ସରିଲା ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଥିବା ବେଳେ ଶେଷ ଦିନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ନାମାଙ୍କନ ଭରିବା ପୂର୍ବରୁ ସେ ମାଆ ଦୂର୍ଗାଙ୍କର ଦର୍ଶନ କରିଥିଲେ । ଏହାପରେ ଏକ ବିରାଟ ପଟୁଆରରେ ଯାଇ ପ୍ରାର୍ଥୀପତ୍ର ଦାଖଲ ପାଇଁ କରିଥିଲେ । ଏହି ସମୟରେ ତାଙ୍କ ସହ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝି ତାଙ୍କର ଦମ୍ ଦେଖାଉଥିବା ବେଳେ ଏବେ ସେଥିରେ ସ୍ନେହାଙ୍ଗିନୀ ବି ସାମିଲ ହୋଇଛନ୍ତି । ବିଜେଡିର ନୂଆ ରଣନୀତି ସହ ସେ ରଣଭୂମିକୁ ଓହ୍ଲାଇଛନ୍ତି । ଏବେ ହେବ ଜୋରଦାର ଲଢେଇ ।

ହାତରେ ଆଉ କମ ଦିନ ଥିବାରୁ ଭୋଟରଙ୍କ ନିକଟରେ ହେଉଛନ୍ତି ପ୍ରାର୍ଥୀମାନେ । ନଭେମ୍ବର ୧୧ ରେ ହେବ ନୂଆପଡା ଉପନିର୍ବାଚନ। ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସାରିଥିବା ବେଳେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନୂଆପଡାରେ ୩୫୮ଟି ମତଦାନ କେନ୍ଦ୍ର ରହିଛି । ସବୁ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯିବ । ତେବେ ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ ।
