ବଦଳି ଓ ନିଯୁକ୍ତି ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, ୧୨/୧୧ : ଅଧିକାଂଶ ରାଜ୍ୟ ସରକାରୀ ଅଧିକାରୀ ଓ କମର୍ଚାରୀ ନିଜ ବଦଳି ଓ ନିଯୁକ୍ତି ପାଇଁ ବିଭିନ୍ନ ସ୍ତରରେ ଚାପ ପକାଉଛନ୍ତି। କେତେକ କ୍ଷେତ୍ରରେ ରାଜନେତା ଓ ମନ୍ତ୍ରୀଙ୍କ ଲିଖିତ ସୁପାରିସ ସହାୟତାରେ ନିଜର ମନମୁତାବକ ସ୍ଥାନକୁ ବଦଳି ହେଉଛନ୍ତି। ଏ ସଂକ୍ରାନ୍ତରେ ଏକାଧିକ ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇଛି। ଏଣିକି ନିଜ ଇଚ୍ଛା ମୁତାବକ ବଦଳି ଓ ନିଯୁକ୍ତି ନେଇ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଚାପ ପକାଉଥିବା ପ୍ରମାଣ ମିଳିଲେ, ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ ସୋମବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିଭାଗୀୟ ସଚିବ ଓ ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସମସ୍ତ ବିଭାଗୀୟ ସଚିବ ଓ ଜିଲାପାଳଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେତେକ ସରକାରୀ କର୍ମଚାରୀ ଓ ଅଧିକାରୀ ବଦଳି ଓ ନିଯୁକ୍ତି ପାଇଁ ବିଭିନ୍ନ ସ୍ତରରେ ଚାପ ପକାଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏଭଳି ଅଭ୍ୟାସ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି। ବଦଳି ଓ ନିଯୁକ୍ତି ପାଇଁ ଚାପ ପକାଉଥିବା କର୍ମଚାରୀ ଓ ଅଧିକାରୀଙ୍କ ଉପରେ କଟକଣା ଜାରି କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି। ଏହି ନିର୍ଦେଶ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ସେ ସବୁ ସଚିବ ଓ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ସରକାରୀ କର୍ମଚାରୀମାନେ ଆଚରଣରେ ନିଷ୍ଠା ବଜାୟ ରଖିବା ସହ ସମସ୍ତ ସେବା ପ୍ରସଙ୍ଗରେ ସ୍ୱଚ୍ଛତା ଓ ପାରଦର୍ଶି ନୀତି ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି। ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଚଳିତ ନୀତି ଆଧାରରେ ସ୍ୱାଭାବିକ ଭାବେ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି କରାଯାଇଥାଏ।

ଏହି ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଯେ କୌଣସି ପ୍ରକାର ଉଦ୍ୟମକୁ ଗୁରୁତର ଭାବେ ବିଚାର କରାଯିବ। ଏଥିପାଇଁ ସମ୍ପୃକ୍ତ କର୍ମଚାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ମୁଖ୍ୟ ସଚିବ ଶ୍ରୀ ଆହୁଜା ଚିଠିରେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *