ପାଣ୍ଡିଆନଙ୍କ ହାତରେ ରହିଛି କି ନବୀନଙ୍କ ଚାବୁକ ?

ଭୁବନେଶ୍ବର, ୩୦/୧ : ୨୪ବର୍ଷର ଶାସନ ନିମିଷକେ ଶେଷ ହୋଇଗଲା । ଶାସକରୁ ବିରୋଧି ଦଳ ବିଜେଡି । ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ । ମାତ୍ର ନିର୍ବାଚନର କିଛି ମାସ ପୂର୍ବରୁ ନିଜକୁ ସର୍ବେସର୍ବା କହି ଓଡ଼ିଶା ବୁଲୁଥିବା ବ୍ୟଙ୍କିଙ୍କଠାରୁ ମୋହ ଛାଡ଼ୁନି ନବୀନ ବାବୁଙ୍କର । ଏମିତି କ’ଣ ଅଛି ଯେ ତାଙ୍କୁ ଦୂରେଇ ପାରୁନାହାନ୍ତି ନବୀନ ବାବୁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ? କାହିଁକି ଭିକେ ପାଣ୍ଡିଆନଙ୍କୁ ନିଜ ଠାରୁ ଅଲଗା କରିପାରୁନାହାନ୍ତି ନବୀନ । ନବୀନଙ୍କ କିଛି ଗୁମର କଥା ପାଣ୍ଡିଆନଙ୍କୁ ଜଣା କି ? ଯାହାର ଫାଇଦା ଉଠାଉଛନ୍ତି ଭିକେ ପାଣ୍ଡଆନ ।

ଦିନେ ଏହି ନାଁ ଶୁଣିଲେ ଓଡ଼ିଶାର ପ୍ରଶାସନିକ କଳ ଥରହର ହେଉଥିଲା । ମାତ୍ର ସେ ସବୁ ଆଜି ନାହିଁ । ହଠାତ୍ ଓଡ଼ିଶାର ଜନମାନସରେ ଗୋଟିଏ ନାଁ ଉଭା ହୋଇଥିଲା ଯାହା ଥିଲା ଭି କେ ପାଣ୍ଡିଆନ । ମାତ୍ର ସରକାର ଯାଇଛି ହେଲେ ନବୀନ ବାବୁ ତାଙ୍କୁ ଦୋଷ ଦେବାକୁ କୁଣ୍ଠାବୋଧ କରୁଛନ୍ତି ।୨୪ ବର୍ଷର ଶାସନ ଅନ୍ତ ର ସମୀକ୍ଷା ପାଇଁ କିଏ କାହିଁକି ବାଟ ଓଗାଳିଛି ? ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆକ୍ସନମୋଡକୁ ନ ଆସି କାହିଁକି ସ୍ଥାଣୁ ପାଲଟିଛନ୍ତି ? ତାଙ୍କୁ ବ୍ଲାକମେଲ୍ କରି ବିଜେଡିର ବିଶାଳ ସଂଗଠନକୁ ତାଙ୍କଠୁ ଛଡ଼ାଇ ନେବାର ରଣନୀତିକୁ କେହି କାର୍ଯ୍ୟକାରୀ କରୁଛି କି ? ଏ ସବୁ ପ୍ରଶ୍ନ ଏବେ ବିଜେଡିର ଲକ୍ଷ ଲକ୍ଷ କର୍ମୀ ଓ ନେତାଙ୍କ ମନକୁ ଆନ୍ଦୋଳିତ କରିବା ସହ ସାଧାରଣରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଗତ ୬-୭ ମାସ ଧରି ଦଳର ପରାଜିତ ବିଧାୟକ ଓ ନେତାମାନେ ବିଭିନ୍ନ ସ୍ଥାନରେ ମେଳି କରୁଥିବା ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିଜେଡି ମୁରବୀବିହୀନ ଓ ମୁଖିଆଙ୍କ ନିୟନ୍ତ୍ରଣ ବାହାରକୁ ସଂଗଠନ ପଳାଉଥିବାର ସନ୍ଦେଶ ଯିବାରେ ଲାଗିଛି। ଜାନୁଆରୀ ୨୩ ତାରିଖରେ କଟକରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ଦଳର ୧୫-୨୦ ଜଣ ପୂର୍ବତନ ବିଧାୟକ ଓ ଆଗଧାଡ଼ିର ନେତା ମେଳି କରିବା ପରେ ନବୀନ ଏମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ଫୋନ୍ କରି ନିଜର ବିରକ୍ତି ଭାବ ପ୍ରକାଶ କରିଛନ୍ତି।

ଦେବାଶିଷଙ୍କ ସମେତ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ସୁନୀଲ ମହାନ୍ତି, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ ପ୍ରମୁଖଙ୍କୁ ନବୀନ ନିଜେ ଫୋନ୍ କରି ଏଭଳି ମେଳି ନକରିବାକୁ ତାଗିଦ୍ କରିଛନ୍ତି। ଯଦିଓ ନବୀନ ବିରକ୍ତ ହେବା ପରେ ବି ବିଧାୟକ ଦେବୀ ତ୍ରିପାଠୀ ରବିବାର ଏକ ବନ୍ଧୁମିଳନ କରିବାକୁ ପଛାଇନାହାନ୍ତି। ତେବେ ଦେଖିବାକୁ ବାକି ରହିଲା ଏ ଚାବୁକ୍ କେବେ ହଟୁଛି ।

Leave a Reply

Your email address will not be published. Required fields are marked *