କେନ୍ଦ୍ରକୁ ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ, ୧୦/୭ : ଆଜି ଦିଲ୍ଲୀରେ ବସିଥିଲା ନକ୍ସଲ ମୁକାବିଲା ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ବୈଠକରେ ମୋହନ ମାଝୀଙ୍କ ସହ ୮ ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ ।

ତେବେ ଏହି ବୈଠକରେ କେନ୍ଦ୍ରକୁ ଫୋର୍ସ ହେଲିକପ୍ଟର ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ରର ସହଯୋଗ ମାଗିଲା ଓଡ଼ିଶା । ଅପରେସନ ତୀବ୍ର କରିବାକୁ ୧୨ କଂପାନୀ ଫୋର୍ସ ଓ ହେଲିକପ୍ଟର ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଏ ସଂପର୍କରେ ବୈଠକରେ ଗୃହମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାମ ପାଇଁ ସହଯୋଗ ଚାହିଁଛି । ଗୃହମନ୍ତ୍ରୀ ଗୁରୁତ୍ବର ସହ ଏନେଇ ବିଚାର କରିବାକୁ କଥା ଦେଇଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଟାର୍ଗେଟକୁ ନେଇ ଆମେ କାମ କରୁଛୁ ବୋଲି ସିଏମ କହିଛନ୍ତି ।ଅନ୍ୟପଟେ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ଟାସ୍କ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ ।

ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ପୋଲିସ ଡିଜିଙ୍କୁ ଅମିତ ଶାହ ଟାସ୍କ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନକ୍ସଲ ମୁକାବିଲା ନେଇ ମାସକୁ ଥରେ ସମୀକ୍ଷା କରିବେ । ଜିଲ୍ଲାସ୍ତରରେ ଡିଜିପି ମାସକୁ ଥରେ ଯାଇ ସେଠି ରାତ୍ରିଯାପନ କରିବେ । ସୁରକ୍ଷା କର୍ମୀଙ୍କ ସହ ଆଲୋଚନା କରିବେ ।ସେପଟେ ନକ୍ସଲମାନଙ୍କୁ ଆହ୍ବାନ ଦେଇଛନ୍ତି ଶାହ । କହିଛନ୍ତି ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୁଅ । ଥଇଥାନ ପାଇଁ ରାଜ୍ୟମାନଙ୍କ ପକ୍ଷରୁ ଭଲ ବ୍ୟବସ୍ଥା କରାଯାଇଛି । ଏହାର ଫାଇଦା ନିଅନ୍ତୁ , ଦେଶର ବିକାଶରେ ସାମିଲ ହୁଅନ୍ତୁ । ଏହାସହ ନକ୍ସଲ ମୁକାବିଲା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ ଏବେ ଅନ୍ତିମ ଚରଣରେ ପହଞ୍ଚିଛି ।

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ଏହି ସମସ୍ୟାରୁ ସଂପୂର୍ଣ୍ଣ ମୁକ୍ତ ହେବ । ଅନେକ ସ୍ଥାନ ଏବେ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତି ପାଇଛି । ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅମିତ୍ ଶାହ ।

Leave a Reply

Your email address will not be published. Required fields are marked *