବନେଶ୍ୱରର ଏକ ଅନ୍ୟତମ ମହୋତ୍ସବ। ଯାହାକି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବା ଅଣଲେଉଟା ରଥଯାତ୍ରା। ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ।ରଥରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ରାଜଧାନୀର ଆରାଧ୍ୟ ଦେବତା।

ସେଥିପାଇଁ ନୀତି ନିର୍ଘଣ୍ଟ ମଧ୍ୟ ସରିଛି। ଅପରାହ୍ନ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ଭୋର୍‌ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି। ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣମେଲା ଦର୍ଶନ ଦେଇଛନ୍ତି।ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦୁଇ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ। ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀମା’ ଅଭିମୁଖେ ଗଡ଼ିବ।

ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ସାଢ଼େ ୭ଟାରେ ଅନ୍ୟାନ୍ୟ ନୀତି କରାଯିବ।ଆଜି ରାମେଶ୍ୱର ମନ୍ଦିରକୁ ବିଜେ କରିବେ ପ୍ରଭୁ ଲିଙ୍ଗରାଜ। ୪ ଦିନ ପରେ ପୁଣି ନିଜ ଆସ୍ଥାନକୁ ଫେରିବେ। ଅର୍ଥାତ୍ ୪ ଦିନ ପରେ ବାହୁଡ଼ା ଯାତ୍ରା। ସେପଟେ ଯେପରି ରଥଯାତ୍ରାରେ କୌଣସି ଅସୁବିଧା ନ ହେବ ତେଣୁ, ଶାନ୍ତିଶୃଙ୍ଖଳା ପାଇଁ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *