ନୂଆଦିଲ୍ଲୀ, ୨/୧୨ : ଦ୍ଵାଦଶ ଫେଲ ଚଳଚ୍ଚିତ୍ର କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଅଭିନେତା ବିକ୍ରାନ୍ତ ମାସେ ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି। ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କଲା ଭଳି ବଲିଉଡରୁ ଅବସର ନେବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦ ସାବରମତୀ ରିପୋର୍ଟ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର କିଛିଦିନ ପରେ ୩୭ ବର୍ଷୀୟ ଏହି ଅଭିନେତାଙ୍କ ଅବସର ଘୋଷଣାକୁ ଦର୍ଶକ ସହଜରେ ଗ୍ରହଣ କରିପାରୁନାହାନ୍ତି।ବିକ୍ରାନ୍ତ ମାସେ ନିକଟରେ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଆଇଏଫଏଫଆଇ)ରେ ପର୍ସନାଲିଟି ଅଫ ଦ ଇୟର ପୁରସ୍କାର ଗ୍ରହଣ କରିଥିଲେ। ତେବେ ସେ ତାଙ୍କ ଅବସର ପଛର କାରଣ କିଛି ଦର୍ଶାଇ ନାହାନ୍ତି।
ନିଜ ପୋଷ୍ଟରେ ସେ ଲେଖିଛନ୍ତି, ‘ଚଳଚ୍ଚିତ୍ର ଜଗତରେ କାର୍ଯ୍ୟ କରିଥିବା ସମୟରେ ସମସ୍ତଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ସମୟ ଘରକୁ ଯିବାର ସମୟ ବୋଲି ମୁଁ ଅନୁଭବ କରୁଛି। ଜଣେ ସ୍ଵାମୀ, ଜଣେ ବାପା ଏବଂ ଜଣେ ପୁଅ ହିସାବରେ ସେ ଘରକୁ ଫେରୁଛନ୍ତି। ଜଣେ ଅଭିନେତା ହିସାବରେ ମଧ୍ୟ। ଆଗାମୀ ୨୦୨୫ ଆମେ ପରସ୍ପରଙ୍କୁ ଗୋଟିଏ ଶେଷ ଚଳଚ୍ଚିତ୍ରରେ ଭେଟିବା। ଶେଷ ୨ଟି ଚଳଚ୍ଚିତ୍ର ଏବଂ ଅନେକ ବର୍ଷର ସ୍ମୃତିକୁ ନେଇ ଘରକୁ ଫେରୁଛି। ସମସ୍ତଙ୍କୁ ଧନ୍ୟବାଦ !’