କଂଗ୍ରେସରେ ନେତୃତ୍ବ ସଂକଟ, କିଏ ହେବ ମଙ୍ଗୁଆଳ ଛିଣ୍ଡୁନି ଅଙ୍କ

ଭୁବନେଶ୍ବର,୪/୧୧ : କଂଗ୍ରେସର ମଙ୍ଗୁଆଳ କିଏ ହେବ ଛିଣ୍ଡୁନି ଅଙ୍କ । ଦିନକୁ ଦିନ ବଢିବାରେ ଲାଗି ସସ୍ପେନ୍ସ । କାହା ହାତରେ ରହିବ ମଙ୍ଗ କିଏ ହେବ ମୁଖିଆ ତାକୁ ନେଇ ଚାଲିଛି କସରତ୍ । ରାଜ୍ୟ କଂଗ୍ରେସ ଗତ ସାଧାରଣ ନିର୍ବାଚନ ପରେ ବ୍ୟାକଫୁଟକୁ ଚାଲିଯାଇଛି । ବିଜେପି ୧ନମ୍ବର ହୋଇଥିବାବେଳେ ବିଜେଡି ୨ ଏବଂ କଂଗ୍ରେସ ପୂର୍ବ ଭଳି ତା’ର ସ୍ଥାନ ବଜାୟ ରଖିଛି । ଅଜୟ କୁମାର ଆସିବା ପରେ ଯେଉଁ ଆଶା ଦେଖା ଯାଇଥିଲା ତାହା ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ମଉଳିଗଲା । ଆଉ ଏବେ କଂଗ୍ରେସରେ ମୁଖିଆ କିଏ ହେବ ତାକୁ ନେଇ ଚାଲିଛି ଅଙ୍କକଷା । ନୂଆ ସରକାର ଅକଳରେ ପକାଇବାକୁ ଦଳ ନେଇପାରୁନି ଷ୍ଟ୍ରାଟେଜି ।

ଏ ସବୁ ଭିତରେ ଆଜିଠୁ ଆରମ୍ଭ ହୋଇ ମଙ୍ଗୁଆଳ ଖୋଜା । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଚରଣ ଦାସ ମହନ୍ତ । ଯାହାପରେ ରାଜ୍ୟ କଂଗ୍ରେସର ତମାମ ନେତା ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଚରଣ ଦାସ କହିଛନ୍ତି, ତାଙ୍କ ପାଖରେ କୌଣସି ଲବି କାମ ଦେବନି । ତେବେ ଅନ୍ୟ ରାଜ୍ୟର ନିର୍ବାଚନ ପରେ ନଭେମ୍ବର ୨୩ ତାରିଖ ବେଳକୁ ସେ କଂଗ୍ରେସ ହାଇକମାଣ୍ଡଙ୍କ ପାଖରେ ପିସିସି ସଭାପତି ଚୟନ ନେଇ ରିପୋର୍ଟ ରଖିବେ ବୋଲି ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, କିଏ ହେବ ସଭାପତି ସେ ନେଇ ଚର୍ଚ୍ଚା ଚାଲିଥିବାବେଳେ ଆଜି ଓଡ଼ିଶା ଆସିଛନ୍ତି ଏଆଇସିସି ନେତା ଚରଣଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ । ଛତିଶଗଡ ବିରୋଧୀ ଦଳ ନେତା ହେଉଛନ୍ତି ଚରଣଦାସ ମହନ୍ତ ଓ ବରିଷ୍ଠ ନେତ୍ରୀ ହେଉଛନ୍ତି ମୀନାକ୍ଷୀ ନଟରାଜନ । ଏମାନେ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ । ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା କରିଛନ୍ତି । ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବି ବୈଠକ ହେବ। ଏପରିକି ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କରିଛନ୍ତି ଦୁଇ ନେତା।

ସେପଟେ କଂଗ୍ରେସ ଶିବିରରେ ଆଲୋଚନା ହେଉଛି କି ପିସିସି ସଭାପତି ଦୌଡରେ ଏବେ ମହମ୍ମଦ ମୋକିମ ଏବଂ ଭକ୍ତ ଦାସଙ୍କ ନାଁ ଆଗରେ ରହିଛି । ଭକ୍ତ ଦାସ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଏକ ତାରକା ହୋଟେଲରେ ବୈଠକ କରିଛନ୍ତି । ସେହିଭଳି ଦୁଇଦିନ ହେଲା ମହମ୍ମଦ ମୋକିମଙ୍କ ଅନେକ ସମର୍ଥକ ବନ୍ଧୁମିଳନ ନାଁରେ ଏକାଠି ହୋଇଛନ୍ତି । ଏ ନେଇ ବରିଷ୍ଠ କଂଗ୍ରେସ ନେତା ତାରାବାହିନୀ ପତି କହିଛନ୍ତି ଖଡ଼ଗେ ଜି ଏବଂ ରାହୁଲ ଗାନ୍ଧୀ ଯାହାକୁ ମୋହର ମାରିବେ ସେ ହେବେ ସଭାପତି ।

ସେହିଭଳି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି , ଯିଏ ସମସ୍ତଙ୍କୁ ନେଇ ଆଣି ପାରିବ ସେହିଭଳି ଲୋକ ହେବେ ବୋଲି କହିଛନ୍ତି । ତେବେ ଏବେ କିଏ ପିସିସି ସଭାପତି ହେବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।

Leave a Reply

Your email address will not be published. Required fields are marked *