ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲେଖି ବନ୍ଧାହେଲେ ସାମ୍ବାଦିକ

ତେଲେଙ୍ଗାନା, ୧୩/୩ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ଏକ ଅନଲାଇନ୍ ନ୍ୟୁଜ୍ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକ ଏବଂ ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଛି । ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଏବଂ ଭାରତୀୟ ନ୍ୟାୟିକ କୋଡର ସମ୍ପୃକ୍ତ ଧାରା ଅନୁଯାୟୀ ରୁଜୁ ହୋଇଥିବା ଏକ ମାମଲାରେ ହାଇଦ୍ରାବାଦ ସାଇବର କ୍ରାଇମ ପୋଲିସ ପି. ରେବତୀ ଏବଂ ବି ସନ୍ଧ୍ୟାଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତ ସୋସିଆଲ ମିଡିଆରେ ତେଲେଙ୍ଗାନା ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟ କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

ହାଇଦ୍ରାବାଦ ପୁଲିସ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, କଂଗ୍ରେସ ସୋସିଆଲ ମିଡିଆ ସେଲ୍ ରାଜ୍ୟ ସମ୍ପାଦକଙ୍କୁ ମାର୍ଚ୍ଚ ୧୦ ତାରିଖରେ ଇଣ୍ଟରନେଟରେ ଏକ ଅପମାନଜନକ ଭିଡିଓ ମିଳିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ଅନଲାଇନ୍ ନ୍ୟୁଜ୍ ଚ୍ୟାନେଲର ପ୍ରତିନିଧି ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଉତ୍ତେଜନାମୂଳକ ଢଙ୍ଗରେ ସାକ୍ଷାତକାର ନେଉଥିବା ଦେଖିବାକୁ ମିଳିଛି । ସାକ୍ଷାତକାର ସମୟରେ ଅଜ୍ଞାତ ବ୍ୟକ୍ତି ଜଣକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ, ଯାହା ସ୍ପଷ୍ଟ ଭାବରେ ରେବନ୍ତ ରେଡ୍ଡୀଙ୍କୁ ବଦନାମ କରିବା ଏବଂ ମିଥ୍ୟା ପ୍ରଚାର କରିବା ପାଇଁ ଚ୍ୟାନେଲ ଦ୍ୱାରା ଉଦ୍ଦେଶ୍ୟମୂଳକ ପ୍ରୟାସକୁ ଦର୍ଶାଉଛି ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା ।

Leave a Reply

Your email address will not be published. Required fields are marked *