ରାଜ୍ୟ କଂଗ୍ରେସ : ଦଳର ନେତାଙ୍କୁ ଭୁଲିଗଲେ, ଅଜଣା ଲୋକଙ୍କୁ ମିଳିଲା ଟିକେଟ

ଭୁବନେଶ୍ବର, ୧୬/୪ : ନ ରୁ ନବେ – ଏଭଳି ଏକ ନାରା ରାଜ୍ୟ କଂଗ୍ରେସ କର୍ମୀଙ୍କୁ ବଳ ଯୋଗାଇଥିଲା । ହେଲେ ଟିକେଟ ଘୋଷଣା ପରେ ଯେମିତି ଏହା ବାଟବଣା ଲାଗୁଛି । କେହି ଯେମିତି ଏ ସୁବୁକୁ ହାଇଜାକ କରି ନେଇଛି । କେବଳ ଫମ୍ଫା ଭାଷଣରେ ସୀମିତ ରହିଗଲା କି ଏହି ନାରା ? ଏବେ ଏହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂଆ ମୁଖିଆ ଆସିବା ପରେ ଶୋଇପଡ଼ିଥିବା କଂଗ୍ରେସ ଦଳ ହଠାତ୍ ଯେମିତି ସତେଜ ହୋଇପଡ଼ିଥିଲା ।
ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଯୋଡ଼ି କର୍ମୀଙ୍କ ମନରେ ଏକ ନୂତନ ଉତ୍ସାହ ଖେଳାଇ ଦେଇଥିଲା । ମାତ୍ର ସିଟ୍ ଘୋଷଣା ପରେ ସବୁ ଷ୍ଟ୍ରାଟେଜୀ ଯେମିତି ବିକ୍ରି ହୋଇଯିବା ଭଳି ଲାଗୁଛି । ଅଜୟ କୁମାରଙ୍କ ଷ୍ଟାଇଲ୍ ରାଜ୍ୟ କଂଗ୍ରେସକୁ ଏକ ନୂଆ ମୋଡ଼ ଦେଇଥିଲା । ଯେପରିକି ବିଜେପି- ବିଜେଡି ବାହାଘର କରାଇ ରାଜ୍ୟ କଂଗ୍ରେସ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା । ତା’ପରେ ସମସ୍ତେ ଯେମିତି କଂଗ୍ରେସ ପ୍ରତି ପୁଣି ଥରେ ସେହି ପୁରୁଣା ଭଲ ପାଇବା ଅଜାଡ଼ି ଦେଇଥିଲେ । ଅନ୍ୟପଟେ ମାଷ୍ଟର କ୍ୟାଣ୍ଟିନର ଗାନ୍ଧୀ ମାର୍ଗରେ ଅଜୟ କୁମାରଙ୍କ ନିର୍ଦେଶରେ ହୋଇଥିବା ବଡ଼ ରାଲି ଦର୍ଶାଇଥିଲା କଂଗ୍ରେସର ଶକ୍ତି । ‘ପ୍ରଗମନ’ ଆପ୍ ଦ୍ବାରା ଦଳ ଘୋଷଣା କରିଥିଲା କି ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ । ସେହିଭଳି ପରେ କୁହାଯାଇଥିଲା କି ଯେଉଁମାନେ ଲଢିବେ ସେମାନେ ୫୦ହଜାରର ଜମା ରାଶି ରଖିବେ । କିନ୍ତୁ ଟିକେଟ ଘୋଷଣା ପରେ ପୁଣି ଯେମିତି ବ୍ୟାକଫୁଟକୁ ଚାଲିଯାଇଛି କଂଗ୍ରେସ । ଏଭଳି କି କିଛିଦିନ ହେବ ପ୍ରଭାରୀ ଅଜୟ କୁମାରଙ୍କୁ ଆଉ ଦେଖିବାକୁ ମିଳୁନି । ଓଡ଼ିଶାରୁ ଗାଏବ ହୋଇଯାଇଛନ୍ତି ଯେମିତି । ଟିକେଟ ଘୋଷଣା ବେଳେ କୁଆଡ଼େ ଗଲେ ପ୍ରଭାରୀ ଏବେ ଖୋଜା ପଡ଼ୁଛି । କାହିଁକି ଦେଖା ମିଳୁନି । ଏଭଳି କି ଜଣେ ଜଣେ ଅଭିଯୋଗ ଉଠାଉଛନ୍ତି କି ତଥ୍ୟ ପାଇଁ ପ୍ରଗମନ ଭେଳିକି କରିଥିଲେ ପ୍ରଭାରୀ । ଯାହାକି ସେ ଜାଣିବାକୁ ଚାହୁଁଥିଲେ ଯେ, ଓଡ଼ିଶାରେ କେତେ ଲୋକ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ।
