ଭୁବନେଶ୍ବର, ୧୨/୧୨ : କିଛି ଦିନର ନିରବତା ପରେ ପୁଣି ପାଣ୍ଡିଆନ ଝଡ଼ । ଏହା ଏବେ ଦଳ ଭିତରୁ ଆସିଛି । ଦଳୀୟ ନେତା ଏବେ ଟୁପୁରୁଟାପୁରୁ ହେବାକୁ ଲାଗିଛନ୍ତି । ଶିଳ୍ପପତି ଗୌତମ ଅଦାନୀଙ୍କ ସାନପୁଅ ଜିତ୍ ଅଦାନୀଙ୍କ ବିବାହ ଉତ୍ସବକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନ ଯାଇ କାହିଁକି ନିଜର ପ୍ରତିନିଧି ଭାବେ ପାଣ୍ଡିଆନଙ୍କୁ ପଠାଇଲେ ତାକୁ ନେଇ ବିଜେଡିରେ ଚର୍ଚ୍ଚା ଜୋର ଧରିଛି । କିଛି ମାସ ତଳେ ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ପରେ ସକ୍ରିୟ ରାଜନୀତିରୁ ଆତ୍ମଘୋଷିତ ସନ୍ୟାସ ନେଇଥିଲେ ଭି.କେ ପାଣ୍ଡିଆନ । ଦିନେ ଦଳର ସର୍ବେସର୍ବା ବୋଲି କୁହାଯାଉଥିଲା । ମାତ୍ର ନିର୍ବାଚନ ସମୟରେ ଦେଇଥିବା କଥା ଅନୁସାରେ ଦଳ ପରାଜୟ ପରେ ସେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ତେବେ ଏବେ ପୁଣି ଥରେ ସାମ୍ନାକୁ ଆସୁଛନ୍ତି ପାଣ୍ଡିଆନ ।
ଗତ ନଭେମ୍ବର ୨୭ତାରିଖରେ କଟକର ଏକ ବିବାହ ଭୋଜିରେ ନଜର ଆସିଥିଲେ । ଦୀର୍ଘଦିନ ପରେ ସେ କୌଣସି କାର୍ଯ୍ୟକ୍ରମରେ ନଜର ଆସି ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ । ମାତ୍ର ଏବେ ଶିଳ୍ପପତି ଗୌତମ ଅଦାନୀଙ୍କ ସାନପୁଅ ଜିତ୍ ଅଦାନୀଙ୍କ ବିବାହ ଉତ୍ସବରେ ଯୋଗଦେବା ପରେ ଦଳ ଭିତରୁ ଉଠିଛି ପ୍ରଶ୍ନ। କାହିଁକି ଯାଇଥିଲେ ପାଣ୍ଡିଆନ ତାକୁ ନେଇ ତଳୁ ଉପର ଯାଏଁ ସବୁଠି ଚର୍ଚ୍ଚା । କାହିଁକି ଗଲେ ? କେଉଁ ସ୍ବାର୍ଥରେ ଗଲେ ? କାହା ସୁପାରିଶରେ ଗଲେ ? ଏମିତି ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ପ୍ରକାଶ ଯେ, ଶିଳ୍ପପତି ଗୌତମ ଅଦାନୀଙ୍କ ସାନପୁଅ ଜିତ୍ ଅଦାନୀଙ୍କ ରାଜସ୍ଥାନର ଉଦୟପୁରରେ ଆୟୋଜିତ ପ୍ରି-ୱେଡିଂ ଉତ୍ସବରେ ମଙ୍ଗଳବାର ପାଣ୍ଡିଆନ ଯୋଗଦେଇଥିବା ଜଣାପଡ଼ିଛି ।
କେବଳ ଭୋଜିରେ ସାମିଲ ହୋଇନାହାନ୍ତି ବରଂ ଗୌତମ ଅଦାନୀଙ୍କ ବ୍ୟକ୍ତିଗତ ଅଫିସିଆଲଙ୍କ ସହ ପାଣ୍ଡିଆନ କୌଣସି ପ୍ରସଙ୍ଗରେ ଆଲୋଚନା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀଙ୍କ ସାନପୁଅ ଜିତ୍ ଅଦାନୀଙ୍କ ଉଦୟପୁରରେ ଦୁଇଦିନ ଧରି ଆୟୋଜିତ ଭବ୍ୟ ‘ବିବାହପୂର୍ବ ଉତ୍ସବ’ରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ସାମିଲ ହୋଇଛନ୍ତି । ଜିତଙ୍କ ୨ଦିନ ଧରି ପ୍ରିୱେଡିଂ ଉତ୍ସବ ପାଇଁ ଅଦାନୀ ପରିବାର ପକ୍ଷରୁ ଉଦୟପୁରର ୩ଟି ବିଳାସପୂର୍ଣ୍ଣ ତାରକା ହୋଟେଲ ବୁକ୍ ହୋଇଥିଲା । ତେବେ ଉତ୍ସବର ଆରମ୍ଭ ‘ଲିଲା ପ୍ୟାଲେସ’ ହୋଟେଲରେ ଆୟୋଜିତ ‘ଭବ୍ୟ ମଧ୍ୟାହ୍ନଭୋଜନ’ କାର୍ଯ୍ୟକ୍ରମରୁ ହୋଇଛି ।
ଯେଉଁଠି ଦେଶବିଦେଶର ବିଭିନ୍ନ କ୍ଷେତ୍ରର ପ୍ରାୟ ୩୦୦ଜଣ ଭିଭିଆଇପି ଯୋଗ ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ପାଣ୍ଡିଆନ ଏହି ଉତ୍ସବରେ ସାମିଲ ହୋଇଥିବା ସୂଚନା ମିଳିଛି । ପାଣ୍ଡିଆନ ଏହି ଉତ୍ସବରେ ଯୋଗ ଦେବା ସହ ଅଦାନୀ ଗ୍ରୁପର ବରିଷ୍ଠ ଅଫିସିଆଲ ଏବଂ ଅନ୍ୟ ରାଜନୀତିକ ଦଳର କିଛି ବରିଷ୍ଠ ନେତାଙ୍କ ସହ ମଧ୍ୟ ଅଣଆନୁଷ୍ଠାନିକ ଆଲୋଚନା କରିଥିବା ଜଣାପଡ଼ିଛି ।ତେବେ ଶିଳ୍ପପତି ଶ୍ରୀ ଅଦାନୀଙ୍କ ପୁଅ ବିବାହ ଉତ୍ସବକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନ ଯାଇ କାହିଁକି ନିଜର ପ୍ରତିନିଧି ଭାବେ ପାଣ୍ଡିଆନଙ୍କୁ ପଠାଇଲେ ତାକୁ ନେଇ ବିଜେଡିରେ ଚର୍ଚ୍ଚା ଜୋର ଧରିଛି । ରାଜ୍ୟରେ ବିଜେଡିର ବିପର୍ଯ୍ୟୟର ମୁଖ୍ୟ ସୂତ୍ରଧର ଖୋଦ୍ ପାଣ୍ଡିଆନ ହୋଇଥିଲେ ମଧ୍ୟ ନବୀନ ତାଙ୍କୁ କୋଳେଇ ଧରି ବିଜେଡିକୁ ତଳିତଳାନ୍ତ କରିବାରେ ଲାଗିଥିବା ଦଳୀୟ ନେତାମାନେ ଅନୁଭବ କରୁଛନ୍ତି । ନିଜ ସ୍ୱାର୍ଥ ପାଇଁ ପାଣ୍ଡିଆନ ବିଜେଡିକୁ ଅନ୍ୟତ୍ର ବନ୍ଧା ପକାଇ ଦେଇଥିବା ମଧ୍ୟ ବିଜେଡି ମହଲରେ ଚର୍ଚ୍ଚା ହେଉଛି । ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କାହିଁକି ଯାଇଥିଲେ ପାଣ୍ଡିଆନ । ଯଦି ଏବେ ସେ ଯାଉଛନ୍ତି ତେବେ ସନ୍ନ୍ୟାସ ନେବା କ’ଣ ଧର୍ମକୁ ଆଖିଠାର ବୋଲି କୁହାଯାଇପାରେ ।
ଭିତରେ କିନ୍ତୁ ସବୁ କିଛି ପୂର୍ବ ଭଳି ଠିକ୍ ଚାଲିଛି ବୋଲି ଏବେ ଆଲୋଚନା ହେଉଛି ।