ପାଖେଇ ଆସିଲାଣି ନୂଆପଡ଼ା ଭୋଟ୍ ତାରିଖ । ଆଉ ମାତ୍ର ଗୋଟିଏ ସପ୍ତାହ ବାକି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପାଇଁ ପ୍ରଚାର କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ୭ ତାରିଖରେ ଯାଇପାରନ୍ତି ବୋଲି ଆଲୋଚନା ହେଉଥିଲା । କିନ୍ତୁ ସେଦିନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ ଥିବାରୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରଖାଯାଇଛି । କୋମନାରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଏହି ପ୍ରଚାରରେ ସାମିଲ ହେବେ। ପରେ ପଞ୍ଚମପୁରରେ ସାଧାରଣ ଏକ ସଭା କରିବେ ବିଷ୍ଣୁଦେବ। ତେବେ ଏସବୁ ଭିତରେ ଏବେ ସମସ୍ତଙ୍କ ନଜର ରହିଛି ମୋହନଙ୍କ ଉପରେ । କାରଣ ସୋମବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଇଙ୍ଗିତ କରି ନୂଆପଡାରେ ଯେଉଁ ବିସ୍ପୋରଣ କରିଥିଲେ, ସେ ନିଆଁରେ ଏବେ ବି ବିଜେପି ଜଳୁଛି । ତେଣୁ ମୋହନ ଜୟଙ୍କ ସପକ୍ଷରେ ବାହାରି ବିଜେଡିକୁ କଡ଼ା ଜବାବ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ବର୍ତ୍ତମାନ ବିଜେପିର ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ନୂଆପଡ଼ାରେ ଡେରା ପକାଇଛନ୍ତି । ଏଥିସହ ଦଳର କୋର କମିଟି ସଦସ୍ୟମାନେ ମଧ୍ୟ ନୂଆପଡ଼ାରେ ରହି ପ୍ରଚାର ରଣନୀତିକୁ ଆଗେଇ ନେଉଛନ୍ତି ।

