ଦଳ ଛାଡ଼ିବା ପରେ ବିଜେଡି ଭିତିରି କଥା ପଦାକୁ ଆଣୁଛନ୍ତି, ଖୋଲାଖୋଲି କହୁଛନ୍ତି ଗୁମର କଥା

ଭୁବନେଶ୍ବର, ୩୦/୧୦ : ଦଳ ଛାଡ଼ିବା ପରେ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ ପଦାକୁ ଆସୁଛି । ଏ ସବୁ ଆଜିର ନୁହେଁ ବରଂ କିଛି ଦିନ ହେବ ଏଭଳି ବିଷୋଦାଗାର ଚାଲିଛି । ଯାହାକୁ ନେଇ କର୍ମୀଙ୍କ ମନୋବଳ ଧିରେ ଧିରେ କମୁଥିବା ନଜର ଆସୁଛି । କର୍ମୀ ଏବେ କାହାକୁ ନିଜର ନେତା କହିବେ ସେହି ଚିନ୍ତାରେ । ନେତାଙ୍କ ମନ ଭିଡ଼ୁନି ବିଜେଡି ପ୍ରତି । ଆଉ ସେ ଭଲ ପାଇବା ନାହିଁ କି ମୋହ ନାହିଁ ।

କର୍ପୁର ଉଡ଼ିଗଲାଣି ଖାଲି କନା ଧରି ବସିଛନ୍ତି ନେତା । ଯେମିତି ଏବେ ଦେଖିବାକୁ ମିଳୁଛି । ନିକଟରେ ବରି ବିଧାୟିକାଙ୍କ ବୟାନ ଦେଖିବା ପରେ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଛି ।ବଢିବାରେ ଲାଗିଛି ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ । ୨୪ ବର୍ଷ ଶାସନରେ ରହିବା ପରେ ଏବେ ବିରୋଧୀ ଦଳରେ ରହିଥିବା ବିଜେଡି ପରାଜୟକୁ ସହଜରେ ଗ୍ରହଣ କରିପାରୁନି । ଏପରିକି କ୍ଷମତାର ହ୍ୟାଙ୍ଗଓଭର୍ ବି ଯାଉନି । ଜଣେ ପରେ ଜଣେ ନେତା ଖୋଲାଖୋଲି ଭାବେ ଅସନ୍ତୋଷ ଝାଡୁଛନ୍ତି । ଆଉ ଏବେ ତ ଆରମ୍ଭ ହୋଇଗଲାଣି ଦଳ ଛାଡିବା ପର୍ବ । ଜଣେ ପରେ ଜଣେ ହେଭିଓ୍ବେଟ୍‌ ଏବେ ଦଳ ଛାଡିବା ଆରମ୍ଭ କରିଛନ୍ତି । ପୂର୍ବରୁ ୨ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ମିଶିସାରିଛନ୍ତି । ଆଉ ଏବେ ଆଉ ଜଣେ ପୂର୍ବତନ ବିଧାୟିକା ଦଳ ଛାଡିଛନ୍ତି ।

ଆଉ ଖୋଲାଖୋଲି ଭାବେ ବବି ଦାସଙ୍କୁ କରିଛନ୍ତି ଟାର୍ଗେଟ୍‌ ।ଦଳ ଛାଡିବା ପରେ ପ୍ରବଳ ବର୍ଷିଛନ୍ତି ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ବବି ଦାସଙ୍କୁ ଟାର୍ଗେଟ୍‌ କରିବା ସହିତ ବିଜୁ ଜନତା ଦଳର ପୋଲ୍‌ ବି ଖୋଲିଛନ୍ତି ସୁନନ୍ଦା । ସେ କହିଛନ୍ତି, ସଙ୍ଗଠନ ସମ୍ପାଦକ ବବି ଦାସ ମୋ ଟିକେଟ କାଟିଥିଲେ । ମୋତେ ଟିକେଟ ଦେବେ ବୋଲି ଆଶ୍ଵାସନା ଦେଇଥିଲେ । କହିଥିଲେ, ‘ମୁଁ ଅଶୋକ ଦାସଙ୍କ ପୁଅ । ଯାହା କୁହେ ତାହା କରେ । ତୁ ଭଲ କାମ କରୁଛୁ ତୋ ଟିକେଟ କେହି କାଟିପାରିବେନି।’ ଅଲ୍ ଦି ବେଷ୍ଟ ମଧ୍ୟ କହିଥିଲେ। କିନ୍ତୁ ଟିକେଟ କାଟିଦେଲେ।

Leave a Reply

Your email address will not be published. Required fields are marked *