ଓଲିଉଡ଼ ବିବାଦ : ଦର୍ଶକଙ୍କୁ ହଲରେ ଫିଲ୍ମଠାରୁ ଓଲିଉଡ଼ର କଳି ମନୋରଞ୍ଜନ ଦେଉଛି

ଭୁବନେଶ୍ବର, ୧୧/୯ : ଓଡ଼ିଆ ସିନେମାର ଇତହାସ ବହୁ ପୁରୁଣା। ୮୮ବର୍ଷର ସିନେମା ଶିଳ୍ପ । ହାତ ଗଣତି ଆଉ କେତେଟା ବର୍ଷ ପରେ ୧୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳିବ ଓଲିଉଡ଼ । ମାତ୍ର ଯେତିକି ପୁରୁଣା ହେଉଛି ସେତିକି ଦୁର୍ନାମ ମୁଣ୍ଡାଉଛି । ପରସ୍ପର ଦୋସାରୋପରେ କଟୁଛି ଦିନ । ସିନେମା ପ୍ରମୋଶନ ବଦଳରେ ଜଣେ ଅନ୍ୟ ଜଣଙ୍କୁ କରୁଛନ୍ତି ଟାର୍ଗେଟ । ଯାହାକୁ ଦେଖି ଦର୍ଶକମାନେ ଓଡ଼ିଆ ସିନେମାଠାରୁ ମୁହଁ ଫେରାଉଛନ୍ତି । ଖାଲି ମୁହଁ ଫେରାଉନାହାନ୍ତି ବରଂ ତା’ ଉପରେ ଟିପ୍ପଣୀ ବି ଦେଉଛନ୍ତି । କହୁଛନ୍ତି ୟାଙ୍କ ଫିଲ୍ମ ଠାରୁ କଳି ସୁପରହିଟ୍ ହେଉଛି । ଆମେ ଯେତେବେଳେ ବି ଓଡ଼ିଆ ଇଣ୍ଡଷ୍ଟ୍ରିର ଇତିହାସ ଲେଖିବା ସେତେବେଳେ ନିଶ୍ଚିତ ଭାବେ ଏକ ମସିହା ଆଖି ଆଗକୁ ଆସିବ । ତାହା ହେଉଛି ୧୯୯୯ ମସିହା। ୧୯୯୯ର ପ୍ରଳୟଙ୍କାରୀ ବାତ୍ୟା ସବୁ ଯେମିତି ଛାରଖାର କରି ଦେଲା। ଓଡ଼ିଆ ଇଣ୍ଡଷ୍ଟ୍ରିର ମେରୁଦଣ୍ଡ କଳିଙ୍ଗ ଷ୍ଟୁଡିଓକୁ ଭାଙ୍ଗି ଚାଲିଗଲା । ସେ ଯାହା ଟିକେ ଥିଲା କରୋନାର କରାଳ ରୂପ ସବୁ ଯେମିତି ‌ଶେଷ କରିଦେଲା ।

