ଜାନୁଆରୀ ୩୧ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପରେ ମୟୁରଭଞ୍ଜ ଉତ୍ସବ

ଭୁବନେଶ୍ବର, ୩0/୧ : ଆଗାମୀ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଐତିହାସିକ ମୟୁରଭଞ୍ଜ ଉତ୍ସବ ସ୍ଥାନୀୟ ମୟୁରଭଞ୍ଜ ସାଂସ୍କୃତିକ ସଂସଦ ଦ୍ୱାରା ମହା ସମାରୋହରେ ପାଳନ କରାଯିବ ବୋଲି ସ୍ଥିରୀକୃତ ହୋଇଛି l ଏହି ଅବସରରେ ସଂସଦର ନିଜସ୍ୱ ବାସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟିର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ରଥଙ୍କ ସମେତ ସଂସଦର ସାଧାରଣ ସମ୍ପାଦକ ଡକ୍ଟର ରଜନୀ ରଞ୍ଜନ ବିଶ୍ୱାଳ, ସମ୍ପାଦକ ବିଶିଷ୍ଟ ସିନେ ଲେଖକ ଚିନ୍ମୟ ଦାସ ପଟ୍ଟନାୟକ, ସମ୍ପାଦକ ବିଶିଷ୍ଟ ଉଦ୍ୟୋଗପତି ସ୍ୱରୂପ ରଞ୍ଜନ ଦାସ, ବରିଷ୍ଠ ସିନେ ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ ବିଶିଷ୍ଟ ଅଭିନେତା ସୁକାନ୍ତ ରଥ, ଅଭିନେତା ସ୍ୱରାଜ ବାରିକ, ଆଗ ଧାଡ଼ିର ନିର୍ଦ୍ଦେଶକ ତାପସ ସରଘରିଆ ପ୍ରମୁଖ ଯୋଗଦେଇ ଏହି ଉତ୍ସବ କିପରି ଚିତ୍ତାକର୍ଷକ ଭାବେ ପାଳନ କରାଯିବ ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ଉକ୍ତ ଉତ୍ସବରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା, କ୍ରୀଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ପ୍ରମୁଖଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବା ସଙ୍ଗେ ସଙ୍ଗେ ଜାନୁଆରୀ ୩୧ ତାରିଖରେ ଅନୁଷ୍ଠାନିକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉତ୍କଳ ମଣ୍ଡପ ଠାରେ ଉଦଘାଟନ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି l

ମୟୁରଭଞ୍ଜର କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ, ବ୍ୟଞ୍ଜନ ଓ ପର୍ଯ୍ୟଟନର ଭରପୁର ମଜା ଉଠେଇବା ସହିତ ଛଉ, ଝୁମର ନାଚ ସାଙ୍ଗକୁ ବିଶିଷ୍ଟ ସିନେ କଳାକାର ମାନଙ୍କ ଦ୍ୱାରା ପାରିବେଶିତ ରଙ୍ଗାରଙ୍ଗ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମରେ କେମିତି ଜନସାଧାରଣ ଝୁମିବେ ସେ ବିଷୟରେ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରକାଶ କରିଥିଲେ l ଫେବୃଆରୀ ୧ ତାରିଖ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ଭିତରେ ପୁଣ୍ୟଶ୍ଳୋକ ମୟୁରଭଞ୍ଜର ଯଶସ୍ବୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଅବସରରେ ସଚ୍ଚିବାଳୟ ମାର୍ଗ ସ୍ଥିତ ଇନ୍ଷ୍ଟିଟ୍ୟୁଟ ଅଫ ଇଞ୍ଜିନିଅର୍ସ, ଭାରତ, ଓଡିଶା ରାଜ୍ୟ ଶାଖାଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଛି ଏବଂ ଏହି ଉତ୍ସବରେ ମୟୁରଭଞ୍ଜର ମହାରାଣୀ ଓ ମହାରାଜା ସମ୍ମାନୀୟ ଅତିଥି ଭାବେ ଯୋଗଦେବେ l

ସଭା ପରେ ଓଡିଶାକୁ କଳା, ଶିକ୍ଷା, ସାହିତ୍ୟ, ସଂସ୍କୃତି, ଶିଳ୍ପ, ପର୍ଯ୍ୟଟନ, ଐତିହ୍ୟ, ସ୍ଥାପତ୍ୟ ଓ ବ୍ୟଞ୍ଜନ କ୍ଷେତ୍ରରେ ମୟୁରଭଞ୍ଜର ଅବଦାନ ସମ୍ପର୍କରେ ଏକ ଭବ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ଅଭିନେତା ସୁକାନ୍ତ ରଥ ସୂଚନା ଦେଇଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୟୁରଭଞ୍ଜ ସାଂସ୍କୃତିକ ସଂସଦର ସାଧାରଣ ସମ୍ପାଦକ ଡକ୍ଟର ରଜନୀ ରଞ୍ଜନ ବିଶ୍ୱାଳ l

Leave a Reply

Your email address will not be published. Required fields are marked *