ପୁଣି ଚର୍ଚ୍ଚାରେ ଭି କେ ପାଣ୍ଡିଆନ, ତାଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ପୃଥ୍ୱୀରାଜ ହିରିଚନ୍ଦନ

ଭୁବନେଶ୍ୱର,୧୧/୮ : କିଛି ଦିନର ନିରବତା ପରେ ପୁଣି ରାଜ୍ୟରେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା। ବିଜେଡିର ପରାଜୟ ପରେ ପାଣ୍ଡିଆନଙ୍କ ଭୂମିକାକୁ ନେଇ ତର୍ଜମା ଆରମ୍ଭ ହୋଇଥିଲା । ଶାସକ ଦଳର କିଛି ନେତା ମଧ୍ୟ ସିଧାସଳଖ ଏ ନେଇ ଖୋଲାଖୋଲି ବିରୋଧ ମଧ୍ୟ କରିଥିଲେ । ମାତ୍ର ଦଳର ସୁପ୍ରିମୋଙ୍କ ବୟାନ କିନ୍ତୁ ସବୁ କିଛି ନିରବ କରି ଦେଇଥିଲା । ଏହାପରେ ସେ ରାଜନୀତିରୁ ସନ୍ୟାସ ମଧ୍ୟ ନେଇଛନ୍ତି । ମାତ୍ର ଓଡ଼ିଶାରେ ସେ ଛାୟା ଭାବେ ରହି ସବୁ କିଛି ବୁଝୁଛନ୍ତି ତାହା କିନ୍ତୁ ଏବେ ଟୁପୁରୁଟାପୁରୁ ହେଉଛନ୍ତି ଦଳୀୟ ଲୋକେ । କୁହାଯାଉଛି କି ସବୁ କିଛି ପାଣ୍ଡିଆନଙ୍କ ଇସାରାରେ ଚାଲୁଛି । ତେବେ ଏହାରି ଭିତରେ ଏବେ ବଡ଼ ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ଏବେ ଅଡ଼ୁଆରେ ପାଣ୍ଡିଆନ । ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାକୁ ନେଇ ତଦନ୍ତ ହେବ । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହିରିଚନ୍ଦନ ବୟାନ ଦେଇଛନ୍ତି । ଜଣେ ସଚିବଙ୍କୁ ହେଲିକପ୍ଟରରେ ବୁଲିବାକୁ କିଏ ଅନୁମତି ଦେଲା ? ହେଲିପ୍ୟାଡ୍ ନିର୍ମାଣ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ? ଖର୍ଚ୍ଚ କିପରି ହୋଇଛି ତାହା ତଦନ୍ତ ପରିସରଭୁକ୍ତ ହେବ ବୋଲି ସେ କହିଛନ୍ତି ।୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି,କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୁଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା । ପାଣ୍ଡିଆନ ପାଖାପାଖି ୪୦୦ ରୁ ୪୫୦ ଜାଗା ବୁଲିଛନ୍ତି । ହେଲିପ୍ୟାଡ଼ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।