ସେପ୍ଟେମ୍ବର ୨ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର, ୧/୯ : ଆସନ୍ତାକାଲି ଅର୍ଥାତ ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଚଳିତ ମାସରେ ୩ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବା ନେଇ ପୂର୍ବରୁ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ସେପ୍ଟେମ୍ବର ୨, ୯ ଓ ୧୬ ତାରିଖରେ ଶୁଣାଣି ବନ୍ଦ ରହିବ ।ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହୁଥିବାରୁ ସେପ୍ଟେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗର ଶୁଣାଣି କରିବେ ନାହିଁ ।

ସେହିପରି ନୂଆଖାଇ ପରିପ୍ରେକ୍ଷୀରେ ୯ ତାରିଖ ଛୁଟି ଥିବାରୁ ଓ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ୧୬ ତାରିଖ ସରକାରୀ ଛୁଟି ଥିବାରୁ ଏହି ଦୁଇ ଦିନ ମଧ୍ୟ ଶୁଣାଣି ବନ୍ଦ ରହିବ । ଶୁଣାଣିର ପରବର୍ତ୍ତୀ ତାରିଖ ବାବଦରେ ଜନସାଧାରଣଙ୍କୁ ସମ୍ବାଦପତ୍ର ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା ।