ଭୁବନେଶ୍ବର, ୨୯/୧ : ୭ ମାସ ବିତିଗଲାଣି । ମଙ୍ଗୁଆଳଙ୍କ ନାଁରେ ମୋହର ବାଜିପାରୁନି। କଂଗ୍ରେସର ଲବି ପଲିଟିକ୍ସ ସଭାପତି ଚୟନକୁ ବିଳମ୍ବିତ କରୁଥିବାବେଳେ ତୃଣମୂଳସ୍ତରରେ କର୍ମୀ ନିରାଶ ହୋଇ କଂଗ୍ରେସର ହାତ ଛାଡୁଛନ୍ତି। ଓଡ଼ିଶାରେ ପିସିସି ସଭାପତି ଚୟନ ନେଇ ଦୀର୍ଘ ଦିନ ହେବ ହିସାବ ନିକାଶ ଚାଲିଥିଲେ ମଧ୍ୟ ଛିଣ୍ଡୁନି ଅଙ୍କ। ସାତ ମାସ ହେବ କଂଗ୍ରେସ ମୁରବୀହୀନ ହୋଇଥିଲେ ବି ଦିଲ୍ଲୀ ହାଇକମାଣ୍ଡ ଏ ଯାଏଁ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି।
ଲାଗୁଛି ଯେପରି ଚାପରେ ରହିଛନ୍ତି ଶୀର୍ଷ ନେତୃତ୍ବ । କାରଣ ପିସିସି ସଭାପତି ପାଇଁ ରେସରେ ଏକାଧିକ ନାଁ ସାମିଲ ହେଲାଣି । ଏସବୁ ଭିତରେ ଯଦି ମୋକ୍କିମଙ୍କୁ ମଙ୍ଗୁଆଳ କରା ନ ଯାଏ ତେବେ ପ୍ରଭାରୀ ନିଜର ସରପ୍ରାଇଜ କାର୍ଡ ମଧ୍ୟ ଶୀର୍ଷ ନେତୃତ୍ବଙ୍କ ସାମ୍ନାରେ ରଖିଛନ୍ତି। ଦ୍ବିତୀୟ ପସନ୍ଦର ନେତା ଭାବେ ସପ୍ତଗିରିଙ୍କୁ ସଭାପତି ରେସରେ ସାମିଲ କରିଛନ୍ତି। ଏ ସବୁ ଭିତରେ ଦଳୀୟ ନେତା ଓ କର୍ମୀ ସଭାପତିଙ୍କ ନାଁ ଘୋଷଣା ଅପେକ୍ଷା ରହିଛନ୍ତି। ଓଡ଼ିଶା କଂଗ୍ରେସରେ ମୋକ୍କିମଙ୍କର ଦବଦବା ଥିବାବେଳେ ଭକ୍ତଙ୍କ ପାଇଁ ଶେଷ ଭରସା ପାଲଟିଛି ଦିଲ୍ଲୀ ଲବି।
ତେବେ ପିସିସି ସଭାପତି ପାଇଁ ଅଜୟ କୁମାର ହାଇକମାଣ୍ଡଙ୍କ ଆଗରେ ଯେଉଁ ବିକଳ୍ପ ଫର୍ମୁଲା ସାମ୍ନାକୁ ଆଣିଛନ୍ତି ତାହାକୁ ନେଇ ସହମତ ହୋଇପାରୁନାହାନ୍ତି ରାଜ୍ୟର କିଛି ନେତା। କାରଣ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ କୋରାପୁଟରୁ ଆସୁଛନ୍ତି। ଏ ସବୁ ଭିତରେ ପ୍ରଭାରୀଙ୍କ ରିପୋର୍ଟକୁ ଯଦି ଗ୍ରହଣ କରାଯାଏ ତେବେ ଖୁବଶୀଘ୍ର ଘୋଷଣା ହେବ ସଭାପତିଙ୍କ ନାଁ। ଅନ୍ୟପଟେ ଭକ୍ତ ଦାସଙ୍କ ନାଁକୁ ନେଇ ଯଦି ହାଇକମାଣ୍ଡ ବିଚାର କରନ୍ତି ତେବେ ସଭାପତି ଚୟନ ବିଳମ୍ବିତ ହୋଇପାରେ।
