କିଏ ହେବେ ରାଜ୍ୟ ବିଜେପି ସଭାପତି : ରେସରେ ମନମୋହନ- ଗୋଲକ- ବିଶେଶ୍ୱର

ଭୁବନେଶ୍ବର, ୧୯/୧୨ : ଜାନୁଆରୀ ମାସରେ ଓଡ଼ିଶା ବିଜେପିକୁ ନୂଆ ନେତୃତ୍ୱ ମିଳିବ ବୋଲି କେନ୍ଦ୍ରୀୟ ନେତାମାନେ ଘୋଷଣା କରିବା ପରେ କିଏ ରାଜ୍ୟ ସଭାପତି ହେବେ ଦଳ ଭିତରେ ଅଙ୍କକଷା ଆରମ୍ଭ ହୋଇଯାଇଛି । ମନମୋହନ ସାମଲ ପ୍ରାୟତଃ ନିଜେ ନିର୍ବାଚନରେ ଜିତିବା ବିଫଳ ହେଲେ ମଧ୍ୟ ଦଳ ପାଇଁ ଏକ ସଫଳ ନେତା ଭାବେ ପ୍ରତିପାଦିତ ହୋଇଛନ୍ତି ।

୨୦୦୦ ମସିହାରେ ପ୍ରଥମ ବିଜେଡ଼ି-ବିଜେପି ମେଣ୍ଟ ସରକାର ଏବଂ ୨୦୨୪ରେ ଏକାକି ବିଜେପି ସରକାର ଗଠନ କରିବାରେ ମନମୋହନ ସାମଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ନିର୍ବାଚନର କିଛିମାସ ପୂର୍ବରୁ ରାଜ୍ୟ ସଭାପତିର ଦାୟିତ୍ୱ ନେଇ ମନମୋହନ ସାମଲ ବିଜେପି ସଂଗଠନ ସୁଦୃଢ଼ କରିବାରେ ଯେଉଁ ସଫଳତା ହାସଲ କରିଛନ୍ତି ସେଥିପାଇଁ ଦଳର ବରିଷ୍ଠ ନେତା ଓ କର୍ମୀଙ୍କ ଆଲୋଚନାରୁ ମତ ପ୍ରକାଶ ପାଉଛି ଶ୍ରୀ ସାମଲଙ୍କୁ ପୁନଃ ରାଜ୍ୟ ସଭାପତି କରାଯାଉ। ଯଦି ମନମୋହନ ସାମଲଙ୍କୁ ତାଙ୍କ କାର୍ଯ୍ୟ ପ୍ରତିବଦଳରେ ଦଳ ସରକାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରନ୍ତି ତେବେ ସେ ସଂଗଠନକୁ ଅଧିକ ସମୟ ଦେବା ସମ୍ଭବ ହୋଇନପାରେ । ତେଣୁ ଏବେ ଦଳର ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନାମ ରାଜ୍ୟ ସଭାପତି ରେସ୍‌ ପାଇଁ ଚର୍ଚ୍ଚା ପରିସରଭୁକ୍ତ ହୋଇଛି । ଗୋଲକ ମହାପାତ୍ର ନିର୍ବାଚିତ ନେତା ନ ହେଲେ ମଧ୍ୟ ଦକ୍ଷ ସଂଗଠକ ଭାବେ ଦଳ ଭିତରେ ଚର୍ଚ୍ଚିତ ଚେହେରା । ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ବିଜେଡ଼ିକୁ କାଉଣ୍ଟର କରିବା ଏବଂ ଦଳର ଆଭିମୁଖ୍ୟ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆଣିବାରେ ନିଜ ଦକ୍ଷତା ପ୍ରତିପାଦନ ଶ୍ରୀ ମହାପାତ୍ର କରିଛନ୍ତି ।ନେତା ଓ କର୍ମୀଙ୍କୁ ସାଙ୍ଗରେ ନେଇ ଚାଲିବାରେ ଶ୍ରୀ ମହାପାତ୍ର ଜଣେ ଦକ୍ଷ ନେତା ବୋଲି ମଧ୍ୟ ଦଳୀୟ ମହଲରେ ଆଲୋଚନା ହୁଏ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନାମ ରାଜ୍ୟ ସଭାପତି ରେସ୍‌କୁ ଆସିବାରେ ଯାହା ଶୁଣିବାକୁ ମିଳୁଛି ଦଳ ପାଇଁ ତାଙ୍କର ଆନୁଗତ୍ୟତା ।

