ଆସନ୍ତାକାଲି ଭାରତ ବନ୍ଦ: ସରକାରୀ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୦/୮ : ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଆସନ୍ତାକାଲି ୧୨ଘଂଟିଆ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସଚିବାଳୟ(ଲୋକସେବା ଭବନ)ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯିବା ସହ ମୁଖ୍ୟ ଫାଟକ ୧୦ଟା ୧୫ମିନିଟରେ ବନ୍ଦ ହୋଇଯିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆଜି ଗୃହ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ସଚିବମାନଙ୍କୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ସମେତ ବିଭାଗୀୟ ମୁଖ୍ୟ ଦପ୍ତରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବାରୁ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କୁ ଅତିବେଶୀରେ ସକାଳ ସାଢ଼େ ୯ଟା ସୁଦ୍ଧା ପହଂଚିବାକୁ ପରାମର୍ଶ ଦିଆଯାଇଛି । ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି ଏବଂ ସମସ୍ତ କର୍ମଚାରୀଙ୍କୁ ଅବଗତ ପାଇଁ ମଧ୍ୟ ଗୃହ ବିଭାଗ କହିଛି ।ସେହିପରି ଲୋକସେବା ଭବନର ମୁଖ୍ୟ ଗେଟ୍ ସକାଳ ୧୦ଟା ୧୫ମିନିଟରେ ବନ୍ଦ ହୋଇଯିବ । ଏହି ଅବଧି ମଧ୍ୟରେ ପଛଗେଟ୍ ଦେଇ ଯାତାୟତ କରିହେବ । କର୍ମଚାରୀ ଓ ଭିଜିଟରଙ୍କ ପାସ୍ ଓ ଆଇକାର୍ଡକୁ କଡ଼ାକଡ଼ି ଯାଂଚ କରାଯିବ । କାରପାସ୍ ଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଆସନ୍ତାକାଲି ବନ୍ଦକୁ ଦୃଷ୍ଟିରେ ରଖି ସାଧାରଣ ଭିଜିଟରଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଯଦି ଅତି ଜରୁରୀ ଥିବ ସମ୍ପୃକ୍ତ ବିଭାଗର ସୁପାରିଶ୍ ଆଧାରରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏହି ଅସ୍ଥାୟୀ ପାସ୍ ଜାରି କରିବେ । ମାତ୍ର ସମ୍ପୃକ୍ତ ଭିଜିଟରଙ୍କୁ ନିଜର କାମ ତୁରନ୍ତ ଶେଷ କରି ଫେରିବାକୁ ପଡ଼ିବ ବୋଲି ଚିଠିରେ ଉଲ୍ଲେଖ ରହିଛି । କର୍ମଚାରୀମାନେ ଅଯଥାରେ ବାହାରେ ବୁଲାବୁଲି ନକରି ନିଜ ସିଟରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *