ଭୁବନେଶ୍ବର, ୭/୩ : କିଟ୍ରେ ଆଜି ବି ଦ୍ଵିତୀୟ ଦିନରେ ତନାଘନା କରିପାରେ ଏନଏଚ୍ଆର୍ସି ଟିମ୍ । ଗତକାଲି ଲ’ ରେଜିଷ୍ଟ୍ରାର ଯୋଗୀନ୍ଦର ସିଂହଙ୍କ ନେତୃତ୍ବରେ ଦୁଇ ଜଣିଆ ଦଳ କିଟ୍ କ୍ୟାମ୍ପସରେ ପହଞ୍ଚି ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ମାମଲାରେ ଯିଏ ବି ଚାହିଁବେ ତଦନ୍ତକାରୀ ଦଳକୁ ସୂଚନା ଦେଇପାରିବେ ବୋଲି ଏନ୍ଏଚ୍ଆର୍ସି ସଦସ୍ୟ ପ୍ରିୟଙ୍କ କାନୁନଗୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆସନ୍ତା ୧୦ ତାରିଖ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ଲାଗି ଆୟୋଗଙ୍କ ନିର୍ଦେଶ ରହିଛି। ଅଭିଯୋଗ ଅନୁସାରେ ସମସ୍ତ ତଥ୍ୟ ସଂଗ୍ରହ ପର୍ଯ୍ୟନ୍ତ ତଦନ୍ତ ଜାରି ରହିବ ବୋଲି ଲ’ ରେଜିଷ୍ଟ୍ରାର କହିଛନ୍ତି। ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ, ତାଙ୍କ ମୃତ୍ୟୁ ପରେ ପ୍ରତିବାଦ କରୁଥିବା ଅନ୍ୟ ନେପାଳ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା କର୍ମଚାରୀଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଏସବୁ ଦିଗରେ ତଦନ୍ତକାରୀ ଦଳ ତଥ୍ୟ ଯୋଗାଡ଼ ଲାଗି ତଦନ୍ତ ଚଳାଇଛନ୍ତି। କିସ୍ରେ ଅନ୍ତେବାସୀଙ୍କ ସମ୍ପର୍କରେ ମଧ୍ୟ ଏନ୍ଏଚ୍ଆର୍ସି ତଥ୍ୟ ସଂଗ୍ରହ କରିବେ। ଏପରିକି କିଟ୍ ଦଖଲରେ ଥିବା ସରକାରୀ ଜମି ସମ୍ପର୍କରେ ମଧ୍ୟ ତଦନ୍ତକାରୀ ଦଳ ଖୋଳତାଡ଼ କରିବେ ବୋଲି ଜଣାପଡ଼ିଛି। ପ୍ରଥମ ଦିନର ତଦନ୍ତ ଶେଷ ହୋଇଛି।
ପାଞ୍ଚ ଘଣ୍ଟା ଧରି ତଦନ୍ତକାରୀ ଦଳ କ୍ୟାମ୍ପସରେ ତଦନ୍ତ କରିଥିଲେ। ମୃତ ଛାତ୍ରୀ ରହୁଥିବା ହଷ୍ଟେଲ ୱାର୍ଡେନ ଓ ତାଙ୍କ ସହପାଠୀଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଛନ୍ତି।ଏକ ଟିମ୍ ଗଠନ କରି ଘଟଣାର ସରଜମିନ ତଦନ୍ତ ପାଇଁ ଆୟୋଗ ଏନ୍ଏଚ୍ଆର୍ସିର ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦେଶ ଦେଇଥିଲେ। ଏନ୍ଏଚ୍ଆର୍ସିଙ୍କ ଇନଭେଷ୍ଟିଗେସନ ଡିଭିଜନ ଓ ଲ’ ଡିଭିଜନର ଅଧିକାରୀଙ୍କୁ ନେଇ ତଦନ୍ତ ଟିମ୍ ଗଠନ ହୋଇଥିଲା। ଆସନ୍ତା ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଆୟୋଗଙ୍କ ନିର୍ଦେଶ ରହିଛି। ଆଇନ ବିଭାଗର ରେଜିଷ୍ଟ୍ରାର ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଇବେ ବୋଲି ନିର୍ଦେଶରେ କୁହାଯାଇଥିଲା। ଆୟୋଗଙ୍କ ନିର୍ଦେଶ ଅନୁସାରେ ଏନ୍ଏଚ୍ଆର୍ସି ତଦନ୍ତକାରୀ ଦଳ ଗୁରୁବାର ଭୁବନେଶ୍ବରରେ ପହଞ୍ଚିଥିଲେ। ପରେ କିଟ୍ କ୍ୟାମ୍ପସରେ ତଦନ୍ତ ଆରମ୍ଭ କରିଥିଲେ। ନେପାଳ ମାନବାଧିକାର ଆୟୋଗ ଏହି ଘଟଣାକୁ ନେଇ ଭାରତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଗତ ୧୬ ତାରିଖ ରାତିରେ କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ କ୍ୟାମ୍ପସରୁ ପ୍ରକୃତିଙ୍କ ମୃତଦେହ ମିଳିଥିଲା।