ବାସ୍ ତା’ପରେ ଆଉ କ’ଣ । ଏବେ ଯେମିତି କର୍ପୁର ଉଡ଼ି ଯାଇଛି କନା ଖାଲି ବାକି ଅଛି। ତାକୁ ବି କିଛି ଜଣ ଲାଗିପାତି ପୋଡ଼ି ଦେବାକୁ ବସିଛନ୍ତି । ଆଜ୍ଞା ହଁ ଏବେ ବଲିଉଡ଼ର ପଛ ଧରିଛି ଓଲିଉଡ଼ । ଫିଲ୍ମ କପିଠାରୁ ଆରମ୍ଭ କରି ସିନେମା କଣ୍ଟେ୍ରାଭର୍ସି ଯାଏ । ମାତ୍ର ସବୁ ଠିକ୍ ହେଲେ ସିନେମାଠାରୁ ଏଠି କଣ୍ଟେ୍ରାଭର୍ସିରେ ରହିବାକୁ ପସନ୍ଦ କରୁଛନ୍ତି କିଛି ଲୋକ । କଳାକାରଙ୍କଠାରୁ ଆରମ୍ଭ କରି ପ୍ରଯୋଜକ ସମସ୍ତେ ଏଠି କହୁଛନ୍ତି ଆମେ ସୁପରଷ୍ଟାର । ଫିଲ୍ମ ଚାଲୁ କି ନ ଚାଲୁ କିନ୍ତୁ ଆମେ ସୁପରଷ୍ଟାର । ଏହି ଭ୍ରମଧାରଣାରେ ଏବେ ଓଲିଉଡ଼ର କଳାକାର । ସିନେମା ଇଣ୍ଡଷ୍ଟ୍ରି କଥା କିଏ ପଚାରୁଛି । ନିଜର ପବ୍ଲିସିଟି ପାଇଁ ଏଠି ଚାଲିଛି ଗୋଡ଼ ଟଣାଟଣି । ୟୁଟ୍ୟୁବ୍ ଚ୍ୟାନେଲ ଆଗରେ ବହେ କହିବାକୁ ବାଉଳା ହେଉଛନ୍ତି । ପଛେ ଗୋଟିଏ ସିନେମାରେ ଗୋଟିଏ ସିନ୍ କରିଥାନ୍ତୁ ନା କାହିଁକିୁ । ଏମାନଙ୍କ କଳି ଦେଖି ବରିଷ୍ଠ ଚୁପ୍ ବସୁଛନ୍ତି । ସେମାନେ ଏଥିରେ ଧାର ଧାରୁନାହାନ୍ତି । କାରଣ ସେମାନେ ଏ ଭିତରେ ଅଜଥା ପଶି ନିଜର ସମୟ ନଷ୍ଟ କରିବାକୁ ଚାହୁଁ ନାହାନ୍ତି । ହଲକୁ ଲୋକେ ଆସନ୍ତୁ କି ନ ଆସନ୍ତୁ ପ୍ରଯୋଜକ ଫିଲ୍ମ କରିଦେଲେ ଆଉ ନିଜର ପବ୍ଲିସିଟି ପାଇଁ ବହେ ବିବାଦ ସୃଷ୍ଟି କରୁଛନ୍ତି । ଆଉ ପଚାରିଲେ କହୁଛନ୍ତି କି ଏହା ଫିଲ୍ମ ପବ୍ଲିସିଟିର ନୂଆ ତରିକା ।

ମାତ୍ର ଏହାର ପ୍ରଭାବ ସିଧା‌ ସଳଖ ଏବେ ଓଡ଼ିଆ ଦର୍ଶକଙ୍କ ଉପରେ ପଡ଼ିବାର ଦେଖାଯାଉଛି । ଓଡ଼ିଆ ସିନେମା ଦମନ, ପ୍ରତୀକ୍ଷା, ଟି, ମାମା ଓ୍ବେଡ୍ସ ପାପା, ତ୍ରିକନ୍ୟା, ଫାଲଗୁନ ଚୈତ୍ର, ମାଇଣ୍ଡ ଗେମ୍ ଭଳି କେତେକ ସିନେମା ଆସିବା ପରେ କିଛି ଜଣ ଭାବୁଥିଲେ କି ଓଡ଼ିଆ ସିନେମା ଏବେ ଆଗକୁ ଯିବ । ମାତ୍ର ଏବେ ପୁଣି ଥରେ ସେହି ସମାନ କଥା । ବିବାଦରେ ଫଶି ଯାଇଛି ଓଡ଼ିଆ ସିନେମା । ୟୁଟ୍ୟୁବ ଖୋଲିଲାମାତ୍ରକେ ଦେଖିବାକୁ ମିଳୁଛି ଓଡ଼ିଆ ଇଣ୍ଡଷ୍ଟ୍ରିର କଳି । ଯାହାକୁ ଘରେ ବସି ଦର୍ଶକ ଉପଭୋଗ କରୁଛନ୍ତି

ତେବେ ସମୟ ଥାଉ ଥାଉ ଚେତିବା ଆବଶ୍ୟକ ହୋଇପଡ଼ିଛି । ନ ହେଲେ ଦିନ ଆସିବ ଓଡ଼ିଆ ସିନେମାଠାରୁ ଦର୍ଶକ ଦୂରେଇବାକୁ ବେଶି ସମୟ ଲାଗିବନି । ଏଣୁ ସମସ୍ତେ ଏକାଠି ହୋଇ ଇଣ୍ଡଷ୍ଟ୍ରି କିଭଳି ଆଗକୁ ଯିବ ସେ ନେଇ ଭାବିବା ଆବଶ୍ୟକ ହୋଇପଡ଼ିଛି ।

Leave a Reply

Your email address will not be published. Required fields are marked *