କଂଗ୍ରେସ – ବିଜେଡି ମେଣ୍ଟ !

ଭୁବନେଶ୍ବର , ୨୫/୯ : ଖୋଲା ମଞ୍ଚରେ ଚାଞ୍ଚଲ୍ୟକର ବୟାନ ଦେଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। କହିଲେ କଂଗ୍ରେସ ସହ ହାତ ମିଳେଇ ରାଜ୍ୟରେ ସରକାର ଗଢିବ ବିଜେଡି । ପାରାଦୀପ କୁଜଙ୍ଗରେ ଆୟୋଜିତ ଦଳୀୟ ମଞ୍ଚରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ ଆହୁରି ମଧ୍ୟ କହିଛନ୍ତି, ସେ ନବୀନଙ୍କୁ ଭେଟିଥିଲେ । ସେହି ସମୟରେ ସେଠାରେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ନବୀନଙ୍କୁ ଦେବାଶିଷ କହିଥିଲେ, ବର୍ତ୍ତମାନ ୭ଟି ଆସନକୁ ନେଇ ନିର୍ବାଚନୀ ମାମଲା ଚାଲିଛି । ସେ ସବୁରେ ଉପନିର୍ବାଚନ ହେବ ।ଆଉ ଉପନିର୍ବାଚନ ସମୟରେ ନବୀନ ବାବୁ ସଂପୃକ୍ତ ଅଞ୍ଚଳକୁ ଯାଇ କେବଳ ହାତ ହଲାଇ ଦେଲେ ବିଜେଡି ସେଠାରେ ଜିତିବ। ଏହାପରେ ଆବଶ୍ୟକ ପଡ଼ିଲେ କଂଗ୍ରେସର ସମର୍ଥନ ନେଇ ବିଜେଡି ପୁଣି ରାଜ୍ୟରେ ସରକାର କରିବ ।

କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଟାର୍ଗେଟ୍‌ କରି ଦେବାଶିଷ କହିଛନ୍ତି, ମୋହନ ସରକାର ଦିଲ୍ଲୀରୁ ନିୟନ୍ତ୍ରିତ ହେଉଛି । କୁଜଙ୍ଗରେ ଗତ ୧୩ ତାରିଖରେ ବିଡିଓ ଓ ବିଜେଡି ଜନପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାକୁ ନେଇ କୁଜଙ୍ଗରେ ଗତକାଲି ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ।କାର୍ଯ୍ୟକ୍ରମରେ ସାଂସଦ ଦେବାଶିଷଙ୍କ ସହ ବିଜେଡି ନେତା ପ୍ରତାପ ଜେନା, ରଘୁନନ୍ଦନ ଦାସ, ପ୍ରଶାନ୍ତ ମୁଦୁଲି, ରାଜଶ୍ରୀ ମଲ୍ଲିକ, ବାପି ସର୍ଖେଲ, ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ତାଙ୍କ ଦଳ ଭିତରେ ବିରୋଧାଭାଷ ଥିବା ନେଇ ସେ ସ୍ବୀକାର କରିଥିଲେ । ଏହା ସତ୍ତ୍ବେ ଏକାଠି ହୋଇ ବିଜେପିକୁ ବିରୋଧ କରିବାକୁ ଆହ୍ବାନ ଦେଇଥିଲେ । ଆଉ କହିଥିଲେ, ବିଜେପିର ଦୁଇ ବିଧାୟକଙ୍କୁ ଜିଲ୍ଲାରେ ରାସ୍ତାରେ ଚଳାଇ ଦେବାନି ।କଂଗ୍ରେସ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା। ଖୋଲା ମଂଚରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଚାଂଚଲ୍ୟକର ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ବିଜେଡି ସହ ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁନି। କଂଗ୍ରେସ ଦକ୍ଷ ବିରୋଧୀ ଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି। ମୋକିମ୍ ପ୍ରଶ୍ନ କରିଛନ୍ତି, ଦେବାଶିଷ ସାମନ୍ତରାୟ କିଏ କଂଗ୍ରେସ ମେଣ୍ଟ ପ୍ରସଙ୍ଗରେ କଥା କହିବେ। ମୋକିମ୍ ପ୍ରଶ୍ନ କରିଛନ୍ତି, ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ କେମିତି ଜାଣିଲେ ଉପନିର୍ବାଚନ ହେବ। ସେପଟେ ଦେବାଶିଷଙ୍କ ମନ୍ତବ୍ୟକୁ କଟାକ୍ଷ କରିଛି ବିଜେପି। ଦଳ କହିଛି, ଏହା ପାଗଳର ପ୍ରଳାପ। ଦିନରେ ଶୋଇ ସ୍ବପ୍ନ ଦେଖୁଛନ୍ତି। ବିଜେଡିରୁ ଜଣଙ୍କ ପରେ ଜଣେ ନେତା ବିଜେପିକୁ ଆସୁଥିବାରୁ କର୍ମୀଙ୍କ ବଳ ଦେବାକୁ ଏମିକି ମନ୍ତବ୍ୟ ଦେଉଛନ୍ତି ।ଏପଟେ କଂଗ୍ରେସ ସହ ହାତ ମିଳାଇ ନୂଆ ସରକାର ଗଠନ କରିବା ପ୍ରସଙ୍ଗରେ ବିଜେଡି ସାଂସଦ ଦେବାଶିଷଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଏହା ତାଙ୍କର ବ୍ୟକ୍ତିଗତ ମତ । ଏହା ଦଳୀୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁନାହିଁ ବୋଲି ବିଜେଡି କହିଛି ।

ଏ ନେଇ ଦଳ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରିଛି। ଏକ ଗଠନମୂଳକ ବିରୋଧୀଦଳ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ବିଜୁ ଜନତା ଦଳକୁ ଓଡ଼ିଶାର ଜନସାଧାରଣ ଭୋଟ୍ ଦେଇଛନ୍ତି । ବିଜେଡି ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଏ ଦିଗରେ କାର୍ଯ୍ୟ ଜାରି ରଖିଛି ବୋଲି ବିଜେଡି ନିଜ ପୋଷ୍ଟରେ ଉଲ୍ଲେଖ କରିଛି।

Leave a Reply

Your email address will not be published. Required fields are marked *