ଦଳର ହେଭିଓ୍ବେଟ ଛାଡ଼ୁଛନ୍ତି ଦଳ । ଯଦି ନଜର ପକାଇବା କେନ୍ଦ୍ରାପଡ଼ାର କଥା ତେବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଗଣେଶ୍ବର ବେହେରା ଦଳ ଛାଡ଼ିବା ପରେ କହିଥିଲେ କି ଏ ଦଳରେ ଜିତିବା ଭଳି ମୋତେ ଆଉ ଦେଖାଯାଉନାହିଁ । ଏଣୁ ମୁଁ ଦଳ ଛାଡ଼ୁଛି । ସେହିଭଳି ଅଂଶୁମାନ ମଧ୍ୟ କଂଗ୍ରେସ ଛାଡ଼ି ଯାଇ ବିଜେଡିରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିଦ୍ବନ୍ଦୀତା କରୁଛନ୍ତି । ସେହିଭଳି ଜଟଣୀ କଥା ତ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ରାତି ପାହିଲେ ଟିକେଟ୍ ପାଇଁ କଂଗ୍ରେସ ଭବନରେ କଳି ହେଲା । ଟିକେଟ ଘୋଷଣା ପରେ ସିଧା ସଳଖ ଏବେ ସଂଗ୍ରାମ ରାଉତରାୟ ଆସି କହିଛନ୍ତି କି ଏଠି ଘୋଡ଼ା ବେପାର ଚାଲିଛି । ଯେତେ ପରିଶ୍ରମ କଲେ ବି ଏଠି ଲାଭ ନାହିଁ । ଯାହା ପାଖରେ ବଡ଼ ଗାଡ଼ି ଅଛି ଟଙ୍କା ଅଛି ସେ ହିଁ ଟିକେଟ ପାଉଛନ୍ତି । ଯେ କଂଗ୍ରେସ ବିଷୟରେ କିଛି ଜାଣିନାହାନ୍ତି ସେମାନଙ୍କୁ ଏମାନେ ଟିକେଟ ଦେଉଛନ୍ତି । ସେହିଭଳି ଧର୍ମଶାଳାର ଆଶାୟୀ ପ୍ରାର୍ଥୀ ଥିବା ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି କି ଲୋକେ ମୋତେ ଚାହୁଁଥିଲେ । ମୋତେ ଦେଇଥିଲେ ମୁଁ ନିଶ୍ଚିତ ଭାବେ ଜିତିଥାନ୍ତି । ଏ ଥିଲା କିଛି ଟା ଉଦାହରଣ । ଏଭଳି ଦଳ ପାଇଁ କାମ କରୁଥିବା ଅନେକ ନେତା ଏବଂ ଯୁବ ନେତାଙ୍କୁ ଦଳ ଆଜି ଆଡ଼େଇ ଦେଇଛି । ପ୍ରଶ୍ନ ଉଠୁଛି କାହାର ସ୍ବାର୍ଥରେ ଆଜି ଟିକେଟ ବଣ୍ଟା ହୋଇଛି । ଦଳର ନାଁ ବ୍ୟକ୍ତିଗତ ସ୍ବାର୍ଥ ରଖି ଦଳ ଟିକେଟ ବାଣ୍ଟିଛି । କେଉଁଠି ହେଉଛି ଟିକେଟ୍ ଫାଇନାଲ । ଏକ ପ୍ରହେଳିକା ମଧ୍ୟକୁ ଠେଲି ହୋଇଯାଇଛି ଆଜି ରାଜ୍ୟ କଂଗ୍ରେସ । ମାତ୍ର ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ମୋ ପାଖକୁ ଏଭଳି କିଛି କଥା ଆସି ନାହିଁ । ଯଦି ଦମ୍ ଅଛି ପ୍ରମାଣ ଦେଖାନ୍ତୁ, ମୁଁ ରାଜନୀତି ଛାଡ଼ିଦେବି ।