ପିନ୍ କଣ୍ଟା ଗିଳି ଚିତ୍କାର କରୁଥିଲେ ଛାତ୍ର…। ଶୁଣିଲେନି ଶିକ୍ଷକ, ଚାଲିଗଲା ଜୀବନ ।

ଏମିତି ବି ଆସେ ମୃତ୍ୟୁ। ଶିକ୍ଷକଙ୍କ ଛୋଟିଆ ଭୁଲ ପାଇଁ ଚାଲିଗଲା ୭ମ ଶ୍ରେଣୀ ଛାତ୍ରଙ୍କ ଜୀବନ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ସ୍କୁଲ ନୋଟିସ ବୋର୍ଡରେ ଲାଗିଥିବା ପିନ୍ କଣ୍ଟା ଗିଳି ଜଣେ ୭ମ ଶ୍ରେଣୀ ଛାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ତୁଷାର ମିଶ୍ର । ସେ ଧୋବାତୋଟା ସ୍ଥିତ ଆଦର୍ଶ ସ୍କୁଲରେ ପାଠ ପଢୁଥିଲେ ।

ସୂଚନା ମୁତାବକ, ଗତ ୧୫ ତାରିଖ ଦିନ ତୁଷାର ମିଶ୍ର ସ୍କୁଲର ନୋଟିସ ବୋର୍ଡରେ ବ୍ୟବହାର ହେଉଥିବା ପିନ୍ କଣ୍ଟାକୁ ଭୁଲବଶତଃ ଗିଳି ଦେଇଥିଲେ । ଏ ନେଇ ସେ ଶିକ୍ଷକଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ଶିକ୍ଷକ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଶିକ୍ଷକମାନେ ତାଙ୍କ କଥାକୁ ହେୟଜ୍ଞାନ କରିଥିଲେ। ସ୍କୁଲ ଛୁଟି ହେବା ପରେ ଛାତ୍ର ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

କଣ୍ଟା ଟି ତାଙ୍କ ଫୁସଫୁସରେ ଅଟକି ଥିବାରୁ ତୁଷାରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ପରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ କୌଣସି ସୁଫଳ ନ ମିଳିବା ପରେ ଡାକ୍ତର ତାଙ୍କୁ କଟକ ଶିଶୁ ଭବନକୁ ରେଫର କରିଥିଲେ । ସେଠାରେ ଡାକ୍ତରଙ୍କ ବହୁ ଚେଷ୍ଟା କରି ଛାତ୍ରଙ୍କ ଫୁସଫୁସରେ ଅଟକିଥିବା ପିନ୍ କଣ୍ଟାକୁ ବାହାର କରିଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୦ ଦିନ ଆଇସିୟୁରେ ରଖାଯାଇଥିଲା । ଗତ ୨୬ ତାରିଖରେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁ ଅକାଳରେ ଛାତ୍ରଙ୍କ ଜୀବନ ଚାଲିଗଲା ବୋଲି ପରିବାର ଲୋକେ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *