ଭିନ୍ନ ସ୍ୱାଦର ଚଳଚ୍ଚିତ୍ର “କାନତରାଟି”ର ଶୁଭ ମହୁରତ

ଭୁବନେଶ୍ବର, ୧୪/୭ : ଏସ.ଏମ ଏଣ୍ଟରଟେନମେଣ୍ଟ ଏବଂ ଆମର ଷ୍ଟୁଡିଓଜର ପ୍ରଥମ ଅବଦାନ, ଚଳଚ୍ଚିତ୍ର – “କାନତରାଟି” ‘ଦ କଣ୍ଟ୍ରାକ୍ଟର’ର ଶୁଭ ମହୁରତ ଭୁବନେଶ୍ୱର କୋଳଥିଆସ୍ଥିତ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଛି l ଚଳଚ୍ଚିତ୍ରର ଏହି ଶୁଭ ମହୁରତ ଅବସରରେ ମାର୍ଗଦର୍ଶକ ଜଗନ୍ନାଥ ପଟ୍ଟନାୟକ, ପ୍ରଯୋଜିକା ଶ୍ରାବଣୀ ପଟ୍ଟନାୟକଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ କ୍ରିଉ, ଟେକନିସିଆନ୍ସ, କଳାକାର ପ୍ରମୁଖ ଉପସ୍ଥିତ ଥିଲେ l ସାଇକୋ, ଥ୍ରୀଲର ସହିତ ଜଣେ ସିରିଏଲ କିଲରର କାହାଣୀକୁ ନେଇ ନିର୍ମାଣ ହେଉଛି ଚଳଚ୍ଚିତ୍ର କାନତରାଟି l ଯାହାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ l ବିଗତ ଦିନମାନଙ୍କରେ ନିର୍ଦ୍ଦେଶକ ରମେଶ ରାଉତ ଗଡ୍ ଫାଦର, ଚାନ୍ଦ ନା ତୁମେ ତାରା, କାବୁଲା ବାର ବୁଲା, ଟୋକାଟା ଫଶି ଗଲା ଏବଂ ତୋର ମୋର କଟି ଭଳି ସମୁଦାୟ ୨୭ଟି ବହୁଭାଷୀ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇ ସାରିଛନ୍ତି l ତେବେ ଶୁଭ ମହୁରତ ହୋଇଥିବା ଚଳଚ୍ଚିତ୍ର କାନତରାଟିରେ ଓଲିଉଡ଼ର ବଛା ବଛା ଅଭିନେତା ଅଭିନେତ୍ରୀ ଦେବେଶ ରଞ୍ଜନ, ସୂର୍ଯ୍ୟମୟୀ, ମିତାଲି, ତାପସ ସରଘରିଆ, ବିଭାସ ଙ୍କ ସମେତ ଅନେକ କଳାକାର ରହିଛନ୍ତି l ଏହି ଚଳଚ୍ଚିତ୍ରର କାହାଣୀ ରମେଶ ରାଉତ ରଚନା କରିଛନ୍ତି, ଚିତ୍ରନାଟ୍ୟ ରମେଶ ରାଉତଙ୍କ ସହିତ ନିଶାନ୍ତ ମଜିଠିଆ ଏବଂ ସଂଳାପ ନିଶାନ୍ତ ମଜିଠିଆ ଲେଖିଛନ୍ତି l ପୂର୍ବରୁ ନିଶାନ୍ତ ଗୋଟିଏ ଟିଭି ସିନେମା ଏବଂ ୬ଟି ୱେବ ସିରିଜ୍ ର ସଂଳାପ ଲେଖି ଦର୍ଶକଙ୍କ ପସନ୍ଦର ସଂଳାପକାର ହୋଇପାରିଛନ୍ତି l ଚଳଚ୍ଚିତ୍ରର ଚିତ୍ରତ୍ତୋଳନ ଦାୟିତ୍ୱ ବିଶ୍ୱଜିତ କୁଲଡି ଏବଂ ସମ୍ପାଦନା ପିଣ୍ଟୁ ନାୟକ ନେଇଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଛନ୍ତି l କ୍ରିଏଟିଭ ହେଡ଼ ଅଛନ୍ତି ରୀତିଶ ପରିଡା l ସାଧାରଣ ନିର୍ବାଚନ ଋତୁ ଶେଷ ହେବା ପରେ ସିନେମା ଋତୁ ଆରମ୍ଭ ହୋଇଯାଇଛି ଓଲିଉଡ଼ରେ l ରାଜ୍ୟ ରାଜନୀତିରେ ଯେମିତି ପରିବର୍ତ୍ତନ ଆସିଛି ଠିକ ସେମିତି ଓଡ଼ିଆ ଚଳଚ୍ଚିତ୍ରର ଧାରା ମଧ୍ୟ ପରିବର୍ତ୍ତନ ହୋଇଛି ଯାହା ଫଳରେ ଦର୍ଶକ ଏବେ ପ୍ରେକ୍ଷାଳୟ ମୁହାଁ ହେଉଛନ୍ତି l ଚଳଚ୍ଚିତ୍ରର ଟାଇଟିଲରୁ ଜାଣିପଡ଼ୁଛି ଏହା ନିଶ୍ଚିତ ଭାବେ ପାରମ୍ପରିକ ପାରିବାରିକ କାହାଣୀଠୁ ଟିକେ ନିଆରା ହୋଇଥିବ l ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ଭାର ବହନ କରୁଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l ଓଡ଼ିଆ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଉନ୍ନତ ମାନର ଚଳଚ୍ଚିତ୍ର ଭେଟି ଦେବେ ଏବଂ ଦର୍ଶକ ବେଶ ପସନ୍ଦ କରିବେ ବୋଲି ପ୍ରଯୋଜିକା ଶ୍ରାବଣୀ ପଟ୍ଟନାୟକ ଆଶା ରଖିଛନ୍ତି l