ଆଇସିୟୁରେ ହେଲା ବିବାହ

ନୂଆଦିଲ୍ଲୀ, ୨୯/୯ : ପୁଣେ ସହରର ଏକ ଡାକ୍ତରଖାନା ଆଇସିୟୁରେ ବାହାଘର ସମ୍ପନ୍ନ ହେବା ସହରରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବାପାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ପୁଅ ଏହି ପଦକ୍ଷେପ ନେଇଥିଲେ । ୩୪ବର୍ଷିୟ ଧ୍ୟାନେସ ଏନ୍‍.ଦେବ ପେଶାରେ ଜଣେ ବ୍ୟବସାୟୀ ହୋଇଥିଲା ବେଳେ ତାଙ୍କ ବାପାଙ୍କର ଇଚ୍ଛା ଥିଲା ଧ୍ୟାନେସ ଏବଂ ସୁବର୍ଣ୍ଣାଙ୍କ ବିବାହ ଦେଖିବେ ।ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିଲା ବେଳେ ହଠାତ୍‍ ଅସୁସ୍ଥ ହୋଇପଡିଥିଲେ ଧ୍ୟାନେସଙ୍କ ବାପା ନନ୍ଦ କୁମାର ଦେବ । ତୁରନ୍ତ ନନ୍ଦ କୁମାରଙ୍କୁ ଦିନାନାଥ ମଙ୍ଗେସକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ବାପାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଧ୍ୟାନେସ ସୁବର୍ଣ୍ଣାଙ୍କ ପରିବାର ସହ ଡାକ୍ତରଖାନାରେ ବିବାହ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇ ପରିବାରର ସହମତି ପରେ ଏହି ଇଚ୍ଛାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ଆଉ ଏଥିରେ କର୍ତ୍ତୃପକ୍ଷ ମଧ୍ୟ ସହମତି ଦେଇଥିଲେ । ଦୁଇ ପରିବାରର କିଛି ସଦସ୍ୟଙ୍କ ଉପସ୍ଥିତିରେ ଆଇସିୟୁ ଭିତରେ ନନ୍ଦ କୁମାରଙ୍କ ଆଗରେ ଧ୍ୟାନେସ୍‍ ବରଣମାଳା ପିନ୍ଧାଇଥିଲେ ସୁବର୍ଣ୍ଣାଙ୍କୁ । ବିବାହର ୧୨ଘଣ୍ଟା ପରେ ଆଖି ବୁଜିଥିଲେ ନନ୍ଦ କୁମାର ।

Leave a Reply

Your email address will not be published. Required fields are marked *