ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ : ରାଜ୍ୟ ବିଜେପି ଏବେ ଦୁଇ ଫାଳ କି ?

ଭୁବନେଶ୍ବର, ୨୧/୮ : ରାଜ୍ୟ ବିଜେପି‌ରେ ଏବେ ସବୁ ଠିକ୍ ଠାକ୍ ଚାଲିଛି ତ ? ଏ ପ୍ରଶ୍ନ ଆମେ ପଚାରୁନୁ ଏବେ ସାଧାରଣ ଲୋକଙ୍କ ପ୍ରଶ୍ନ ଏହା । ଆଜିର ଚିତ୍ରକୁ ଦେଖି ଏବେ ବାହାରେ ଟୁପୁରୁଟାପୁରୁ ହେଲେଣି ଲୋକେ । କହିଲେଣି କି ରାଜ୍ୟ ବିଜେପି ଏବେ ଦୁଇ ଫାଳ କି ? ରାଜ୍ୟରେ ନୂତନ ସରକାର ଗଢିଛି ବିଜେପି । ୨୪ବର୍ଷର ସରକାରକୁ ଗାଦି ଚ୍ୟୁତ କରି ସରକାରକୁ ଆସିଛି ଶାସକ ବିଜେପି । ମାତ୍ର ଆଜିର ନାମାଙ୍କନ ପ୍ରକ୍ରିୟା ଦେଖିଲେ କେମିତି କଥାଟା ହଜମ ହେଉନି । ଲାଗୁଛି ଯେମିତି ଏବେ ରାଜ୍ୟ ବିଜେପି କିଛି ଠିକ୍ ଚାଲି ନାହିଁ ।

ଦୁଇ ଦୁଇ ଜଣ ଭରିଲେ ରାଜ୍ୟସଭା ନାମାଙ୍କନ ପତ୍ର । ଆଜି ଶେଷ ଦିନ ଥିଲା । ଆଜି ପ୍ରଥମେ ଗତକାଲି ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବା କୁଡ଼ୁମୀ ସମ୍ପ୍ରଦାୟର ବରିଷ୍ଠ ନେତ୍ରୀ ମମତା ମହାନ୍ତ ନାମାଙ୍କନ ଭରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂ ତୋମାରଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଥିଲେ।ମାତ୍ର ପରେ ଏକ ଭିନ୍ନ ଚିତ୍ର ନଜରକୁ ଆସିଥିଲା । ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ହଠାତ୍ ଆସି ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି । ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନଥିବା ବେଳେ ସେ ଆଜି କାହିଁକି ନାମାଙ୍କନ ଦାଖଲ କଲେ, ତାହା ଜଣାପଡ଼ି ନାହିଁ। ତାଙ୍କ ନାମାଙ୍କନରେ ୧୦ ଜଣ ବିଧାୟକ ପ୍ରସ୍ତାବକ ପଡ଼ିଛନ୍ତି। ଗୋଟିଏ ସେଟ୍‌ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ। ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି।ବିଜେପିର ଜଣେ ଟାଣୁଆ ନେତା ହେଉଛନ୍ତି ଜଗନ୍ନାଥ ପ୍ରଧାନ।

ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ତାଙ୍କ ନିକଟର ପ୍ରତିଦ୍ୱନ୍ଦ୍ୱୀ ଅନନ୍ତ ନାରାୟଣ ଜେନାଙ୍କଠାରୁ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ।

ସେହିଭଳି ମମତା ମହାନ୍ତ ମୟୁରଭଞ୍ଜ କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ । ମମତା ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ମସିହା ଏପ୍ରିଲ ୨ ତାରିଖରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା । ମାତ୍ର ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ।

Leave a Reply

Your email address will not be published. Required fields are marked *