କ୍ଷତିରେ ଚାଲିଛି ଲକ୍ଷ୍ମୀ ବସ୍‌‌ ! ଉତ୍ତର ରଖିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୨୨/୮ : ବିଧାନସଭା ବଜେଟ ଅଧିବେଶର ତୃତୀୟ ଦିନରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ପ୍ରଧାନ। ଏହି କ୍ରମରେ ଲକ୍ଷ୍ମୀ ବସ ଯୋଜନା ବିଷୟ ଉଠାଇ କେତେ ଲାଭ ଓ କେତେ କ୍ଷତି ହୋଇଥିବାର ହିସାବ ମାଗିଥିଲେ ବିଧାୟକ। ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ମୀ ବସ୍‌‌ ଗୋଟିଏ ବର୍ଷର୍ରେ ମୋଟ ୩୯୯ କୋଟି ୧୨ ଲକ୍ଷ ୪୪ହଜାର ୬୪୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରୁ ଆଦାୟ ହୋଇଥିଲା ମାତ୍ର ୨୫କୋଟି ୩ଲକ୍ଷ। ଏହି ଯୋଜନାରେ ୩୭୪କୋଟି ୮ଲକ୍ଷ ୫୮ହଜାର ଟଙ୍କାର କ୍ଷତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।ପ୍ରକାଶ ଯେ, ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଥିଲା । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ୫-ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଥିଲା । ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ, ଲକ୍ଷ୍ମୀ ବସ୍‌ ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ସେ ପୁଣି କହିଥିଲେ ଯେ, ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ । ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।ତେବେ ବିଧାନସଭାରେ ଆଜି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ପ୍ରଧାନଙ୍କ ଉତ୍ତର ପରେ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ବାଚନ ସମୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। ମାତ୍ର କ୍ଷତିରେ ଚାଲୁଥିବା ବସ୍ କେତେ ଦିନ ଆଉ ଚାଲିବ । ତାକୁ ନେଇ ଚାଲିଛି ତର୍ଜମା ।