ପ୍ରଯୋଜକଙ୍କ ଦୁର୍ଗାପୂଜା ଭେଟି ; ଗୋଟିଏ ଫିଲ୍ମ ଦେଖିଲେ ଆଉ ଗୋଟେ ଫିଲ୍ମ ଟିକେଟ ଫ୍ରି

ଭୁବନେଶ୍ବର, ୩୦/୯ : ଲୋକଙ୍କୁ ଆତ୍କୃଷ୍ଟ କରିବାକୁ ପ୍ରଯୋଜକଙ୍କ ନୂଆ ଉପାୟ । ଗୋଟିଏ ଟିକେଟରେ ଦର୍ଶକ ମାଗଣାରେ ଦେଖିବେ ଆଉ ଏକ ସିନେମା । ଚକ୍ର ନିର୍ଦ୍ଧାରଣ କରିବ ୪ ଟି ସିନେମା ଭିତରୁ କେଉଁ ଟିକେଟ ମିଳିବ ତେବେ ଅକ୍ଟୋବର ୪ ତାରିଖରେ ରିଲିଜ ହେଉଛି ସିନେମା “ସନମ ତୁ ସୁହାନା” । ଏହି ଅବସରରେ ଆସନ୍ତା ୪ ରୁ ୬ ତାରିଖ ପର୍ଯ୍ୟନ୍ତ ସ୍ପିନ ଅଫର ଘୋଷଣା କରିଛନ୍ତି ପ୍ରଯୋଜକ ବିନି ପଟ୍ଟନାୟକ । ଦଶହରାରେ ତଥା ଅକ୍ଟୋବର ୯ ତାରିଖରେ ଆସୁଥିବା ଅନ୍ୟ ୪ ଟି ଫିଲ୍ମ କର୍ମ, ଭିଲେନ, ଖୋକାଭାଇ ତୁମ ପାଇଁ ଓ ଦୁର୍ଗା ସିନେମାକୁ ମଧ୍ୟ ସେ ନିଜ ଫିଲ୍ମ ମାଧ୍ୟମରେ ପ୍ରମୋସନ କରୁଛନ୍ତି । ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ବିନି ପଟ୍ଟନାୟକ ଏବଂ ମିଡିଆ ପ୍ଲାନର ପ୍ରଣୟ ଜେଠୀ ଉପସ୍ଥିତ ରହି ସବିଶେଷ ବର୍ଣ୍ଣନା କରିଛନ୍ତି । ତେବେ ଆଗାମୀ ୪ ରୁ ୬ ତାରିଖ ଭିତରେ ଯେଉଁ ଦର୍ଶକ ‘ସନମ ତୁ ସୁହାନା’ ସିନେମାର ଟିକେଟ କାଟି ଦେଖିବାକୁ ଆସିବେ ସେମାନେ ଏକ ସ୍ପିନ ଗେମ ଖେଳିବାର ସୁଯୋଗ ପାଇବେ ।

ଏହି ସ୍ପିନର ତଥା ଚକ୍ର ଘୁରାଇବା ଫଳରେ ଯେଉଁ ଫିଲ୍ମରେ ତୀର ଚିହ୍ନ ଅଟକିବ ସେହି ଫିଲ୍ମର ଟିକେଟ ମାଗଣା ମିଳିବ ବୋଲି ପ୍ରଯୋଜକ କହିଛନ୍ତି । ଏହି ଚକ୍ରରେ କର୍ମ, ଭିଲେନ, ଖୋକାଭାଇ ତୁମପାଇଁ ଓ ଦୁର୍ଗାର ୪ ଟି ଅପସନ ରହିବ କିନ୍ତୁ ଚକ୍ର ନିର୍ଦ୍ଧାରଣ କରିବ ଭାଗ୍ୟ । ଚକ୍ର ଯେଉଁଠି ଅଟକିବ ଓ ତୀର ଚିହ୍ନ ଅନୁସାରେ ଅନ୍ୟ ଫିଲ୍ମର ଟିକେଟ ପାଇବେ ଦର୍ଶକ । ଏହା ପାଇଁ କୌଣସି ଲିମିଟ ନାହିଁ ବରଂ ଗୋଟିଏ ଟିକେଟ ପିଛା ଅନ୍ୟ ଗୋଟିଏ ଟିକେଟର ବମ୍ପର ଅଫର ବୋଲି ସେ କହିଛନ୍ତି । ଅନ୍ୟ ପ୍ରଯୋଜକ ମାନଙ୍କ ସହ ଏ ବିଷୟରେ ଆଲୋଚନା ସରିଛି ସେମାନଙ୍କ ସହ ମିଳିତ ସହଯୋଗରେ ଏହି ଅଫର ଘୋଷଣା ହୋଇଥିବା ସେ ଜଣାଇଛନ୍ତି ।

ଏମିତି କରିବା ଫଳରେ ଲୋକମାନେ ତାଙ୍କ ଫିଲ୍ମ ସାଙ୍ଗକୁ ଅନ୍ୟ ଫିଲ୍ମ ଦେଖିବାର ସୁଯୋଗ ପାଇବେ ତା ସହ ଓଡ଼ିଆ ଫିଲ୍ମର ଲଢେଇ ନୁହଁ ବରଂ ଚଳିତବର୍ଷ ଦଶହରାରେ ଭାଇଚାରା ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *