ପ୍ରୟାଗରାଜରେ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ୧୮ଟି ଟେଣ୍ଟ

ନୂଆଦିଲ୍ଲୀ, ୧୯/୧ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମହାକୁମ୍ଭ ଟେଣ୍ଟ ସିଟିର ସେକ୍ଟର ୧୯ରେ ଏହି ଅଗ୍ନିକାଣ୍ଡ ଘଟିଛି। ରୋଷେଇ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହା ଘଟିଥିବା ପୁଲିସ କହିଛି।କୁମ୍ଭମେଳାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି ଯେ ୧୮ଟି ତମ୍ବୁରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ୧୫ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର କହିଛନ୍ତି ଯେ ଗୀତା ପ୍ରେସର ଟେଣ୍ଟରେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା।

ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ୱ ଦେଇଛନ୍ତି। ସେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଧିକାରୀ ଓ ଅଗ୍ନିଶମ ଟିମ୍ ସହ କଥା ହୋଇଥିଲେ।ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଦିତ୍ୟନାଥଙ୍କ ସହ କଥା ହୋଇ ମହାକୁମ୍ଭରେ ଅଗ୍ନିକାଣ୍ଡ ସମ୍ପର୍କରେ ପଚାରି ବୁଝିଥିଲେ। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *