ଭୁବନେଶ୍ୱର, ୮/୧ : ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ଦିବସ । ଏହି ୩ ଦିନିଆ ସମାରୋହକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଜନତା ମୈଦାନରେ ଏକାଠି ହେବେ ୭୦ରୁ ଅଧିକ ଦେଶରୁ ଆସିଥିବା ପ୍ରାୟ ୪ ହଜାର ପ୍ରବାସୀ ଓ ବହୁ ଭିଭିଆଇପି ଅତିଥି।
ଆଜି ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର ଶୁଭାରମ୍ଭ କରିଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଏସ୍.ଜୟଶଙ୍କର ଓ ମନସୁଖ୍ ମାଣ୍ଡଭିୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଯେ ଭାରତ ସହ ପ୍ରବାସୀମାନଙ୍କର ସହଭାଗିତା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ। ଏଥିସହିତ 3T- ଟ୍ରେଡ୍, ଟେକ୍ନୋଲୋଜି ଓ ଟୁରିଜମ୍ରେ ସାମର୍ଥ୍ୟ ଯୋଗୁ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି କହିଥିଲେ।ସେହିପରି ମନସୁଖ୍ ମାଣ୍ଡଭିୟ ତାଙ୍କ ଭାଷଣରେ ଭାରତର ବିକାଶରେ ପ୍ରବାସୀଙ୍କ ଭାଗିଦାରୀ ବଢେଇବାକୁ ଆହ୍ୱାନ ଦେଇଥିଲେ। ବିଶେଷ କରି ଦେଶ ବିଦେଶରେ ଯୁବ ନେତୃତ୍ୱର ବିକାଶ ଏବଂ ଏକ ଲକ୍ଷ ଯୁବ ନେତୃତ୍ୱ ତିଆରି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
ଓଡ଼ିଆରେ ପ୍ରବାସୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଥିଲେ, ପ୍ରବାସୀମାନେ ହେଉଛନ୍ତି ବିକଶିତ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର। ଆମର ବିଶ୍ୱାସ ଯେ ଏହି ଅନୁଭୂତିକୁ ବିଶ୍ୱ ଦରବାରରେ ଆପଣ ମାନେ ପହଞ୍ଚାଇବେ।