ନୂଆଦିଲ୍ଲୀ, ୨୯/୧୦ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଯେତିକି ପାଖଉଛି ରାଜନୀତି ସେତିକି ସରଗରମ ହେଉଛି । ବିଜେପି-ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି। ହେଲେ ସବୁ ଦଳ ମଧ୍ୟରେ ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଏହିକ୍ରମରେ ପାଲଘରରୁ ବିଧାୟକ ହୋଇଥିବା ଶ୍ରୀନିବାସ ଭାଙ୍ଗାଙ୍କୁ ସିନ୍ଦେଙ୍କ ଶିବସେନା ଟିକେଟ ଦେଇ ନାହିଁ। ସେ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ କାନ୍ଦିଥିଲେ।
ଏଥିସହ ସିନ୍ଦେଙ୍କ ସହ ମିଶି ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହେବା ବଡ଼ ଭୁଲ ଥିଲା ବୋଲି କହିଥିଲେ।ଏହାକୁ ନେଇ ରାଜ୍ୟରେ ତମ୍ଭିତୋଫାନ ଚାଲିଥିବା ବେଳେ ହଠାତ୍ ଭାଙ୍ଗା ସୋମବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି। ସେ ତାଲସରି ସ୍ଥିତ ନିଜ ଘରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ବେଳେ ପୁଲିସ୍ ତାଙ୍କୁ ଠାବ କରିବାକୁ ପ୍ରୟାସ କରୁଛି। ରବିବାର ଶିବସେନା ପକ୍ଷରୁ ପୂର୍ବତନ ସାଂସଦ ରାଜେନ୍ଦ୍ର ଗାବିତଙ୍କୁ ପାଲଘରରୁ ପ୍ରାର୍ଥୀ କରାଯାଇଥିଲା। ରାଜେନ୍ଦ୍ର ଏଠାରୁ ନିର୍ବାଚନ ଲଢ଼ିବେ ବୋଲି ବିଜେପି ଛାଡ଼ି ସିନ୍ଦେ ସେନାକୁ ଆସିଥିଲେ। ତାଙ୍କୁ ଟିକେଟ ମିଳିବାରୁ ୪୨ ବର୍ଷୀୟ ଭାଙ୍ଗା କାନ୍ଦି ପକାଇଥିଲେ। ଉଦ୍ଧବ ବାଲାସାହେବ ଠାକରେ(ୟୁବିଟି) ଛାଡ଼ିବା ଭୁଲ ଥିଲା ବୋଲି ସ୍ୱୀକାର କରିଥିଲେ। ଏହାବାଦ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳର ବିଶ୍ୱସ୍ତ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିପାରି ନଥିବା ମଧ୍ୟ ସେ କହିଥିଲେ।ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସୋମାବର ସନ୍ଧ୍ୟାରୁ ସେ ଅନ୍ତର୍ଧାନ ହୋଇଯାଇଛନ୍ତି।
ପରିବାର ଲୋକଙ୍କ ସହ ମଧ୍ୟ ସେ ଯୋଗାଯୋଗରେ ନାହାନ୍ତି। ପୁଲିସ୍ ଟିମ ତାଙ୍କ ଘରେ ଯାଞ୍ଚ କରିବା ପରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଖୋଳତାଡ଼ କରୁଛି। ସମୟ ବିତିବା ସହ ପରିବାର ଲୋକ ମଧ୍ୟ ଅନେକ ଆଶାଙ୍କାରେ ରହିଛନ୍ତି। ଭାଙ୍ଗାଙ୍କ ପତ୍ନୀ ସୁମନଙ୍କ କହିବା କଥା ଯେ ସୋମବାର ସନ୍ଧ୍ୟା ୭ଟାରୁ ତାଙ୍କ ଫୋନ ଲାଗୁନାହିଁ। ତାଙ୍କ ପାଖରେ ଥିବା ଦୁଇଟି ଯାକ ମୋବାଇଲ ଅଫ ରହିଛି। ଭାଙ୍ଗା ଘର ଛାଡ଼ିବା ବେଳେ ଗୋଟିଏ ବ୍ୟାଗ ସାଙ୍ଗରେ ନେଇଛନ୍ତି। ସମ୍ଭବତଃ କିଛି ପୋଷାକ ଏଥିରେ ରହିଥିଲା। ତେଣୁ ସେ ସହର ଛାଡ଼ି ଥିବା ଆଶଙ୍କା କରାଯାଉଛି।