୧୯୯୮ ଏବଂ ୧୯୯୯ରେ ମୟୁରଭଂଜ ଲୋକସଭା ନିର୍ବାଚନମଣ୍ଡଳୀର ସାଲଖାନ୍‌ ମୁର୍ମୁ ବିଜେପି ଟିକେଟରେ ଦୁଇଥର ନିର୍ବାଚିତ ହୋଇଥିଲେ । ୨୦୦୪ ନିର୍ବାଚନରେ ଶୁଭମ୍‌ ମାରାଣ୍ଡି ଜେଏମଏମ୍‌ରୁ ଜିତିଥିବା ସମୟରେ ୨୦୦୯ରେ ଲକ୍ଷ୍ମଣ ଟୁଡୁ ଓ ୨୦୧୪ରେ ରମେଶ ଚନ୍ଦ୍ର ହାଁସଦା ନିର୍ବାଚିତ ହୋଇ ଦଶ ବର୍ଷ ବିଜେଡ଼ି ଅକ୍ତିଆରରେ ଉକ୍ତ ଆସନ ରଖିଥିଲେ । ଦୀର୍ଘ ୧୫ ବର୍ଷ ପରେ ବିଜେପି ଖାତାକୁ ମୟୁରଭଂଜ ଆସନ ଆଣିବାରେ ବିଶେଶ୍ୱର ଟୁଡୁ ସଫଳ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଶେଶ୍ୱର ଟୁଡୁ ବିଜୟ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମଧ୍ୟ ପାଇଥିଲେ । ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ନବଚରଣ ମାଝୀଙ୍କୁ ଟିକେଟ୍‌ ଦେଇଥିଲା । ନବଚରଣ ମାଝୀଙ୍କୁ ସାଂସଦ ଭାବେ ନିର୍ବାଚିତ କରାଇବା ଏବଂ ଦଳର ଆଦେଶ ମାନି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ବିଶେଶ୍ୱର ଅବହେଳା କରିନାହାଁନ୍ତି । ନିଜ ଅପେକ୍ଷା ଦଳକୁ ପ୍ରାଥମିକତା ଓ ଦଳ ପାଇଁ ଆନୁଗତ୍ୟତା ସହ ଜଣେ ଦକ୍ଷ ନେତା ଭାବେ ବିଶେଶ୍ୱରଙ୍କ ନାମ ମଧ୍ୟ ବିଜେପି ରାଜ୍ୟ ସଭାପତି ରେସ୍‌ରେ ଥିବା ଶୁଣିବାକୁ ମିଳୁଛି ।

ନୂଆ ବର୍ଷରେ ନୂଆ ସଭାପତି ବିଜେପିକୁ ମିଳିବା ସଙ୍ଗେ ବିଜେପି ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଜାନୁଆରୀ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ହୋଇପାରେ ବୋଲି ଶୁଣିବାକୁ ମିଳୁଛି । ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶାରେ ଥିବା କିଛି ନେତାଙ୍କୁ ଦଳୀୟ ଦାୟିତ୍ୱରେ ଥଇଥାନ କରିବା ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ବିଜେପିର ବରିଷ୍ଠ ନେତାଙ୍କ ଆଲୋଚନାରୁ ଶୁଣିବାକୁ ମିଳୁଛି । ନୂଆ ବର୍ଷରେ ବିଜେପିକୁ ନୂଆ ନେତୃତ୍ୱ ଏବଂ ମୋହନ ମାଝୀଙ୍କ ସରକାରରେ କିଛି ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିବାର ସମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *