୬ ଦିନ ପରେ ସୁଜାତାଙ୍କର ଛୁଟି ସରିବ , କେଉଁ ଭୂମିକାରେ ଆସିବେ ନଜର ଏବେ ଠୁ ଚର୍ଚ୍ଚା

ଭୁବନେଶ୍ୱର,୨୧/୧ : ରାଜ୍ୟର ପରିଚିତ ପ୍ରଶାସିକା ସୁଜାତା ଆର କାର୍ତ୍ତିକେୟନଙ୍କୁ ନେଇ ଏବେ ବଡ଼ ଚର୍ଚ୍ଚା । ଆଉ ୬ ଦିନରେ ସୁଜାତାଙ୍କର ଛୁଟି ସରିବ । ଏହାପରେ ସେ କାର୍ଯ୍ୟରେ ଯୋଗଦେବା କଥା । ହେଲେ ସେ ଆସିବେ ତ ? ଯଦି ଆସିବେ କେଉଁ ରୁପରେ ପ୍ରଶାସିକା ହୋଇ ଆସିବେ ନା ବିଜେଡିର ଅଫିସିଆଲ ନେତ୍ରୀ ହୋଇ ଆସିବେ ? ଏ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

ସୁଜାତା ଆର କାର୍ତ୍ତିକେୟନ ଦୀର୍ଘ ଦିନରୁ ସେ ବେଶ ବିବାଦୀୟ ହୋଇ ରହିଥିଲେ । ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲା ବିଜେପି । ନିର୍ବାଚନ ବେଳେ ସେ ପକ୍ଷପାତିତା କରୁଛନ୍ତି, ତାଙ୍କ ପ୍ରଶାସିକା କ୍ଷମତାକୁ ବିଜେଡି ପାଇଁ ନିୟୋଜିତ କରୁଛନ୍ତି । ଏମିତି ଅନେକ ଅଭିଯୋଗ ଆଣି ସୁଜାତାଙ୍କ ପ୍ରଶାସନିକ ଭାବମୂର୍ତ୍ତୀକୁ କଳଙ୍କମୟ କରିଦେଇଥିଲେ । ଏପରିକି ଅଭିଯୋଗ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ପାଇବା ପରେ ନିର୍ବାଚନ କମିସନ ତାଙ୍କୁ ଦାୟିତ୍ୱରୁ ହଟାଇ ବିନା ଦାୟିତ୍ୱରେ ରଖିଥିଲେ । ମିଶନଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ କରିଦେଲେ ସରକାର ।ଏହାପରେ ତାଙ୍କ ପ୍ରତି ଅଡ଼ୁଆ ବଢ଼ିବା ସେ ବାସ୍ନା କାଳେ ବାରି ପାରିଲେ । ତେଣୁ ମାଟ୍ରିକ ପରୀକ୍ଷା ସମୟ ହୋଇ ନ ଥିଲେ ମଧ୍ୟ ସେ ତାଙ୍କ ଝିଅର ପରୀକ୍ଷା ପ୍ରସ୍ତୁତି ଦର୍ଶାଇ ୧୮୦ଦିନ ଛୁଟିରେ ଚାଲିଯାଇଥିଲେ । ବିଜେଡି ସରକାର ଥିବା ବେଳେ କେହି କିଛି ଜାଣିବା ପୂର୍ବରୁ ସୁଜାତାଙ୍କ ଛୁଟି ୨୦୨୪ ମେ ୩୧ ତାରିଖ ଠାରୁ ୨୦୨୪ ନଭେମ୍ବର ୨୬ ପର୍ଯ୍ୟନ୍ତ ଅନୁମୋଦିତ ହୋଇଯାଇଥିଲା । ସର୍ବଭାରତୀୟ ସେବା ରୁଲ ୧୯୫୫ର ଧାରା ୧୮-ଘ ଅନୁଯାୟୀ ତାଙ୍କୁ ଏହି ଛୁଟି ଅନୁମୋଦନ କରାଯାଇଥିଲା । ତାଙ୍କ ଛୁଟି ସମ୍ପର୍କରେ ଜଣାପଡ଼ିବା ବେଳକୁ ସେ ଭାରତ ଛାଡ଼ି ଇଟାଲୀରେ ଥିଲେ । ଗଣମାଧ୍ୟମ ଜୁନ ୭ ତାରିଖ ଖବର ପାଇବା ପରେ ନାନା ଖବର ପ୍ରଚାର ହେଲା ।ଏବେ ସବୁ କିଛି ଥମି ଯାଇଛି । ଆଉ କିଛି ସୋର ଶବ୍ଦ ନାହିଁ ।

ଇତିମଧ୍ୟରେ ସୁଜାତାଙ୍କର ଛୁଟି ସରି ସରି ଆସିଲାଣି । ନଭେମ୍ବର ୨୭ ତାରିଖ ଦିନ ସେ ପୁଣି ଓଡ଼ିଶା ପ୍ରଶାସନିକ କ୍ଷେତ୍ରରେ ଯୋଗଦେବେ ବୋଲି ନିଦେ୍ର୍ଦଶନାମା କହୁଛି । ହେଲେ ସେ ଆସିବେ କି ନାହିଁ ସେ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ନବୀନଙ୍କ ସରକାରରେ ଯଦି ଦଳୀୟ ସମର୍ଥନ କରି ସବୁଠୁ ବିବାଦୀୟ ହୋଇଥାନ୍ତି, ତେବେ ସେ ହେଉଛନ୍ତି ସୁଜାତା । ଏବେ ମୋହନ ସରକାରରେ ସେ ଆସି କାର୍ଯ୍ୟରେ ଯୋଗଦେବେ ନା ଭିନ୍ନ ଭିନ୍ନ କାର୍ଯ୍ୟପନ୍ଥା ନେବେ?ଏମିତି ଚର୍ଚ୍ଚା ଏବେ ଆଇଏଏସ ମହଲରେ ଚାଲିଛି । ପଦ ମର୍ଯ୍ୟାଦାକୁ ଭୁଲି ନବୀନଙ୍କ ପ୍ରତି ଆନୁଗତ୍ୟ ଦେଖାଇଥିବା ଡିଏସ କୁଟ୍ଟେ ଓ ଆଶୀଷ ସିଂଙ୍କ ସ୍ଥିତି ସମସ୍ତେ ଦେଖୁଛନ୍ତି । କେବଳ ସେତିକି ନୁହେଁ ଆହୁରି ଅନେକ ବରିଷ୍ଠ ଅଧିକାରୀଙ୍କ ସ୍ଥିତି ବି ଦେଖାଗଲାଣି । ଅନେକ ଆଇଏଏସ ବି ପଦ ମର୍ଯ୍ୟାଦା ହରାଇ ଏବେ ଘାଣ୍ଟି ହେଉଛନ୍ତି । ଏଭଳି ସ୍ଥିତିରେ ସୁଜାତା ଆସିବେ ନା ନାହିଁ ସେହି ଚର୍ଚ୍ଚା ଚାଲିଛି । ଦୁଇଟି କଥା ଏବେ ଚର୍ଚ୍ଚାରେ ଅଛି, ଭିକେ ପାଣ୍ଡିଆନ ବିଜେପି ସହ ଡିଲ କରି ସୁଜାତାଙ୍କୁ ଭଲ ସ୍ଥାନରେ ରଖି ପାରିବେ, କିମ୍ବା ଭିଆରଏସ ପର୍ଯ୍ୟନ୍ତ ଥଇଥାନ କରିପାରିବେ ।

ଅନ୍ୟଟି ହେଲା ପୂର୍ବରୁ ସୁଜାତା ବିଜେଡିରେ ଯୋଗଦେବେ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା । ହେଲେ ସବୁ କିଛି ଅଙ୍କ ଓଲଟପାଲଟ କରିଦେଲେ ଓଡ଼ିଶାବାସୀ । ପାଣ୍ଡିଆନଙ୍କୁ ବିରୋଧ କରି ପୂରା ଗେମ ଓଲଟି ଗଲା ।ଏବେ ବି ବିଜେଡି ପାଖରେ ପରପିଢ଼ୀର ନେତା ନାହାନ୍ତି । ବିଜେଡିକୁ ସମ୍ଭାଳିବା ପାଇଁ ନେତା ମିଳୁ ନାହାନ୍ତି । ପାଣ୍ଡିଆନ କାଳେ ପାଣ୍ଠି ମାଡ଼ି ବସିଛନ୍ତି । ତେଣୁ ଅନ୍ୟ କେହି ଚାହିଁଲେ ବି ଦଳକୁ ଚଳାଇବା କଷ୍ଟ ହେବ । ସୁଜାତା ଯଦି ଚାକିରୀକୁ ନଆସନ୍ତି, ତେବେ ପାଣ୍ଡିଆନ ପଛରେ ରହି ତାଙ୍କୁ ଆଗରେ ରଖି ବିଜେଡି ରାଜନୀତି କରିବେ ବୋଲି ଚର୍ଚ୍ଚା ହେଉଛି ।