ଭୁବନେଶ୍ବର,୧୦/୧୨ : ୨୦୨୩ ଅକ୍ଟୋବର ୧୧ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଥିଲେ । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଥିଲା ଗାଡି ବ୍ୟବସ୍ଥା । ୧୫ ହଜାର ମାଆଙ୍କୁ ସ୍କୁଟର ପ୍ରଦାନ କରାଯାଇଥିଲା । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଥିଲେ, ଗତି ହିଁ ଶକ୍ତି । ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି । ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତୀ ।ସେହିଭଳି ଆହୁରି ମଧ୍ୟ କହିଥିଲେ, ‘ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ । ମାଆମାନେ ଭଲ କାମ କରୁଛନ୍ତି ।
୧୫ ହଜାର ମାଆଙ୍କୁ ସ୍କୁଟର ଦିଆଯାଇଛି । ଆଗାମୀ ଦିନରେ ୨ ଲକ୍ଷ ମାଆ ସ୍କୁଟର ପାଇବେ ।’ କାର୍ଯ୍ୟକ୍ରମରେ ମା’ ମାନଙ୍କୁ ପ୍ରସଂଶା କରିଥିଲେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସେ କହିଥିଲେ, ‘ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମାଆ ସ୍କୁଟର ନେଇଛନ୍ତି । ଆଗକୁ ୨ ଲକ୍ଷ ମିଶନ ଶକ୍ତି ସଦସ୍ୟାଙ୍କୁ ଏହି ସ୍କୁଟର ମିଳିବ ।ଗତ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ସ୍କୁଟର ଯୋଜନାକୁ ଅନୁମୋଦନ ମିଳିଥିଲା । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଥିଲା । କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ ।
ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଥିଲା । ଦକ୍ଷତା ବୃଦ୍ଧି ତାଲିମ, ଜୀବିକା ପ୍ରୋତ୍ସାହନ ଏବଂ ବଜାର ସଂଯୋଗୀକରଣ ଦିଗରେ ଗୁରୁତ୍ବପୂର୍ଣ୍ଣ ସେବା ଯୋଗାଇ ଦେଉଥିଲେ। ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ସେମାନଙ୍କର ଅବଦାନକୁ ସ୍ବିକୃତି ଦେବା ସହ ସେମାନଙ୍କୁ ନିଜ କାର୍ଯ୍ୟ ତୁଲାଇବାକୁ ଆହୁରି ସୁଗମ କରିବା ପାଇଁ ରାଜ୍ୟ ସରକାର ସ୍କୁଟର କିଣିବା ଉପରେ ଋଣର ସୁଦ୍ଧ ଛାଡ଼ ଘୋଷଣା କରାଯାଇଛି । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ । ଏଥିପାଇଁ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ ପ୍ରସ୍ତାବ ରଖାଯାଇଥିଲା । ବିଜେଡି ସରକାର ଗଲା ପରେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ଆସି ରାସ୍ତାରେ ବସିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ। । ଯାହାଙ୍କ ମଧ୍ୟରେ ଅଛନ୍ତି ବ୍ୟାଙ୍କ ମିତ୍ର, ଏମବିକେ, ଏଲ୍ଏସ୍ପି, ସିଆର୍ପି, କୃଷି ମିତ୍ର ଓ ପ୍ରାଣୀ ମିତ୍ର। ସେମାନଙ୍କ ଦାବି ୯ ମାସ ହେଲା ଦରମା ମିଳିନି। ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ।
ପୂର୍ବରୁ ବିଜେଡି ସରକାର ଅମଳରେ ଶେଷ ୩ ମାସ ପାଇନଥିଲେ ଆଉ ଏବେ ବିଜେପି ସରକାର ଆସିବା ପରଠୁ ୬ ମାସ ହେଲା ଟଙ୍କାଟିଏ ମିଳିନି। ଜୀବୀକା ମିଶନଠୁ ସୁଭଦ୍ରା ଯୋଜନା ଯାଏଁ ସରକାରଙ୍କ ସବୁ ଯୋଜନାକୁ ଗ୍ରାଉଣ୍ଡ ଲେବଲରେ କାର୍ଯ୍ୟକାରୀ କରିବାରେ ସେମାନଙ୍କର ପ୍ରମୁଖ ଭୂମିକା ରହୁଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଛି। ବକେୟା ଦରମା ପ୍ରଦାନ ସହ ୫ ବର୍ଷିଆ ନିଯୁକ୍ତି ପଲିସିରେ ଥିବା ୭୫ ପ୍ରତିଶତ ଓ ୫୦ ପ୍ରତିଶତକୁ ଉଚ୍ଛେଦ କରି ଶହେ ପ୍ରତିଶତ ପାରିଶ୍ରମିକ ପ୍ରଦାନ, ସ୍ଥାୟୀ ନିଯୁକ୍ତି ଏବଂ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କୁ ଇପିଏଫ୍, ଇଏସଆଇରେ ସାମିଲ କରାଯିବା ଦାବିରେ ସେମାନେ ମିଶନ ଶକ୍ତି ବିଭାଗ ଓ ଲାଇଭଲିହୁଡ୍ ମିଶନ ବିଭାଗକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।ସେପଟେ ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀଙ୍କ ଧାରଣାକୁ ବିରୋଧୀ ଦଳମାନେ ସମର୍ଥନ କରି ତୁରନ୍ତ ସେମାନଙ୍କ ସମସ୍ତ ଦାବି ସରକାର ମାନି ନେବାକୁ ଦାବି କରିଛନ୍ତି।
ଏହାର ଜବାବରେ ବିଜେପି କହିଛି, ବିଜେଡି ଏ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛି। ୨୦୧୯ ମସିହାରେ ଏମାନଙ୍କର ୫ ବର୍ଷିଆ ନିଯୁକ୍ତି ଚୁକ୍ତି କରିଥିବା ପୂର୍ବ ବିଜେଡି ସରକାର ଗତ ଏପ୍ରିଲ ମାସରେ କାହିଁକି ତାହାକୁ ରିନ୍ୟୁ କଲାନାହିଁ ବୋଲି ପାଲଟା ପ୍ରଶ୍ନ କରିଛି।ମାତ୍ର ଏ ସବୁ ଭିତରେ ଏବେ ଏକ ଅଜବ ପ୍ରଶ୍ନ ସାମ୍ନାକୁ ଆସିଛି । ଏବେ ସ୍କୁଟିର କିସ୍ତି କିଭଳି ଦେବେ ତାହା ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ଯାହା ଏବେ ଗମ୍ଭୀର ବିଷୟ ପାଲଟିଛି । ଯାହାକୁ ନେଇ ଚିନ୍ତାରେ ମିଶନ ଶକ୍ତିର ମା’ମାନେ । ସେମାନଙ୍କର କହିବା ଅନୁସାରେ ଗତ ସରକାର ଆମକୁ ଭଣ୍ଡେଇ ଦେଲେ । ଆମକୁ ସ୍କୁଟି ଦେଇ ଏବେ ନିରାଶ କରିଛନ୍ତି । ଆମେ କେମିତି ଦେବୁ ଏହାର କିସ୍ତି କିଛି ବୁଝି ପାରୁନୁ । ଏବେ ପ୍ରଶ୍ନ ମିଶନଶକ୍ତିର ମା’ମାନେ ଏବେ କରିବେ କ‘ଣ ?