ନୂଆଦିଲ୍ଲୀ,୩୦/୩ : ଦିଲ୍ଲୀସ୍ଥିତ ତିହାର ଜେଲକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି। ଜେଲ ସ୍ଥାନାନ୍ତରଣ ସର୍ଭେ କାର୍ଯ୍ୟ ପାଇଁ ଚଳିତ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି। ଦିଲ୍ଲୀର ଆବାସିକ ସ୍ଥଳରେ ଏହି ଜେଲ ଅବସ୍ଥିତ ହୋଇଥିବାରୁ ଆଖପାଖରେ ବାସ କରୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ତେଣୁ ତିହାର ଜେଲକୁ ଦିଲ୍ଲୀ ଉପକଣ୍ଠସ୍ଥ କୌଣସି ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା କରାଯାଇଛି। ୧୯୫୮ରେ ସ୍ଥାପିତ ତିହାର ଦେଶର ଅନ୍ୟତମ ବୃହତ୍ତମ ଜେଲ ଭାବେ ପରିଗଣିତ ହୋଇଥାଏ। ୪୦୦ ଏକର ଜମିରେ ନିର୍ମିତ ତିହାର ପରିସରରେ ୯ଟି କେନ୍ଦ୍ରୀୟ ଜେଲ ରହିଛି।
ଏହା ଦେଶର ସବୁଠାରୁ ସୁରକ୍ଷିତ ଜେଲ ହୋଇଥିବାବେଳେ ଏଠାରେ ଆତଙ୍କବାଦୀଙ୍କ ଭଳି ଦୁର୍ଦାନ୍ତ କଏଦୀଙ୍କୁ ରଖାଯାଇଥାଏ। ଏ ପର୍ଯ୍ୟନ୍ତ କୌଣସି କଏଦୀ ତିହାର ଜେଲରୁ ଚମ୍ପଟ ମାରିଥିବା ଜଣାପଡିନାହିଁ। ତିହାର ଜେଲରେ ସର୍ବାଧିକ ୫୨୦୦ କଏଦୀ ରହିବାର ବନ୍ଦୋବସ୍ତ ଥିବାବେଳେ ବର୍ତ୍ତମାନ ୧୪ ହଜାରୁ ଅଧିକ କଏଦୀ ରହିଛନ୍ତି। ଏତେସଂଖ୍ୟକ କଏଦୀଙ୍କ ଉପସ୍ଥିତି ଯୋଗୁଁ କଏଦୀଙ୍କ ପରିଚାଳନା ବ୍ୟବସ୍ଥା କ୍ରମଶଃ କଷ୍ଟକର ହୋଇପଡୁଛି। ୧୯୬୬ ପର୍ଯ୍ୟନ୍ତ ଏହି ଜେଲ୍ର ପରିଚାଳନା ଦାୟିତ୍ବ ପଞ୍ଜାବ ସରକାର ବହନ କରୁଥିଲେ। ପରବର୍ତ୍ତୀ ସମୟରେ ଏହା ଦିଲ୍ଲୀ ସରକାରଙ୍କ ଅଧୀନକୁ ଆସିଥିଲା। ଦେଶର ପ୍ରଥମ ମହିଳା ଆଇପିଏସ କିରଣ ବେଦୀ ଆଇଜି (ଜେଲ୍) ଥିବାବେଳେ ତିହାର ଜେଲରେ ଏକାଧିକ ସଂସ୍କାର ଆଣିଥିଲେ। ସେ ତିହାର ଜେଲ୍ର ନାମ ‘ତିହାର ଆଶ୍ରମ’କୁ ପରିବର୍ତ୍ତନ କରିଥିବାବେଳେ ଉଭୟ କଏଦୀ ଓ ଜେଲ୍ କର୍ମଚାରୀଙ୍କ ନିମନ୍ତେ ‘ବିପାସନା (ଯୋଗ)’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।